କାଳିଆ ପ୍ରେମରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶେଷଦେବ

ବଲାଙ୍ଗୀର : ସେ ଭାବବିନୋଦିଆ ଠାକୁର। ସେ ଭକତ ଭାବରେ ବନ୍ଧା। ଭକ୍ତିରେ ବଶ ହେଉଥିବା ଠାକୁର ସିଏ। ତା ଡୋରିରେ ବନ୍ଧାହୋଇ ୫୫ ବର୍ଷ ହେବ କାଳିଆ ପ୍ରେମରେ ବାୟା ହୋଇଥିବା ଜଣେ ଭକ୍ତ ହେଉଛନ୍ତି ବଲାଙ୍ଗୀର ସହର କଳ‌ାମଣ୍ଡଳ ପଡ଼ାର ଶେଷଦେବ ସେଠ।

ବଲାଙ୍ଗୀର ଉତ୍କଳ ଗ୍ରାମିଣ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଶେଷଦେବଙ୍କ ଜଗନ୍ନାଥ ଭକ୍ତି ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ଚକିତ ହେବ। ଶେଷଦେବଙ୍କୁ ଯେତେବେଳେ ୧୦ ବର୍ଷ ହେଉଥିଲା, ସେତେବେଳେ ମାଟିର ରଥ ଏବଂ ମାଟିରେ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ ମୂର୍ତ୍ତି ତିଆରି କରିଥିଲେ। ତାପରେ କୁନି ଠାକୁରଙ୍କ କୁନି ରଥଯାତ୍ରା କରିଥିଲେ। ସେହିଦିନ ଠାରୁ ଜାରି ରହିଛି ଶେଷଦେବଙ୍କ କାଳିଆ ସେବା। ପୁରୀରୁ ମୂର୍ତ୍ତି ଆଣି ନିଜ ଘର ଭିତରେ ମନ୍ଦିର ତିଆରି କରିଥିଲେ। ପ୍ରତ୍ୟେକ ଦିନ ରୀତିନୀତିରେ ପୂଜାର୍ଚ୍ଚନା କରନ୍ତି ଶେଷଦେବ। ବ୍ୟାଙ୍କର ଜଣେ ଅଫିସର ପୁରୀର ହୋଇଥିବାରୁ ଚାକିରି ସମୟରେ ପୁରୀ ଯିବାର ସୁଯୋଗ ପାଉଥିଲେ। ପୁରୀରେ ଶ୍ରୀମନ୍ଦିରକୁ ଯାଇ ପ୍ରଭୁଙ୍କ ପୂଜାର୍ଚ୍ଚନା, ରୀତିନୀତି ସବୁ କିଛି ନିଜ ଆଖିରେ ଦେଖୁଥିଲେ। ତାପରେ ପୁରୀରେ ହେଉଥିବା ସବୁ ରୀତିନୀତିରେ ନିଜ ଘରେ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶେଷଦେବ।

ନିଜ ଖର୍ଚ୍ଚରେ ତିନି ଠାକୁରଙ୍କ ରୁପା ମୁକୁଟ ତଥା ସୁନା ଅଳଙ୍କାର ତିଆରି କରିଛନ୍ତି। ରଥଯାତ୍ରାରେ ନିଜେ ତିନି ଠାକୁରଙ୍କୁ ସଜାଇ ଦଶଅବତାର ମଧ୍ୟ କରାନ୍ତି। ଏହା ସହିତ ବାହୁଡ଼ା ଯାତ୍ରା ପରେ ସୁନ୍ଦର ଭାବରେ ତିନି ଠାକୁରଙ୍କୁ ସୁନାବେଶରେ ଭୂଷଣ କରାନ୍ତି। ତିନି ଠାକୁରଙ୍କ ସେବା କରନ୍ତି। ଅନେକ ଥର ସ୍ୱପ୍ନରେ ଆସି ତିନି ଠାକୁର ଶେଷଦେବଙ୍କ ସହିତ କଥାବାର୍ତ୍ତା ହେଉଥିବା ମଧ୍ୟ କୁହନ୍ତି। ସତେ ଯେମିତି ଶେଷଦେବଙ୍କ ଭକ୍ତିରେ ବନ୍ଧା ହୋଇଛନ୍ତି ତିନି ଠାକୁର। ଶେଷଦେବଙ୍କ ରଥଯାତ୍ରାରେ ପଡ଼ାର ଶହ ଶହ ଭକ୍ତ ସାମିଲ ହୁଅନ୍ତି। ଏବେ କରୋନା କଟକଣା ଥିବାରୁ ବଡ଼ ରଥ ତିଆରି କରିନାହାନ୍ତି। କିନ୍ତୁ ନିଜ ଘର ଛାତ ଉପରେ ଛୋଟ ରଥ ତିଆରି କରି ରଥଯାତ୍ରା କରୁଛନ୍ତି ଶେଷଦେବ। କୋଭିଡ କଟକଣା ଭିତରେ ଦଶଅବତାର ମଧ୍ୟ କରିଛନ୍ତି। ଶେଷଦେବଙ୍କ ଭକ୍ତିକୁ ଦେଖିଲେ ଯେକେହିବି କହିବ, ଜାତି, ଧର୍ମ, ସଂପ୍ରଦାୟ ଠାରୁ ବହୁ ଉପରେ କାଳିଆର ଭକ୍ତି।

ସମ୍ବନ୍ଧିତ ଖବର