ଗଣମାଧ୍ୟମ ଉପରେ ଲଗାମ ଲଗାଇଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ: ମୁଖ୍ୟ ଶାସନ ସଚିବଙ୍କୁ ସୁପାରିସ

ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ଶାନ୍ତିଭଙ୍ଗ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଗଣମାଧ୍ୟମ ଉପରେ ଲଗାମ ଲଗାଇଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଖବର ସଂଗ୍ରହ ପାଇଁ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢୁଥିବା ପିଲାଙ୍କ ଶାନ୍ତି ଭଙ୍ଗ (ଡିଷ୍ଟର୍ବ) କରିପାରିବେ ନାହିଁ ବୋଲି ନିର୍ଦେଶନାମା ଜାରି କରିଛନ୍ତି। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ସୁପାରିସ କରିଛନ୍ତି ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। କିଛି ଦିନ ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବିଇଓ ଗଣମାଧ୍ୟମକୁ ସ୍କୁଲ ପରିସର ମନା କରିବା ନେଇ ନିର୍ଦେଶନାମା ଜାରି ପରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସ୍ଥିତି ଏଭଳି ହେଲା ଯେ ବିଇଓ ସେହି ନିର୍ଦେଶନାମା ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ଶିଶୁ ସୁରକ୍ଷା ଆୟୋଗ ଭିନ୍ନ ଢଙ୍ଗରେ ସେହିଭଳି ସୁପାରିସ କରିଛନ୍ତି। ଗଣମାଧ୍ୟମରେ ଶିଶୁ ପରିଚୟ ପ୍ରକାଶନ ଆଇନ କଡ଼ାକଡ଼ି କାର୍ଯ୍ୟକାରୀ କରିବା ନେଇ ପୁରୁଣା ନିର୍ଦେଶାନାମାକୁ ନେଇ ମୁଖ୍ୟ ଶାସନ ସଚିବଙ୍କୁ ବିଭିନ୍ନ ପ୍ରକାର ସୁପାରିସ କରିଛନ୍ତି ଆୟୋଗ।

ଏଥିରେ କୁହାଯାଇଛି ଯେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସେମାନଙ୍କ ପ୍ରତିନିଧିମାନଙ୍କୁ ଶିଶୁ ଅଧିକାରର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବେ। ସରକାରଙ୍କ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଲିଖିତ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପୁସ୍ତିକା ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥାକୁ ପ୍ରଦାନ କରାଯାଉ। ଶିଶୁ ସୁରକ୍ଷା ନିୟମ ଉଲ୍ଲଂଘନ ହେଲେ ପ୍ରତ୍ୟେକ ସମ୍ପାଦକ କିମ୍ବା ପ୍ରକାଶକ ଦାୟୀ ରହିବେ ବୋଲି ଆୟୋଗ କହିଛନ୍ତି। ଏଥିରେ ଆହୁରି କୁହାଯାଇଛି, ଶିଶୁଙ୍କ ପାଇଁ ହାନିକାରକ ଥିବା ଯେକୌଣସି ପ୍ରକାର ସୂଚନା ରେଡିଓ, ଟେଲିଭିଜନ କିମ୍ବା ସମ୍ବାଦପତ୍ର ପ୍ରସାରିତ ବା ପ୍ରକାଶିତ ହୋଇପାରିବ ନାହିଁ। ଆଇନଗତ ଲଢେଇ ଚାଲିଥିବା ବେଳେ ଅଭିଯୁକ୍ତ କିମ୍ବା ସାକ୍ଷୀ କୌଣସି ଶିଶୁଙ୍କ ପରିଚୟ ପ୍ରକାଶିତ କିମ୍ବା ପ୍ରସାରିତ ହୋଇ ପାରିବ ନାହିଁ। ଚରିତ୍ର ପ୍ରମାଣପତ୍ର ପାଇଁ ପୁଲିସ କୌଣସି ଶିଶୁର ରେକର୍ଡ ଦେଇପାରିବ ନାହିଁ। ଏହାର ଉଲ୍ଲଂଘନ ହେଲେ ୬ ମାସ କିମ୍ବା ଅଧିକ ଜେଲ ଦଣ୍ଡାଦେଶ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର