ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷାଫଳ: ପରୀକ୍ଷା ନଦେଇ ୯୭.୮୬% ପାସ୍

୯୦%ରୁ ଅଧିକ ନମ୍ବର ରଖିଛନ୍ତି ୨୬୫୬ ଜଣ
୬୬% ସ୍କୁଲରେ ସମସ୍ତେ ପାସ୍
ଜଗତସିଂହପୁରରେ ପାସ୍ ହାର ସର୍ବାଧିକ, ବଲାଙ୍ଗୀରରେ ସର୍ବନିମ୍ନ
ଅସନ୍ତୁଷ୍ଟ ଥିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ସୁଯୋଗ; ଜୁଲାଇ ୫ରୁ ଫର୍ମପୂରଣ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଧ୍ୟମିକ ପରୀକ୍ଷାଫଳ ଶୁକ୍ରବାର ଅପରାହ୍ଣରେ ପ୍ରକାଶ ପାଇଛି। ବିନା ପରୀକ୍ଷାରେ ପ୍ରକାଶ ପାଇଥିବା ଏହି ପରୀକ୍ଷାଫଳ ସବୁ କ୍ଷେତ୍ରରେ ରେକର୍ଡ କରିଛି। ପରୀକ୍ଷାରେ ପାସ୍ ହାର ୯୭.୮୯ ପ୍ରତିଶତ ରହିଛି। ୯୦ ପ୍ରତିଶତ ଏମିତିକି ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପୂର୍ବ ବର୍ଷ ମାନଙ୍କ ତୁଳନାରେ ଦୁଇ ଗୁଣ ଅଧିକ ଛାତ୍ରଛାତ୍ରୀ ଏ ବର୍ଷ ପାସ୍ କରିଛନ୍ତି।

କରୋନା ମହାମାରୀ ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ ହେବା ପରେ ବୋର୍ଡ ପକ୍ଷରୁ ବିକଳ୍ପ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇ ଫଳପ୍ରକାଶ କରାଯାଇଛି। ପରୀକ୍ଷାଫଳ ସଂପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୋର୍ଡ କାର୍ଯ୍ୟାଳୟରେ ସୂଚନା ଦେଇଥିଲେ। ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଚଳିତ ବ‌ର୍ଷ ମାଟ୍ରିକ୍ (ରେଗୁଲାର)ରେ ୮୯୩୪ଟି ସ୍କୁଲର ମୋଟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥ‌ିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ୍ କରିଛନ୍ତି।

ଏଥିରୁ ଏ-୧ ଗ୍ରେଡ୍‌ (୯୦ ପ୍ରତିଶତରୁ ଅଧିକ)ରେ ୨୬୫୬ଜଣ, ଏ-୨ ଗ୍ରେଡ୍‌ (୮୦ -୮୯ ପ୍ରତିଶତ)ରେ ୨୨୧୩୧ଜଣ, ବି-୧ ଗ୍ରେଡ୍‌ (୭୦-୭୯ ପ୍ରତିଶତ)ରେ ୫୨୨୨୯ ଜଣ, ବି-୨(୬୦-୬୯ ପ୍ରତିଶତ) ରେ ୯୪୪୭୫ ଜଣ, ସି ଗ୍ରେଡ୍‌ (୫୦-୫୯ ପ୍ରତିଶତ)ରେ ୧୩୭୦୧୪ ଜଣ, ଡି ଗ୍ରେଡ୍‌ (୪୦-୪୯ ପ୍ରତିଶତ)ରେ ୧୫୧୬୩୯ ଜଣ, ଇ-ଗ୍ରେଡ୍‌ (୩୩ରୁ ୩୯ ପ୍ରତିଶତ)ରେ ୧୦୧୭୯୬ ଜଣ ପାସ୍ କରିଛନ୍ତି। ୪୪୧୨ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଅର୍ଥାତ ପରୀକ୍ଷାଫଳ ପ୍ରକାଶନ ପାଇଁ ନବମର ଦୁଇଟି ଓ ଦଶମର ୩ଟି ପରୀକ୍ଷାକୁ ଆଧାର କରାଯାଇଥିବା ବେଳେ ସେହି ୫ଟି ପରୀକ୍ଷା ମଧ୍ୟରୁ ଏମାନେ କୌଣସି ପରୀକ୍ଷା ଦେଇ ନାହାନ୍ତି। ସେହିପରି ମାଟ୍ରିକ୍(ଏକ୍ସରୋଗୁଲାର)ରେ ୭୨୭୧ ବିଦ୍ୟାଳୟର ୫୩୨୭୯ଜଣ ଫର୍ମପୂରଣ କରିଥିବା ବେ‌ଳେ ୧୮୧୦ଜଣ ଅନୁପସ୍ଥିତ ଥିବା ବେଳେ ୪୭ ହଜାର ୬୦ଜଣ ପାସ୍ କରିଛନ୍ତି। ପାସ୍ ହାର ୮୮.୩୩ ପ୍ରତିଶତ ରହିଛି। ସେମାନଙ୍କ ମଧ୍ୟରୁ ଏ-୧ରେ କେହି ପାସ୍ କରିନଥିବା ‌ବେଳେ ଏ-୨ରେ ୨ଜଣ, ବି-୧ରେ ୨ଜଣ, ବି-୨ରେ ୨୨ଜଣ, ସି-ଗ୍ରେଡ୍‌ରେ ୩୧ଜଣ, ଡି ରେ ୨୩୬ ଜଣ, ଇ-ରେ ୪୬୭୦୦ ଜଣ ପାସ କରିଛନ୍ତି। ପତ୍ରବିନିମୟ ଏକ୍ସ-ରେଗୁଲାରରେ ୨୬୦ଜଣ ଫର୍ମପୂରଣ କରିଥିବା ବେଳେ ୨୨୯ଜଣ ପାସ୍ କରିଛନ୍ତି। ପାସ୍ ହାର ରହିଛି ୮୮.୦୮ପ୍ରତିଶତ।

ସେହିପରି ଚଳିତ ବର୍ଷ ଶହେ ପ୍ରତିଶତ ପାସ୍ କରିଥିବା ବିଦ୍ୟାଳୟ ସଂଖ୍ୟା ମଧ୍ୟ ପୂର୍ବ ବର୍ଷମାନଙ୍କ ତୁଳନାରେ ୮ ଗୁଣରେ ଅଧିକ ବଢି ଯାଇଛି। ୮୯୩୪ଟି ସ୍କୁଲରୁ ୫୯୪୬ଟି ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି। ଅର୍ଥାତ ଚଳିତ ବର୍ଷ ୬୬ ପ୍ରତିଶତ ସ୍କୁଲରେ ସମସ୍ତେ ପାସ୍ କରିଛନ୍ତି। ଆଦୌ ପିଲା ପାସ୍ କରି ନଥିବା ସ୍କୁଲ ନାମ ଏଥର ତାଲିକାରେ ନାହିଁ। ଗଂଜାମ ଜିଲ୍ଲାରେ ସର୍ବାଧିକ ୩୭୫ ଜଣ ଏ-୧ ଗ୍ରେଡରେ ପାସ୍ କରିଥିବା ବେଳେ ବାଲେଶ୍ବରରେ ୩୪୯, ଖୋର୍ଦ୍ଧାରେ ୩୦୦ ଏବଂ କଟକରେ ୨୭୦ ଜଣ ଏ-୧ରେ ପାସ୍ କରିଛନ୍ତି। ନୂଆପଡାରେ ସବୁଠୁ କମ୍ ୨ ଜଣ ଏ-୧ ଗ୍ରେଡ୍ ପାଇଛନ୍ତି। ପାସ୍ ପ୍ରତିଶତରେ ଜଗତସିଂହପୁର (୯୯.୦୯ ପ୍ରତିଶତ) ସବୁଠୁ ଆଗରେ ଥିବା ବେଳେ ପରକୁ ପର ଯାଜପୁର (୯୯.୦୨ ପ୍ରତିଶତ) ଓ କେନ୍ଦ୍ରାପଡ଼ା (୯୮.୯୨ ପ୍ରତିଶତ) ରହିଛନ୍ତି। ‌‌ବଲାଙ୍ଗୀରରେ ସର୍ବନିମ୍ନ ପାସ୍ ହାର ୯୪.୮୭ ପ୍ରତିଶତ ରହିଛି।

ପରୀକ୍ଷାଫଳ ପ୍ରକାଶନ ସମୟରେ ମନ୍ତ୍ରୀ ସମୀର ଦାଶଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ବୋର୍ଡ ସଭାପତି ରାମାଶିଷ ହାଜରା, ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି, ସଂପାଦକ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

