ଭୁବନେଶ୍ବର : କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଏଗ୍ଜାମିନେସନ (ସିଆଇଏସ୍ସିଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ (ଆଇସିଏସ୍ଇ) ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାର ୯୨ଟି ବିଦ୍ୟାଳୟର ୮ ହଜାର ୭୭୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୮ ହଜାର ୭୬୭ ଜଣ ଅର୍ଥାତ୍ ୯୯.୯୨% ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପରୀକ୍ଷା ଦେଇଥିବା ୪,୭୬୯ ଜଣ ଛାତ୍ରଙ୍କ ମଧ୍ୟରୁ ୪,୭୬୩ ଅର୍ଥାତ୍ ୯୯.୯୮% ଏବଂ ୪,୦୦୫ଜଣ ଛାତ୍ରୀଙ୍କ ମଧ୍ୟରୁ ୪,୦୦୪ଜଣ ଅର୍ଥାତ୍ ୯୯.୮୭% ପାସ୍ କରିଛନ୍ତି।
ଋଷି, ସାଇ, ଶ୍ରୀଧର, ଆଶୁତୋଷ ଟପର୍
ଶ୍ରେଷ୍ଠ ୩ ତାଲିକାରେ ୨୧ ଜଣ ଛାତ୍ରଛାତ୍ରୀ
ଦେଶରେ ୯୯.୯୭% ପାସ୍, ଛାତ୍ରୀ ଆଗରେ
ଦେଶର ଟପ୍ ୩ତାଲିକାରେ କୌଣସି ଓଡ଼ିଆ ନ ଥିବା ବେଳେ ସମାନ ନମ୍ବର ରଖି ୪ଜଣ ପରୀକ୍ଷାର୍ଥୀ ଓଡ଼ିଶା ଟପର୍ ହୋଇଛନ୍ତି। ସେମାନେ ହେଲେ କଟକସ୍ଥିତ ଏସ୍ସିବି ମେଡିକାଲ ପବ୍ଲିକ ସ୍କୁଲର ଋଷି ସାଗର ଶତପଥୀ, ରାଉରକେଲା ସେକ୍ଟର ୨୦ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲର ସାଇ କ୍ରିଷ୍ଣା ପଣ୍ଡା, ଭୁବନେଶ୍ବରସ୍ଥିତ ସେଣ୍ଟ ଜୋସେଫ୍ ହାଇସ୍କୁଲର ଶ୍ରୀଧର ବାରିକ୍ ଓ କେନ୍ଦୁଝରସ୍ଥିତ ନିର୍ମଳା କନ୍ଭେଣ୍ଟର ଆଶୁତୋଷ ଦେବପ୍ରିୟମ୍ ନାୟକ। ସମସ୍ତ ୪ଜଣ ଯାକ ପରୀକ୍ଷାର୍ଥୀ ୯୯.୨୦% ମାର୍କ ରଖିଛନ୍ତି। ଅନୁସୂଚିତ ଜାତି ବର୍ଗର ୫୫୪ ଓ ଅନୁସୂଚିତ ଜନଜାତି ବର୍ଗର ୮୭୨ ଜଣ ପରୀକ୍ଷାର୍ଥୀ ସଫଳତାର ସହ ପାସ୍ କରିଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗର ସମସ୍ତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।
ଦେଶର ୨୫୩୫ ବିଦ୍ୟାଳୟର ୨ ଲକ୍ଷ ୩୧ ହଜାର ୬୩ ଜଣ ଜଣ ପରୀକ୍ଷା ଦେଇଥିବା ବେଳେ ୯୯.୯୭% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ପାସ୍ହାର ୯୯.୯୭% ଓ ଛାତ୍ରୀଙ୍କ ପାସ୍ହାର ୯୯.୯୮% ରହିଛି। ଆଇସିଏସ୍ଇ ପଶ୍ଚିମ ଓ ଦକ୍ଷିଣାଞ୍ଚଳ ଜୋନ୍ର ପାସ୍ହାର ୯୯.୯୯%, ଉତ୍ତରାଞ୍ଚଳର ୯୯.୯୮%, ପୂର୍ବାଞ୍ଚଳର ୯୯.୯୬% ଓ ବିଦେଶରେ ପାସ୍ହାର ୯୯.୫୦% ହୋଇଛି। ଅନୁସୂଚିତ ଜାତିର ୧୨ ହଜାର ୯୮୦ ଓ ଅନୁସୂଚିତ ଜନଜାତିର ୭,୯୭୫ଜଣ ପାସ୍ କରିଛନ୍ତି। ଦେଶର ଟପ୍ ୩ ତାଲିକାରେ ୧୧୦ ଜଣ ରହିଛନ୍ତି। ଟପ୍ର ତାଲିକାରେ ପୁନେସ୍ଥିତ ସେଣ୍ଟ ମାରି ସ୍କୁଲର ହାରୁନ୍ କୌର ମାଥୁର, କାନପୁରସ୍ଥିତ ସିଲିଂ ହାଇସ୍ ସ୍କୁଲର ଅନିକା ଗୁପ୍ତା, ବଲରାମପୁରସ୍ଥିତ ଜିସସ୍ ଆଣ୍ଡ୍ ମାରି ସ୍କୁଲ ଆଣ୍ଡ କଲେଜର ପୁଷ୍କର ତ୍ରିପାଠୀ, ଲକ୍ଷ୍ନୋସ୍ଥିତ ସିଟି ମଣ୍ଟେଶ୍ବରି ସ୍କୁଲର କନିସ୍କ ମିତ୍ତଲ୍ ରହିଛନ୍ତି। ସମସ୍ତ ୪ ଜଣ ପରୀକ୍ଷାର୍ଥୀ ୯୯.୮୦% ମାର୍କ ରଖିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Presentation1-1-1.jpg)