ଅବସରପ୍ରାପ୍ତ ଆଇଏଏସ୍‌ ଉଦୟଚାନ୍ଦ ଅଗ୍ରୱାଲଙ୍କ ପରଲୋକ

ଟିଟିଲାଗଡ଼: ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଉଦୟ ଚାନ୍ଦ ଅଗ୍ରୱାଲଙ୍କ ଶୁକ୍ରବାର ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୯୨ ବର୍ଷ ବୟସ ହେଉଥିଲା। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ହୃଦ୍‌ଘାତ ହେବାରୁ ତାଙ୍କୁ ସେଠାକାର ଏକ ଘରୋଇ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ‌ବି‌ୟୋଗ ହୋଇଥିଲା। ୧୯୨୭ ମସିହା ଫେବ୍ରୁଆରି ୨୦ ତାରିଖ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ବାପା ରୁଲିରାମ ଅଗ୍ରୱାଲ ଓ ମାଅଞ୍ଚଳା ଦେବୀଙ୍କ ଓୗରସରୁ ଉଦୟ ଚାନ୍ଦ ଜନ୍ମଗ୍ରହଣ କରିଥିଲେ। ତବେ, ପିଲା ଦିନରୁ ସେ ବାପା-ମାଙ୍କୁ ହରାଇଥିଲେ। ତାଙ୍କର କାକା ତାରାଚାନ୍ଦ ଅଗ୍ରୱାଲ ଓ ଖୁଡ଼ି କମଳିଦେବୀ ତାଙ୍କର ଲାଳନପାଳନ କରିଥିଲେ। ଟିଟିଲାଗଗଡ଼ରୁ ତାଙ୍କର ପ୍ରଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ରେଭେନ୍ସା କଲେଜରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଅହ୍ଲାବାଦ ବିଶ୍ବବିଦ୍ୟାଳୟରେ ଆଇନ ଏବଂ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ‌ରେ ଅଧ୍ୟୟନ କରିଥିଲେ।

ପଶ୍ଚିମ ଓଡ଼ିଶାର ଦ୍ବିତୀୟ ବ୍ୟକ୍ତି ଭାବରେ ସେ ୧୯୫୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପ୍ରଥମେ ଗଂଜାମ ଜିଲ୍ଲାର ଛତ୍ରପୁର ଏସଡିଓ ଭାବରେ ନିଯୁକ୍ତି ପାଇଥିଲେ। ସ୍ବର୍ଗତ ଅଗ୍ରୱାଲ ସ୍ବାସ୍ଥ୍ୟ ଓ ଆରଡି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ସଚିବ ଭାବରେ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ। କେନ୍ଦ୍ରୀୟ ଡେପୁଟେସନରେ ଯାଇ ସେଠାରେ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟକରିଥିଲେ। ଗୃହ ବିଭାଗ (ପର୍ସୋନାଲ) ସଚିବ ଏବଂ ‌ସେଣ୍ଟ୍ରାଲ ଭିଜିଲାନ୍ସ କମିସନର ଭାବରେ କରିଥିଲେ। ତତ୍‌କାଳୀନ ପ୍ରଧାନ ମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧିଙ୍କ ସମୟରେ ପିଏମ୍‌ଓରେ ମଧ୍ୟ ସ୍ବର୍ଗତ ଅଗ୍ରୱାଲ ସୁଚାରୁ ରୂପେ ଦାୟିତ୍ବ ତୁଲାଇଥିଲେ। ସ୍ବର୍ଗତ ଅଗ୍ରୱାଲ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦାୟିତରେ ମଧ୍ୟ ରହିଥିଲେ। ବିଶ୍ବବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପତ୍ନୀ କସ୍ତୁରୀ ଦେବୀଙ୍କ ପୁର୍ବରୁ ପରଲୋକ ହୋଇଛି। ତାଙ୍କ ୨ ପୁଅ ଓ ଝିଅ, ନାତିନାତୁଣୀ ଅଛନ୍ତି। ତାଙ୍କ ବଡ଼ପୁଅ ଓମପ୍ରକାଶ ଓ ବୋହୂ ମଧ୍ୟ ଭାରତୀୟ ପ୍ରଶାସନିକ ସେବାରେ ଉଚ୍ଚପଦାଅଧିକାରୀ ରହିଛନ୍ତି। ଶନିବାର ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଦିଲ୍ଲୀ ଲୋଧି ରୋଡସ୍ଥିତ ଶ୍ମଶାନରେ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର