ରାୟଗଡ଼ା : ଚାକିରୀ କାଳରେ ଯାହା ସଞ୍ଚୟ କରିଥିଲେ ସବୁ ଟଙ୍କାକୁ ସାହାର ଇଣ୍ଡିଆରେ ଡିପୋଜିଟ୍ କରିଥିଲେ। ଆଶା କରିଥିଲେ ଭଲ କମିଶନ୍ ସହ ମୋଟା ଅଙ୍କର ମ୍ୟାଚୁରିଟ୍ ମିଳିବ। ହେଲେ କମିଶନ୍ ତ ଦୂରର କଥା ୩ ବର୍ଷ ହେଲା ମ୍ୟାଚୁରିଟ୍ ଅର୍ଥ ବି ମିଳୁନାହିଁ। ଫଳରେ ନିଜ ଟଙ୍କା ଫେରି ପାଇବାକୁ ସଂଘର୍ଷ କରୁଛନ୍ତି ଅବସରପ୍ରାପ୍ତ କର୍ମଚାରୀ ମଧୁସୂଦନ ପାଣିଗ୍ରାହୀ। ରାୟଗଡ଼ାରୁ ଆରମ୍ଭ କରି ବଲାଙ୍ଗୀର, ସମ୍ବଲପୁର, ଭୁବନେଶ୍ବର ପର୍ଯ୍ୟନ୍ତ ସବୁ ଅଫିସକୁ ଦୌଡି ଦୌଡି ନିରାଶ ହେବା ଛଡା କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ମଧୁସୂଦନ।
ରାୟଗଡ଼ା ସହରର ଡିଏଫଓ କଲୋନିରେ ରହୁଛନ୍ତି ମଧୁସୂଦନ ପାଣିଗ୍ରାହୀ। ରାଜସ୍ବ ନୀରିକ୍ଷକ ଭାବେ ଚାକିରୀ କରୁଥିବା ମଧୁସୂଦନ ୨୦୧୮ରେ ଅବସର ଗ୍ରହଣ କରିଥିଲେ। ଚାକିରୀ କରୁଥିବା ସମୟରେ ସାହାର ଇଣ୍ଡିଆରେ ଡିପୋଜିଟ୍ କରିଥିବା ଟଙ୍କାର ମ୍ୟାଚୁରିଟ୍ ମିଳିବାରେ ବିଳମ୍ବ ଯୋଗୁ ରି-ଇନଭେଷ୍ଟମେଣ୍ଟ୍ କରିବାକୁ ସାହାର କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ। ଏଥି ସହିତ ନିଜ ନାଁରେ ଏଜେଣ୍ଟ୍ କୋର୍ଡ ଖୋଲି ଟଙ୍କା ଡିପୋଜିଟ୍ କଲେ କମିଶନ୍ ବାବଦକୁ ଲକ୍ଷାଧିକ ମିଳିବ ବୋଲି ପରାମର୍ଶ ଦେଇଥିଲେ। ୮୦ ହଜାର ଟଙ୍କାର କମିଶନ୍ ଆଶାରେ ମଧୁସୂଦନ ପୂର୍ବ ମ୍ୟାଚୁରିଟ୍ ବାବଦକୁ ମିଳିନଥିବା ୭ ଲକ୍ଷ ଟଙ୍କା ସମେତ ବଳକା ଅର୍ଥକୁ ମିଶାଇ ୪୪ ଲକ୍ଷ ୬୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ। ଟଙ୍କା ଡିପୋଜିଟ୍ ପରେ କିଛି କମିଶନ୍ ପାଇଥିବା ବେଳେ ଏବେ ଆଉ କମିଶନ୍ ପାଉନାହାନ୍ତି ମଧୁସୂଦନ।
ଜମା ପରେ କମିଶନ୍ ବାବଦକୁ ୩ କିସ୍ତିରେ ୨୦୧୯ ଅକ୍ଟୋବର ୨୫ରେ ୬ ହଜାର ୬ ଶହ ଟଙ୍କା, ୨୦୨୦ ଜାନୁଆରୀ ୨୮ରେ ୬ ହଜାର ୬ ଶହ ଟଙ୍କା, ୨୦୨୦ ଫେବ୍ରୁଆରୀ ୧୮ ରେ ୬ ହଜାର ୬ ଶହ ମୋଟ ୧୯ ହଜାର ୮ ଶହ ଟଙ୍କା ପାଇଛନ୍ତି। ବଳକା ୬୦ ହଜାର ୨ ଶହ ଟଙ୍କାର କମିଶନ୍ ପାଇଁ ମଧୁସୂଦନ ବାରମ୍ବାର ଅଫିସ୍କୁ ଯାଇଛନ୍ତି। ହେଲେ ଦାୟିତ୍ବରେ ଥିବା ଅଧିକାରୀ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇ ଚାଲିଛନ୍ତି। ଏପରିକି ରାୟଗଡ଼ା ଶାଖାର କିଛି କର୍ମଚାରୀ ଜାଲ୍ କାଗଜପତ୍ର କରି କମିଶନ ଟଙ୍କା ହଡପ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ମଧୁସୂଦନ। ଟଙ୍କା ଡିପୋଜିଟ୍ ସମୟରେ ସିନିୟର୍ ଭାବେ ଶାନ୍ତୁନୁ ଚୌଧୁରୀଙ୍କୁ ରଖିବା ପାଇଁ ମଧୁସୂଦନ କହିଥିବା ବେଳେ କର୍ତ୍ତୃପକ୍ଷ ସମୀର ନାୟକ ନାମକ ଜଣେ ଅଧିକାରୀଙ୍କୁ ରଖି କମିଶନ୍ ଟଙ୍କା ହଡପ କରିଛନ୍ତି। ମଧୁସୂଦନଙ୍କ କମିଶନ୍ ଅର୍ଥ ଓ ମ୍ୟାଚୁରିଟ୍ ଅର୍ଥ ମିଳିବାରେ ହେଉଥିବା ବିଳମ୍ବକୁ ସ୍ବୀକାର କରିଛନ୍ତି ସାହାର ଇଣ୍ଡିଆ କର୍ତ୍ତୃପକ୍ଷ। ବର୍ତ୍ତମାନ୍ କଲେକ୍ସନ୍ ହେଉନଥିବାରୁ ରି-ଇନଭେଷ୍ଟମେଣ୍ଟ କମିଶନ ଦିଆଯାଇପାରୁନି, କମିଶନ୍ ଦେବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ରାୟଗଡ଼ା ଶାଖା ପରିଚାଳକ ରାଜୀବ ରାହୁଲ।