ମଧ୍ୟମାରେ ୯୮.୦୭ ପ୍ରତିଶତ ପାସ୍‌
ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମଧ୍ୟମା ପରୀକ୍ଷା ପାଇଁ ୪୭୧୩ ଜଣ ଫର୍ମ ପୂରଣ କରିଥିବା ବେଳେ ୪୬୨୨ଜଣ ପାସ୍ କରିଛନ୍ତି। ପାସ୍‌ହାର ରହିଛି ୯୮.୦୭ ପ୍ରତିଶତ। ଏ-୧ଗ୍ରେଡ୍‌ରେ କେହି ପାସ୍‌ କରିନଥିବା ବେଳେ ଏ-୨ରେ ୪୧ଜଣ, ବି-୧ରେ ୬୫୫ଜଣ, ବି-୧ରେ ୧୮୩୧ଜଣ, ସି-ରେ ୧୩୫୭ଜଣ, ଡି ଗ୍ରେଡ୍‌ରେ ୫୬୫ଜଣ, ଇ-ଗ୍ରେଡ୍‌ରେ ୧୬୯ଜଣ ପାସ୍ କରିଥିବା ବେଳେ ୪ ଜଣଙ୍କର କମ୍ପାର୍ଟମେଣ୍ଟାଲ୍ ରହିଛି।

ସେହିପରି ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ପାଇଁ ୧୨୨୮୫ ଜଣ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୬୮୧୨ଜଣ (ଫ୍ରେସ୍‌) ଓ ୪୫୭୩ ଜଣ(ବ୍ୟାକ୍‌) ପରୀକ୍ଷାର୍ଥୀ ରହିଥିଲେ। ଫ୍ରେସ୍‌ ପରୀକ୍ଷାର୍ଥୀଙ୍କର ମୂଲ୍ୟାୟନ ହୋଇନଥିବା ବେଳେ ବ୍ୟାକ୍‌ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭୫୨ ଜଣ ପାସ୍ କରିଛନ୍ତି। ଏ-୧ ଗ୍ରେଡ୍‌ରେ କେହି ପାସ୍ କରିନଥିବା ବେଳେ ଏ-୨ରେ ଜଣେ, ବି-୧ରେ ୧୦ଜଣ, ବି-୨ରେ ୨୦ଜଣ, ସି-ରେ ୭୨ଜଣ, ଡି-ରେ ୪୪୬ଜଣ, ଇ-ଗ୍ରେଡ୍‌ରେ ୪୨୦୩ ଜଣ ପାସ୍ କରିଛନ୍ତି।

ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଜୁଲାଇ ୫ରୁ
ବୋର୍ଡ ପକ୍ଷରୁ ପ୍ରକାଶିତ ମାଟ୍ରିକ(ରେଗୁଲାର ଓ ଏକ୍ସରେଗୁଲାର), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳକୁ ନେଇ ଯଦି କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବେ ତେବେ ସେମାନେ ଅଫଲାଇନରେ ପରୀକ୍ଷା ଦେବାର ‌ସୁଯୋଗ ପାଇବେ। ଏଥିପାଇଁ ସେମାନେ ଜୁଲାଇ ୫ ତାରିଖ ପରଠାରୁ ଫର୍ମପୂରଣର ସୁଯୋଗ ପାଇବେ। ଏହାର ସବିଶେଷ ବିବରଣୀ ବୋର୍ଡ ପକ୍ଷରୁ ଜାରି କରାଯିବ। ଅଗଷ୍ଟ ସୁଦ୍ଧା ସେମାନଙ୍କ ପରୀକ୍ଷା କରାଯାଇ ଫଳ ପ୍ରକାଶନ କରାଯିବ। ସେମାନେ ଯେଭଳି ଯୁକ୍ତ ଦୁଇରେ ନାମ ଲେଖାଇବାରେ କୌଣସି ସମସ୍ୟାରେ ନ ପଡନ୍ତି ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ପତ୍ରବିନିମୟ ରେଗୁଲାର ଓ ମୁକ୍ତ ବିଦ୍ୟାଳୟ ‌(ଫ୍ରେସ୍‌ ବ୍ୟାଚ୍‌) ଛାତ୍ରଛାତ୍ରୀଙ୍କ ପରୀକ୍ଷା ମଧ୍ୟ ଏକ ସମୟରେ କରାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର