ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ ଜେଲ୍‌, ପତ୍ନୀଙ୍କୁ ହତ୍ୟା କରି ୩ ଶହ ଖଣ୍ଡ କରିଥିଲେ

ଭୁବନେଶ୍ୱର: ପତ୍ନୀଙ୍କୁ ହତ୍ୟା କରି ୩୦୦ ଖଣ୍ଡ କରିବା ମାମଲାର ଆଜି ରାୟ ପ୍ରକାଶ ପାଇଛି। ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ତଥା ମହିଳାଙ୍କ ସ୍ବାମୀ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ ଲୋକନାଥ ମହାପାତ୍ର ଯାବତ୍‌ଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ଦୁଇଟି ଦଫାରେ ୬୦ ହଜାର ଟଙ୍କା ଜରିମାନା ଦେବା ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆହୁରି ୧ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦିଆଯାଇଛି। ତଦନ୍ତକାରୀ ଅଧିକାରୀ, ଡାକ୍ତର, ସାଇଣ୍ଟିଫିକ୍‌ ଅଫିସର୍‌ ଓ ପରିବାରବର୍ଗଙ୍କ ସମେତ ୨୪ ସାକ୍ଷୀଙ୍କ ବୟାନ ଓ ଜରୁରୀ ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ପିପି ଶରଦ ଚନ୍ଦ୍ର ସାମନ୍ତ ମାମଲା ପରିଚାଳନା କରିଥିଲେ।

ଘଟଣା ଥିଲା ଏମିତି…

ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ୨୦୧୩ ମସିହା‌‌ରେ ଘଟିଥିଲା। ସେନାରେ ଡାକ୍ତର ପଦରୁ ଅବସର ଗ୍ରହଣ କରିଥିବା କର୍ଣ୍ଣେଲ ସୋମନାଥ ପରିଡ଼ା, ପତ୍ନୀ ଉଷାଶ୍ରୀଙ୍କ ସହ ନୂଆପଲ୍ଲୀ ଆଇଆରସି ଭିଲେଜ୍‌ସ୍ଥିତ ଘରେ ରହୁଥିଲେ। ତେବେ ପାରିବାରିକ ବବାଦକୁ କେନ୍ଦ୍ର କରି ଜୁନ୍‌ ୩ ତାରିଖରେ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ କର୍ଣ୍ଣେଲ। ଘଟଣାକୁ ଲୁଚାଇବା ପାଇଁ ସେ କରତ, ଛୁରି, କଇଁଚି, ଆରି ଆଦି ଅସ୍ତ୍ରର ବ୍ୟବହାର କରି ଉଷାଶ୍ରୀଙ୍କ ଶବକୁ ୩୦୦ ଖଣ୍ଡ କରି କାଟି ଦେଇଥିଲେ। ଖାଲି ସେତିକି ନୁହେଁ, ମାଂସ ଖଣ୍ଡଗୁଡ଼ିକରେ କେମିକାଲ ଗୋଳାଇ ସେଗୁଡ଼ିକୁ ଷ୍ଟିଲ ଡବା ଓ ଦୁଇଟି ବଡ଼ ବାକ୍ସରେ ସାଇତି ରଖିଥିଲେ। ପାଖରେ କେହି ସଂପର୍କୀୟ ନଥିବାରୁ ଏହି ଘଟଣା ପଦାକୁ ବି ଆସି ନଥିଲା। ତେବେ ଦୁବାଇରେ ରହୁଥିବା କର୍ଣ୍ଣେଲଙ୍କ ଝିଅ ଲେଖା ପରିଡ଼ା ସେହି ମାସ ୨୧ ତାରିଖରେ ଫୋନ୍‌ ଯୋଗେ ମା’ଙ୍କ ସହ କଥା ହେବାକୁ ଜିଦି କରିବାରୁ କର୍ଣ୍ଣେଲ ରାଗି ଯାଇଥିଲେ। ଏହାକୁ ନେଇ ଲେଖାଙ୍କ ସନ୍ଦେହ ହୋଇଥିଲା। ଖାରବେଳନଗର‌ରେ ରହୁଥିବା ମାମୁଁ ରଂଜନଙ୍କୁ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ଲାଗି ଘରକୁ ପଠାଇଥିଲେ। ରଂଜନ ତାଙ୍କ ପୁତୁରାଙ୍କ ସହ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପହଞ୍ଚିଥିଲେ ହେଁ କର୍ଣ୍ଣେଲ ତାଙ୍କୁ ଘରେ ପୂରାଇ ଦେଇନଥିଲେ। ଘରୁ ପ୍ରବଳ ଦୁର୍ଗନ୍ଧ ଆସୁଥିବାରୁ ରଂଜନଙ୍କ ସନ୍ଦେହ ହୋଇଥିଲା। ପରେ ସେ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସର ଏକ ଟିମ୍‌ ଛାନ୍‌ଭିନ୍‌ କରିବା ପରେ ଉଷାଶ୍ରୀଙ୍କ ଖଣ୍ଡବିଖଣ୍ଡିତ ଶରୀରର ଅଂଶ ଡବାରୁ ପାଇଥିଲା। ଜୁନ୍‌ ୨୨ ତାରିଖରେ କର୍ଣ୍ଣେଲଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୨୪ରେ ପୁଲିସ ଏହି ଘଟଣାର ଚାର୍ଜସିଟ୍‌ ଦାଖଲା କରିଥିଲା। ସେବେଠାରୁ ‌କର୍ଣ୍ଣେଲ ଝାରପଡ଼ା ଜେଲ୍‌ରେ ଥିଲେ।

ସମ୍ବନ୍ଧିତ ଖବର