ଯୁବତୀଙ୍କ ମୁଣ୍ତବିହୀନ ଶବ ଉଦ୍ଧାର, ହତ୍ୟା ସନ୍ଦେହ, ପୁଲିସର ତଦନ୍ତ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା କୁଇକେଡ଼ା ପଂଚାୟତ ଲାନ୍ଥ ନଦୀରୁ ବୁଧବାର ଜଣେ ଯୁବତୀଙ୍କ ମୁଣ୍ତବିହୀନ ଶବକୁ ପୁଲିସ ଉଦ୍ଧାର କରିଛି। ତାଙ୍କୁ ହତ୍ୟା କରାଯାଇ ନଦୀକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍‌ ଟିମ୍‌, ଡଗ୍‌ସ୍କ୍ବାଡ ସହାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପୁଲିସର ସୂଚନାମତେ, ବୁଧବାର ସକାଳୁ କମରଲଗା ଗ୍ରାମବାସୀ ଶୌଚ ପାଇଁ ନିକଟସ୍ଥ ଲାନ୍ଥନଦୀକୁ ଯାଇଥିଲେ। ଏହି ସମୟରେ ନଦୀରେ ଏକ ଶବ ଭାସୁଥିବା ଦେଖି ସଇନ୍ତଳା ପୁଲିସକୁ ଖବର ଦେଇଥିଲେ। ଥାନାଧିକାରୀ ଅବନୀ ସାହୁ, ଏସ୍‌ଆଇ ସଙ୍ଗୀତା ବେକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବ ଭାସୁଥିବା ସ୍ଥାନରୁ ପ୍ରାୟ ୧୫୦ ମିଟର ଦୂର କମରଲଗା ରାସ୍ତା (ଭଙ୍ଗାବ୍ରିଜ)ରେ ପ୍ରବଳ ରକ୍ତ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ଥାନାଧିକାରୀ ଶ୍ରୀ ସାହୁ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ଓ ସଇନ୍ତଳା ଅଗ୍ନିଶମ ବିଭାଗକୁ ଏ ବିଷୟରେ ଅବଗତ କରିଥିଲେ।

ଶ୍ରୀ ଶତପଥୀଙ୍କ ସମେତ ଟିଟିଲଗଡ଼ ଥାନା ଅଧିକାରୀ ରଂଜନ ବରିହା, ମୁରିବାହାଲ ଥାନାଧିକାରୀ, ସଇନ୍ତଳା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚିଥିଲେ। ମୃତ ଯୁବତୀଙ୍କ ବୟସ ୨୦ରୁ ୨୫ବର୍ଷ ହେବ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଯୁବତୀ ଜଣକ କଳା ରଙ୍ଗର ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବା ବେଳେ ତାଙ୍କ ଗୋଡ଼ରେ ଦୁଇଟି କଳା ରଙ୍ଗର ସୂତା ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗଳାକାଟି ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ଏବଂ ନଦୀରେ କମ୍‌ ପାଣି ଥିବାରୁ ଶବ ବେଶି ଦୂର ଯାଇ ନଥିବା ପୁଲିସ ସନ୍ଦେହ କରୁଛି। ଶବକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଘଟଣାକୁ ଗୁରତ୍ବର ସହ ନେଇ ପୁଲିସ ତଦନ୍ତ କରୁଛି। ବୁଧବାର ଦିନ ତମାମ ନଦୀ କୂଳରେ, ନଦୀ ନିକଟରେ ଥିବା ଜମି, ବୁଦାଗୁଡ଼ିକରେ ଏବଂ ନଦୀ ଭିତରେ ଶବର ମୁଣ୍ତକୁ ଖୋଜୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର