କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ବି ଫଳ ଶୂନ: ଖସିଗଲେ ୯୦%, ଦୋଷୀ ୧୦%

କଟକ: ରାଜ୍ୟରେ କ୍ରାଇମବ୍ରାଞ୍ଚ ଯେଉଁ ସବୁ ମାମଲାର ତଦନ୍ତ କରୁଛି, ସେଥିରୁ ଦୋଷୀ ସାବ୍ୟସ୍ତ ହାର ରହିଛି ମାତ୍ର ୧୦ ପ୍ରତିଶତ। ଅର୍ଥାତ ୯୦ ପ୍ରତିଶତ ଘଟଣାରେ ଅଭିଯୁକ୍ତ ଖସି ଯିବାରେ ସଫଳ ହେଉଛନ୍ତି। ଜାତୀୟ ହାରଠାରୁ ଏହି ହାର ବହୁତ କମ ରହୁଥିବାରୁ ଏହା ରାଜ୍ୟ ପୁଲିସ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହି ରେକର୍ଡ ସୁଧାରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ଯେଉଁ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେହି ମାମଲାର ତଦନ୍ତକାରୀ ଅଧିକାରୀ ଏବଂ ମାମଲା ପରିଚାଳନା କରୁଥିବା ପିପିଙ୍କୁ ପୁଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପ୍ରକ୍ରିୟାରେ ଆଜି ୪୪ ପୁଲିସ ଅଫିସର ଏବ˚ ପିପି(ପବ୍ଲିକ ପ୍ରସିକ୍ୟୁଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର‌୍‌.ପି. ଶର୍ମା ଅଫିସର ଓ ପିପିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୁଲିସ ଡିଜି ଡାକ୍ତର ଶର୍ମା କହିଛନ୍ତି ଯେ, ଜଘନ୍ୟ ଅପରାଧରେ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ପୁଲିସ ଅଫିସର ଏବ˚ ପିପିଙ୍କୁ ପୁରସ୍କୃତ କରାଯିବା ଦ୍ବାରା କାର୍ଯ୍ୟ ଦକ୍ଷତା ସହିତ ଉତ୍ସାହ ମଧ୍ୟ ବଢିବ। ଏବେ ରେଡ୍‌ ଫ୍ଲାଗ୍‌ ମାମଲା କିମ୍ବା ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଅର୍ଥ ନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ମଧ୍ୟ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ଘଟିଛି। ବୈଜ୍ଞାନିକ ପ୍ରକ୍ରିୟାରେ ତଦନ୍ତ, ପ୍ରସିକ୍ୟୁସନ ଏବ˚ ସାକ୍ଷୀଙ୍କୁ କୋର୍ଟରେ ଠିକ ସମୟରେ ହାଜର ଦିଗରେ ଧ୍ୟାନ ଦେବା ସହିତ ସାକ୍ଷୀ ଯେଭଳି ପ୍ରଭାବିତ ହୋଇ ବୟାନ ପରିବର୍ତ୍ତନ ନକରନ୍ତି, ସେଥିପ୍ରତି ଯତ୍ନବାନ ରହିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଆଇଜି ଅରୁଣ ବୋଥ୍ରା, ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ରାଜ୍ୟରେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଡିଜି ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ବିଭାଗ ଏବେ ଗଛ ନଷ୍ଟ କରୁଥିବା ବେଳେ ପୁଲିସ ଏଥିରେ ସହଯୋଗ କଲେ ତ୍ବରିତ ଭାବେ ଏଭଳି ବେଆଇନ କାରବାର ବନ୍ଦ କରାଯାଇପାରିବ ବୋଲି ଆଶା କରାଯାଉଛି। ବେଆଇନ ଗଂଜେଇ ଚାଷରୁ ଆୟ ନକ୍ସଲ ଏବଂ ଅନ୍ୟ ମାଫିଆ କାରବାରକୁ ପ୍ରୋତ୍ସାହିତ କରୁଛି।

ସମ୍ବନ୍ଧିତ ଖବର