କୁମ୍ଭମେଳାରୁ ଫେରି ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକଙ୍କ ମୃତ୍ୟୁ

ପାଖ ମାଡ଼ିଲେନି ସମ୍ପର୍କୀୟ, ଦାହ ସଂସ୍କାର କଲା ପ୍ରଶାସନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ହାଇସ୍କୁଲର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୁନୀଲ ଦାଶ (୬୫)ଙ୍କ ଶନିବାର ରାତିରେ ପରଲୋକ ହୋଇଛି। ସେ କୁମ୍ଭମେଳାରୁ ଫେରିଥିବାରୁ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରି କେହି କାନ୍ଧ ଦେଇ ନଥିଲେ। ସ୍ବର୍ଗତ ଦାଶ ଉତ୍ତରାଖଣ୍ଡ କୁମ୍ଭମେଳାରୁ ବ୍ରହ୍ମପୁର ଦେଇ ଗତ ୨୦ ତାରିଖରେ ଘରକୁ ଫେରିଥିଲେ। ଶନିବାର ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେ କୁମ୍ଭମେଳାରୁ ଫେରିଥିବାରୁ କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ପରିବାର କିମ୍ବା ଆତ୍ମୀୟ ସ୍ଵଜନ କେହି କାନ୍ଧ ଦେବାକୁ ଆସି ନଥିଲେ। ଫଳରେ ଦୀର୍ଘ ୧୨ଘଣ୍ଟା ଧରି ମୃତଦେହ ଘରେ ପଡ଼ି ରହିରହିଥିଲା।

ଖବର ପାଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ଏବଂ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ରୀମନ୍ତ ସ୍ୱାଇଁ ଏକ ମେଡିକାଲ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହକୁ ଶବବାହକ ଗାଡ଼ି ସାହାଯ୍ୟରେ ସ୍ଥାନୀୟ ଶ୍ମଶାନକୁ ନେଇ ଶବ ସଂସ୍କାର କରିଥିଲେ। ଏ ଖବର ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ପ୍ରାପ୍ତ ସୂଚନା ମତେ ଉତ୍ତରାଖଣ୍ଡରେ ହେଉଥିବା କୁମ୍ଭମେଳାରେ ଯୋଗଦେଇ ରେଳରେ ଆସିବା ପୂର୍ବରୁ ସେ ନିଜ କୋଭିଡ ପରୀକ୍ଷା କରାଇଥିଲେ ଓ ରିପୋର୍ଟ ନେଗେଟିଭ ଆସିଥିଲା। ସେଠାରୁ ସେ ପ୍ରଥମେ ବ୍ରହ୍ମପୁର ସ୍ଥିତ ଗାଁକୁ ଫେରି ସେଠାରୁ ଗତ ୨୦ ତାରିଖ ଦିନ ଧଳପୁର ଆସିଥିଲେ। ହେଲେ ସେ ଧଳପୁର ଫେରିବା ପରେ ଅସୁସ୍ଥତା ଅନୁଭବ କରିବାରୁ ପୁନର୍ବାର ଗତ ୨୨ ତାରିଖରେ କୋଭିଡ ପରୀକ୍ଷା କରାଇଥିଲେ। ମାତ୍ର ଏହି ରିପୋର୍ଟ ଆସିବା ପୂର୍ବରୁ ଶନିବାର ରାତିରେ ସେ ମୃତ୍ୟୁବରଣ କରିଥିଲେ। ତେବେ,ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡ଼ିତ ଥିବା ପରିବାର ପକ୍ଷରୁ କହାଯାଇଥିଲେ ହେଁ କାଳେ କରୋନା ସଂକ୍ରମଣର ଶିକାର ହୋଇଥାଇ ପାରନ୍ତି ବୋଲି ଭୟରେ ଅନ୍ତିମ ସଂସ୍କାର କରିବାକୁ କେହି ପାଖ ମାଡ଼ିନଥିଲେ।

ସମ୍ବନ୍ଧିତ ଖବର