ଭୁବନେଶ୍ବର : କରୋନା ପାଇଁ ଦୋଳଯାତ୍ରା ଓ ହୋଲି ପାଳନ ଉପରେ ସରକାର ରୋକ୍ ଲଗାଇଛନ୍ତି। ସର୍ବସାଧାରଣ ସ୍ଥାନରେ କେହି ରଙ୍ଗ ଖେଳିପାରିବେ ନାହିଁ। ସେହିପରି ଦୋଳଯାତ୍ରା ପାଇଁ ରାଜ୍ୟର କୌଣସି ସ୍ଥାନରେ ଧାର୍ମିକ ଓ ସାଂସ୍କୃତିକ ସମାବେଶ ହେବ ନାହିଁ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍ଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସରକାର ଯୁକ୍ତି ବାଢ଼ିଛନ୍ତି ଯେ ବିଭିନ୍ନ ରାଷ୍ଟ୍ରରେ କୋଭିଡ୍ର ଦ୍ବିତୀୟ ଲହର ଦେଖିବାକୁ ମିଳୁଛି। ଏପରିକି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ, ମଧ୍ୟପ୍ରଦେଶ ଓ କେରଳରେ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ବଢ଼ୁଛି। ଏଥିପାଇଁ କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ଦୋଳଯାତ୍ରା ଓ ହୋଲି ପରି ପବିତ୍ର ପର୍ବରେ ଲୋକମାନେ ଏକାଠି ହେବା ସହ ଉତ୍ସବ ପାଳନ କରନ୍ତି। ପରସ୍ପର ସହ ରଙ୍ଗ ଖେଳନ୍ତି। ତେଣୁ ଏଥିରେ ଶାରୀରିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ସମ୍ଭବପର ନୁହେଁ। ଏପରି କାର୍ଯ୍ୟକ୍ରମ ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।
ଏସ୍ଆର୍ସିଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର କୌଣସି ସ୍ଥାନରେ ଦୋଳଯାତ୍ରା ପାଳନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ। ମନ୍ଦିର ଭିତରେ କୋଭିଡ୍ ଗାଇଡ୍ଲାଇନ୍ ମାନି ଧାର୍ମିକ ରୀତିନୀତି ଜାରି ରହିବ।
ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍ ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରିପାରିବେ। ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଜିଲ୍ଲାପାଳ ‘ଦୋଳ ମେଲଣ’ ପାଇଁ ଅନୁମତି ଦେଇପାରିବେ। କିନ୍ତୁ ସେଠାରେ କୋଭିଡ୍ ଗାଇଡ୍ଲାଇନ୍ ଯେପରି କଡ଼ାକଡ଼ି ପାଳନ ହୁଏ, ତାହାକୁ ନିଶ୍ଚିତ କରିବାକୁ ପଡ଼ିବ।
ମାର୍ଚ୍ଚ ୨୮ ଓ ୨୯ ତାରିଖରେ ସର୍ବସାଧାରଣ ସ୍ଥାନରେ ହୋଲି କିମ୍ବା ତାହା ସହ ସଂପୃକ୍ତ କୌଣସି ପର୍ବ ପାଳନ ହୋଇପାରିବ ନାହିଁ। ଲୋକମାନେ ଘରେ ନିଜ ପରିବାର ସଦସ୍ୟଙ୍କ ସହ େହାଲି ଖେଳିପାରିବେ। କିନ୍ତୁ କୌଣସି ପରିସ୍ଥିତିରେ ସେମାନେ ରାସ୍ତା ଉପରକୁ ଆସିବେ ନାହିଁ। ସ୍ଥାନୀୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଓ କମିସନର୍ ଅଧିକ କଟକଣା ମଧ୍ୟ ଜାରି କରିପାରିବେ।