ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ୍‌

ଭୁବନେଶ୍ୱର : କରୋନା କ‌ଟକଣା ‌ସତ୍ତ୍ବେ ରାଜ୍ୟର କେତେକ ସରକାରୀ ବିଶ୍ବବିଦ୍ୟାଳୟ ମନଇଚ୍ଛ‌ା ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ନୂତନ ସାମଗ୍ରୀ କିଣୁଛନ୍ତି, କୋଠା ମରାମତି ଲାଗି ଟେଣ୍ଡର ଆହ୍ବାନ କରୁଛନ୍ତି, ଅବସରପ୍ରାପ୍ତ କର୍ମଚାରୀ ତଥା ନିଜର ଅନୁଗତଙ୍କୁ ବି ଉଚ୍ଚ ପଦପଦବିରେ ଥଇଥାନ କରିବାକୁ ଲାଗିପଡ଼ିଛନ୍ତି। ଏନେଇ ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ୍‌ ଲାଗିଛି। ଅତ୍ୟନ୍ତ ଆବଶ୍ୟକ ନ ଥିଲେ କୋଠା ମରାମତି ନ କରିବାକୁ କୁହାଯାଇଛି। ଏଥିସହ ଯେଉଁ କାମ ପାଇଁ ଟେଣ୍ଡର ହୋଇଛି ତାହାର ସମୀକ୍ଷା କରି ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଉପ ସଚିବ ମୀତାରାଣୀ ବିଶ୍ବାଳ ଉଚ୍ଚଶିକ୍ଷା ନିର୍ଦେଶକ, ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳସଚିବ, ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।

ବିଶ୍ବବିଦ୍ୟାଳୟକୁ ଲାଗୁ ହେଲା ଆର୍ଥିକ କଟକଣା
ଅତ୍ୟାବଶ୍ୟକ ନ ହେଲେ ମରାମତି ହେବନି କୋଠା
ଟେଣ୍ଡରର ସମୀକ୍ଷା କରିବାକୁ ନିର୍ଦେଶ

ଅର୍ଥ ବିଭାଗ ନିର୍ଦେଶକୁ ଆଧ‌ାର କରି ଶ୍ରୀମତୀ ବିଶ୍ବାଳ ‌କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ଯାଏ ନୂଆ ପଦବି ସୃଷ୍ଟି କରାଯିବ ନାହିଁ। ନୂତନ ପରାମର୍ଶଦାତା, ଅବସରପ୍ର‌ାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ନାହିଁ। କୌଣସି ନୂଆ ଯୋଜନା କିମ୍ବା ପ୍ରକଳ୍ପ କାର୍ଯ୍ୟକାରୀ ହେବ ନାହିଁ। ଅଫିସ୍‌, ଗେଷ୍ଟ ହାଉସ, ସରକାରୀ ବିଲ୍‌ଡିଂର ପୁନରୁଦ୍ଧ‌ାର ଲାଗି ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ଅନୁମତି ମିଳିବ ନାହିଁ। ନୂତନ ପ୍ରତିମୂର୍ତ୍ତି ନିର୍ମାଣ, ପାର୍କର ସୌନ୍ଦର୍ଯ୍ୟ ବୃଦ୍ଧି ଆଦିଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। କୌଣସି ସାମଗ୍ରୀ, କାମ ଲାଗି ନୂତନ ଟେଣ୍ଡର ନ କରିବାକୁ କୁହାଯାଇଛି। ଯଦି କୌଣସି ଟେଣ୍ଡର ପ୍ରକ୍ରିୟା ଚାଲିଥିବ ତେବେ ତାହାର ସମୀକ୍ଷା କରି ଏବେ ଜରୁରୀ ଆବଶ୍ୟକତା ନ ଥିଲେ ବାତିଲ୍‌ କରାଯିବ। ଦୁଇ ବର୍ଷ ଲାଗି ନୂତନ ଅଫିସ୍‌ ବିଲଡିଂ, ଗେଷ୍ଟ ହାଉସ୍‌ ଓ ଆବାସିକ ବିଲ୍‌ଡିଂ ଟେଣ୍ଡର ବାତିଲ୍‌ କରିବାକୁ କୁହାଯାଇଛି।

dhe odisha

ସେହିପରି ଆସନ୍ତା ଦୁଇ ବର୍ଷ ଲାଗି ବିଶ୍ବବିଦ୍ୟାଳୟଗୁଡ଼ିକ କୌଣସି ନୂଆ ଗାଡ଼ି କିଣିପାରିବେ ନାହିଁ। ସରକାରୀ ବାବୁଙ୍କ ବିଦେଶ ଗସ୍ତକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଥିସହ ସରକାରୀ ଅର୍ଥରେ ବିମାନର ବିଜିନେସ୍‍ କ୍ଲାସରେ ଯିବା ପାଇଁ ବାରଣ ହୋଇଛି। ବିମାନ ଯାତ୍ରା ବଦଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗଦେଇ ପାରିବେ। ପ୍ରଥମ ଶ୍ରେଣୀ ରେଳଯାତ୍ରାକୁ ବି ବାରଣ କରାଯାଇଛି। ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇ ଯାଉଥିଲେ ବାବୁମାନେ ହୋଟେଲରେ ରହିପାରିବେ ନାହିଁ। ବରଂ ସେଠାରେ ଥିବା ସରକାରୀ ଭବନ ବା ନିବାସରେ ରହିବେ। ସରକାରୀ ଖର୍ଚ୍ଚରେ ବୈଠକ, ଆଲୋଚନାଚକ୍ର, କର୍ମଶାଳା, ହଷ୍ଟେଲରେ ମଧ୍ୟାହ୍ନଭୋଜନ ଓ ରାତ୍ରୀ ଖାଦ୍ୟ ଆଦି ବି ବନ୍ଦ କରାଯାଇଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ ଓ ସମ୍ମିଳନୀର ଆୟୋଜନ କରାଯାଇପାରିବ। କାର୍ଯ୍ୟାଳୟରେ ପେପର ଓ ଅନ୍ୟାନ୍ୟ ଷ୍ଟେସନାରି ସାମଗ୍ରୀ ବ୍ୟବହାର ବଦଳରେ ଇଲେକ୍ଟୋନିକ୍‌ ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। କରୋନା ପାଇଁ ଗତ ୩ ମାସ ହେଲା ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଏକରକମ ଠପ୍ ହୋଇଯାଇଥିବାରୁ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଗତ ଜୁଲାଇ ୭ରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ସବୁ ବିଭାଗକୁ ଲେଖିଥିବା ଚିଠିକୁ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ବବିଦ୍ୟାଳୟ, ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟରେ ଲାଗୁ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର