ଭୁବନେଶ୍ବର : ଓଡ଼ିଶା ଏବେ ନେତୃତ୍ବ ସଂକଟ ଦେଇ ଗତି କରୁଛି। ରାଜ୍ୟରେ କୌଣସି ସଂଗଠନ କିମ୍ବା ଆନ୍ଦୋଳନ ସଫଳ ହୋଇପାରୁ ନାହିଁ। ଶିକ୍ଷକ, କୃଷକ ଓ ଶ୍ରମିକ ସଂଗଠନର ନେତୃତ୍ବରେ ଦ୍ବନ୍ଦ୍ବ ରହିଥିବାରୁ ସେମାନେ ତିଷ୍ଠି ପାରୁ ନାହାନ୍ତି। ଗତ ୫୦ବର୍ଷ ଭିତରେ କେବଳ ଛାତ୍ର ଆନ୍ଦୋଳନ ହିଁ କିଛିଟା ସଫଳତା ହାସଲ କରିପାରିଛି। ତେଣୁ ଅନୁଷ୍ଠାନ କିପରି ପ୍ରଭାବଶାଳୀ ହେବ ଏଥିପାଇଁ ଚିନ୍ତା କରିବା ଦରକାର। ଅବସରଗ୍ରହଣ କରିଥିବା ଶିକ୍ଷକମାନେ ନିଜର ଦୀର୍ଘଦିନର ଶିକ୍ଷାଦାନର ଅନୁଭବକୁ ବିନିଯୋଗ କରିବାକୁ ଆରମ୍ଭ କଲେ ତାହା ସମାଜ ପାଇଁ ଫଳପ୍ରଦ ହୋଇପାରିବ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।
ଆଜି ରେଡକ୍ରସ୍ ଭବନରେ ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ସଂଘର ସାଧାରଣ ଅଧିବେଶନରେ ସଂଘର ସଭାପତି କମଳା ପ୍ରସାଦ ମହାପାତ୍ର ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଏହି ସଂଗଠନକୁ ମଜଭୁତ କରିବାକୁ ହେଲେ ସଂଘର ପାଣ୍ଠିକୁ ଅର୍ଥର ବ୍ୟବସ୍ଥା କରିବାକୁ ହେବ। ସଂଘର କର୍ମକର୍ତାମାନେ ନିଜ ପେନସନର ୧% ପ୍ରତିଶତ ଅର୍ଥ ପ୍ରତିମାସରେ ପ୍ରଦାନ କଲେ ସଂଗଠନ ଭବିଷ୍ୟତରେ କେବେ ଭାଙ୍ଗିବ ନାହିଁ। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏଥିରେ କିଭଳି ସୁଧାର ଆସିପାରିବ ଶିକ୍ଷକମାନେ ତାହାର ପ୍ରସ୍ତାବ ଦେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସଂଘର ବରିଷ୍ଠ ଉପଦେଷ୍ଟା ପ୍ରଫେସର ଏମ୍.ଫକିରୁଦ୍ଦିନ୍ କହିଲେ, ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ସମାଜରେ କିଭଳି ବିନିଯୋଗ କରାଯାଇ ପାରିବ ଏଥିପାଇଁ ଆଲୋଚନା ହେବା ଦରକାର। କେବଳ ଶ୍ରେଣୀଗୃହକୁ ବାତାନୁକୂଳିତ କରିଦେଲେ ଶିକ୍ଷାଦାନର ମାନରେ ବୃଦ୍ଧି ହେବ ନାହିଁ ବୋଲି ସେ କହିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶୁକଦେବ ନନ୍ଦ କହିଲେ, ଶିକ୍ଷକମାନେ ହେଉଛି ପୂର୍ଣ୍ଣକାଳୀନ ଜ୍ଞାନକର୍ମୀ। ଅବସର ପରେ ମଧ୍ୟ ସେମାନେ ପଢ଼ାପଢ଼ିରେ ବ୍ୟସ୍ତ ରହିଥାନ୍ତି। ତେବେ ଜ୍ଞାନକୁ ନ ବାଣ୍ଟିଲେ ତାହାର କିଛି ମୂଲ୍ୟ ନାହିଁ ବୋଲି ପ୍ରଫେସର ନନ୍ଦ କହିଥିଲେ। ସଭାପତି ଶ୍ରୀ ମହାପାତ୍ର କହିଲେ, ୟୁପିଏସ୍ସି ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବାରେ ବିଫଳ ହେଉଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ପାଠ୍ୟକ୍ରମରେ ପରିବର୍ତନ ସହିତ ଶିକ୍ଷକମାନଙ୍କୁ ବିଭିନ୍ନ ରିଫ୍ରେସର କୋର୍ସ ଦେବାର ଆବଶ୍ୟକତା ରହିଛି। ପ୍ରାରମ୍ଭରେ ପ୍ରଫେସର ଅମୂଲ୍ୟ ପଣ୍ଡା ସ୍ବାଗତ ଭାଷଣ ଦେଇଥିବାବେଳେ ଶେଷରେ ସଂଘର ସାଧାରଣ ସଂପାଦକ ରବି ନାରାୟଣ ପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/retired-college-teachers-association-conference.jpg)