ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀଙ୍କ ମୋଟ ଉତ୍ତୀର୍ଣ୍ଣହାର ୮୭.୮ ପ୍ରତିଶତ ରହିଛି। ଉତ୍ତୀର୍ଣ୍ଣ ହାରରେ ଛାତ୍ରଙ୍କ ଠାରୁ ଛାତ୍ରୀମାନେ ଆଗରେ ରହିଥିବା ବେଳେ ୨୨ଟି ବିଭାଗରୁ ୧୫ଟି ବିଭାଗରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ଟପ୍ପର ହୋଇଛନ୍ତି।
ଆଜି ମୈତ୍ରୀ ଭବନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡା ଅଜନ୍ତା ଶତପଥୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ଦେବୀ ପ୍ରସାଦ ପଟ୍ଟନାୟକ, ମହାବିଦ୍ୟାଳୟ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ବାଣିଜ୍ୟ ବିଭାଗରେ ୩୮୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୮୨ଜଣ ଛାତ୍ର ଓ ୧୮୨ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ବିଭାଗରେ ପରୀକ୍ଷା ଦେଇଥିବା ୩୬୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୪ଜଣ ଛାତ୍ର ଓ ୨୪୦ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ୨୯୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୬ଜଣ ଛାତ୍ର ଓ ୧୩୬ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟରେ, ମୋଟ ଉତ୍ତୀର୍ଣ୍ଣହାର ୭୮.୯ ରହିଥିବା ବେଳେ ଛାତ୍ରଙ୍କ ଉତ୍ତୀର୍ଣ୍ଣହାର ୭୩.୭ ଓ ଛାତ୍ରୀଙ୍କ ୮୮.୩ ପ୍ରତିଶତ, କଳାରେ ମୋଟ ଉତ୍ତୀର୍ଣ୍ଣହାର ୯୧.୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ଉତ୍ତୀର୍ଣ୍ଣହାର ୮୩.୨ ଓ ଛାତ୍ରୀଙ୍କ ଉତ୍ତୀର୍ଣ୍ଣହାର ୯୫.୨ ପ୍ରତିଶତ, ବିଜ୍ଞାନରେ ମୋଟ ଉତ୍ତୀର୍ଣ୍ଣହାର ୯୪.୬ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ଉତ୍ତୀର୍ଣ୍ଣହାର ୯୨.୪ ଓ ଛାତ୍ରୀଙ୍କ ୯୭.୧ ପ୍ରତିଶତ ରହିଛି।
ବିଜ୍ଞାନରେ ଉଦ୍ଭିଦ ଛାତ୍ର ତାରା ପ୍ରସାଦ ମାର୍ଥା ମହାବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ କଳାରେ ଶିକ୍ଷା ବିଭାଗର ଶୁଭଲକ୍ଷ୍ମୀ ପଣ୍ଡା, ବାଣିଜ୍ୟରେ ନିଶା କୁମାରୀ ପାଣ୍ଡେ ଓ ବିବିଏରେ ଅଜିତ କୁମାର ପଲାଇ ଟପ୍ପର ହୋଇଛନ୍ତି । ସେହିଭଳି ଅର୍ଥନୀତିରେ ସନ୍ତୋଷ ସାହୁ, ଇଂରାଜୀରେ ସୋନାଲି ପ୍ରିୟଦର୍ଶନୀ ସାହୁ, ଇତିହାସରେ ଐଶ୍ୱର୍ଯ୍ୟା ପୃଷ୍ଟି, ଓଡ଼ିଆରେ ପୁଷ୍ପଲତା ବାରିକ, ଦର୍ଶନରେ ପ୍ରବର୍ତିକା ସାହୁ, ରାଜନୀତି ବିଜ୍ଞାନରେ ସୁମିତ୍ରା ବେହେରା, ମନୋବିଜ୍ଞାନରେ ରାଜଶ୍ରୀ ରାଜଲକ୍ଷ୍ମୀ, ସଂସ୍କୃତି ସସ୍ମିତା ସାହୁ, ରସାୟନ ବିଜ୍ଞାନରେ ଲକ୍ଷ୍ମିପ୍ରିୟା ପ୍ରଧାନ, ଭୂବିଜ୍ଞାନରେ ସ୍ୱାଗତିକା ବେହେରା, କଂପ୍ୟୁଟର ବିଜ୍ଞାନରେ ବର୍ଷା ମହାନ୍ତି, ଗଣିତରେ ଓମ ବିଶ୍ୱରଂଜନ ରାଉତରାୟ, ପଦାର୍ଥ ବିଜ୍ଞାନରେ ଦୀପକ କୁମାର ମେହେର, ଭୂତତ୍ୱରେ ଇପସିତା ପଟ୍ଟନାୟକ, ପ୍ରାଣୀବିଜ୍ଞାନରେ ଶୁଭସ୍ମିତା ନାୟକ, ବୈଦ୍ୟୁତିକ ଶାସ୍ତ୍ରରେ ଲକ୍ଷ୍ମିନାରାୟଣ ମହାପାତ୍ର ଟପ୍ପର ହୋଇଛନ୍ତି ।