‘ସମ୍ବାଦ’ ପ୍ରଭାବ : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ ବିଦାହେବେ ଥଇଥାନ ହୋଇଥିବା ଅବସରପ୍ରାପ୍ତ ଠିକା କର୍ମଚାରୀ

ଆଉ ହେବନି ନବୀକରଣ, ସରକାରୀ ଗେଜେଟ୍ ନୋଟିଫିକେସନ୍‌କୁ ମୋଡ଼ିମକଚି ଆଗୁଆ ନବୀକରଣ କରିଥିଲେ କୁଳସଚିବ

ବାରିପଦା : ଶେଷରେ ରାଜ୍ୟ ସରକାରଙ୍କ ଗେଜେଟ୍ ନୋଟିଫିକେସନ୍‌କୁ ମାନିଲେ। କରୋନା ଭଳି ମହାମାରୀ ସମୟରେ ହୋଇଥିବା ସରକାରୀ ନୀତିନିୟମକୁ ମୋଡ଼ିମକଚି ଦେଇଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କାମଚଳା କୁଳସଚିବ ଶେଷରେ ନିଜ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ଏହି ବିଶ୍ୱବିଦ୍ୟାଳୟରେ ଠିକା ନିଯୁକ୍ତି ପାଇଥିବା ୫ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶେଷରେ ବିଦା ହେବାକୁ ପଡ଼ିଛି। ଏନେଇ କୁଳପତିଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୬୦୧/୨୩.୦୯.୨୦୨୦ ଅନୁସାରେ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏହି ନିଷ୍ପତି ଅନୁଯାୟୀ ସହକାରୀ ସିଓଇ ଭାବେ ନିଯୁକ୍ତି ପାଇଥିବା କେ ସି ମଲ୍ଲିକ, ମେଡିକାଲ୍ ଅଫିସର୍ ଡ. ପି ଏସ ଜେନା, ବରିଷ୍ଠ ସହକାରୀ ଆର୍ ସି ନନ୍ଦି, ଅନ୍ତରୀଣ ଅଡିଟର୍ ଏସ୍ କେ ପାତ୍ରଙ୍କ ସମେତ ଆଗୁଆ ନବୀକରଣ ହୋଇଥିବା ଗଜେନ୍ଦ୍ର ପ୍ରସାଦ ଦାସଙ୍କୁ ସେମାନଙ୍କ ନିଯୁକ୍ତିରୁ ଅବ୍ୟାହତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟଯେ ଉପରୋକ୍ତ ସମସ୍ତ କର୍ମଚାରୀ ଠିକା ଭାବେ ନିଯୁକ୍ତି ପାଇଥିଲେ। ଉପରୋକ୍ତ କର୍ମଚାରୀମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଚୁକ୍ତି ସମୟ ସମାପ୍ତ ହୋଇଛି ସେମାନଙ୍କୁ ଆଉ ପୁନଃନିଯୁକ୍ତି ଦିଆଯିବନାହିଁ। ଏବଂ ଯେଉଁମାନଙ୍କର ବାକି ଅଛି ସେମାନଙ୍କର ସମୟସୀମା ସରିଗଲାପରେ ଆଉ ପୁନଃନିଯୁକ୍ତି ଦିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି। ସ୍ମରଣଯୋଗ୍ୟ ଯେ, ୨୧ ନଭେମ୍ବର ୨୦୧୫ରୁ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ପରାମର୍ଶଦାତା ଭାବେ କାର୍ଯ୍ୟ କରିଆସୁଥିବା ଗଜେନ୍ଦ୍ର ପ୍ରସାଦ ଦାସଙ୍କର ଆଗାମୀ ଅକ୍ଟୋବର ମାସରେ ଚୁକ୍ତି ଶେଷ ହେବାର ଥିଲା । ମାତ୍ର ଚୁକ୍ତି ଶେଷ ହେବା ପୂର୍ବରୁ ବିଶ୍ୱବିଦ୍ୟାଳୟର କାମଚଳା କୁଳସଚିବ ଅତ୍ୟନ୍ତ ତରବରିଆ ଭାବେ ତାଙ୍କ କାର୍ଯ୍ୟକାଳକୁ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏନେଇ ‘ସମ୍ବାଦ’ରେ ଏକ ତଥ୍ୟସମ୍ବଳିତ ଖବର ପ୍ରକାଶ ପାଇଥିଲା। ଫଳରେ ବିଭିନ୍ନ ମହଲରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପଡ଼ିଥିଲା। ଫଳସ୍ୱରୂପ ଏଠାରେ ଅସ୍ଥାୟୀ ଭାବେ ବର୍ଷ ବର୍ଷ ଧରି ନିଯୁକ୍ତ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦା ହେବାକୁ ପଡ଼ିଛି।

କରୋନା ଅବସରରେ ହୋଇଥିବା ଆର୍ଥିକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି। ଏହି ଅନୁସାରେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ପଦବୀ ସୃଷ୍ଟି ସହ ନୂତନ ପରାମର୍ଶଦାତା, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । ମାତ୍ର ସରକାରୀ କଟକଣାକୁ ଖାତିର ନକରି କୁଳସଚିବ ମନ ଇଚ୍ଛା ଅବସରପ୍ରାପ୍ତ କର୍ମଚାରୀଙ୍କର ଚୁକ୍ତି ଅବଧି ଶେଷ ହେବାର ବହୁ ପୂର୍ବରୁ ପୁଣି ଥରେ ଆଗୁଆ ନବୀକରଣ କରିଥିଲେ। ଯାହାକି ଶେଷରେ ବୁମେରାଂ ହୋଇଛି। ଏବଂ ସରକାରଙ୍କ ଗେଜେଟ୍ ନୋଟିଫିକେସନ୍‌ର ଦ୍ୱାହି ଦେଇ ନିଷ୍ପତି ପରିବର୍ତ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର