ସେଦିନର ଆଇଏଏସ୍‌ ଆଜି ଗାଁ ମଣିଷ

ଗାଁରେ କଟୁଛି ନିରାଡ଼ମ୍ବର ଜୀବନ
କର୍ମକାଣ୍ଡ, ବୈଦିକ ସ୍କୁଲ୍ ଖୋଲିବାକୁ ଲକ୍ଷ୍ୟ
ଅନ୍ଧବିଶ୍ବାସ ଦୂର ପାଇଁ ପ୍ରୟାସରତ

ଭଞ୍ଜନଗର : ପାଖରେ ନା ଅଛି ଗାଡ଼ି ଓ ବଡ଼କୋଠା ନା ଅଛି ମୋବାଇଲ୍। ଝରଣା ପାଣିରେ ଗାଧୁଆପାଧୁଆ। ଶୋଇବାକୁ ଚଟାଣ ଭରସା। ଦେହରେ ଖଣ୍ଡିଏ ଧୋତି ଓ କୂର୍ତ୍ତା ଏବଂ ବେକରେ ଲାଲ୍ ଗାମୁଛା। ଇଏ କୌଣସି ଗ୍ରାମାଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଅଂଶ ନୁହେଁ, ବରଂ ଜଣେ ଅବସରପ୍ରାପ୍ତ ତଥା ଭାରତୀୟ ପ୍ରାଶାସନିକ ସେବାର ଜଣେ ଅଧିକାରୀଙ୍କ ଏଭଳି ସାଦାସିଧା ଜୀବନଶୈଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ଜ‌ଣେ ନିଆରା ମଣିଷ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ କୁଲାଡ଼ ଗ୍ରାମର ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଶଙ୍କରନାରାୟଣ ପାଣିଗ୍ରାହୀ।

ଶଙ୍କରନାରାୟଣ କେନ୍ଦ୍ର ସରକ‌ାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରେ କାର୍ଯ୍ୟକରି ୨୦୧୮ ମସିହାରେ ସେ ଅବସର ନେଇଥିଲେ। ଏହାପରେ ରାଜଧାନୀ ଦିଲ୍ଲୀ ଛାଡ଼ି ନିଜ ପୈତୃକ ଗାଁ କୁଲାଡ଼ ଆସି ଅତି ସାଧାରଣ ମଣିଷ ଭଳି ଜୀବନଯାପନ କରୁଛନ୍ତି। ବର୍ତ୍ତମାନ ସେ ନିଜ ବାପାଙ୍କ ପୁରୁଣା ଘରେ ନିରାଡ଼ମ୍ବର ଜୀବନ ଜିଉଁଛନ୍ତି। ଘରେ ଗାଡ଼ିଠୁ ଆରମ୍ଭ କରି ମୋବାଇଲ୍ ପର୍ଯ୍ୟନ୍ତ କୌଣସି ପ୍ରକାର ସୌଖୀନ୍ ସାମଗ୍ରୀ ନାହିଁ। ଚାକିରି କାଳ ମଧ୍ୟରେ ବଡ଼ପଦପଦବିରେ ଅବସ୍ଥାପିତ ହୋଇଥିଲେ। ହେଲେ ତାଙ୍କ ପାଖରେ ବଡ଼ଲୋକଙ୍କ ଦେଖାଣିଆ ମନୋଭାବ କି ଅହଙ୍କାର ନାହିଁ। ପ୍ରତିଦିନ ଜଣେ ନିପଟ ମଫସଲିଆ ମଣିଷଭଳି ସେ ଜୀବନଯାପନ କରିଆସୁଛନ୍ତି। ଆଉ ଗ୍ରାମବାସୀଙ୍କ ସହ ସାଧାରଣ ଲୋକ ଭଳି ମିଶି ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି। ଆଉ ବିଭିନ୍ନ ପରାମର୍ଶ ନେଉଛନ୍ତି। ନିଜ ସଞ୍ଚିତ ଅର୍ଥରେ ଆଗାମୀ ଦିନରେ ଅଞ୍ଚଳରେ କର୍ମକାଣ୍ଡ ଏବଂ ବୈଦିକ ସ୍କୁଲ୍ ଖୋଲିବାକୁ ଶଙ୍କରନାରାୟଣ ଯୋଜନା କରିଛନ୍ତି। ଏହାସହ ଘୁମୁସର ମାଟିରୁ ପଶୁବଳିକୁ ବନ୍ଦ କରିବା, କୁଲାଡ଼ ବଡଦାଣ୍ଡ ଓ ଜଗନ୍ନାଥମନ୍ଦିରର ଜବରଦଖଲ ଜମିକୁ ଉଦ୍ଧାର କରିବା ଏବଂ ରଥଖଳାକୁ ଅସାମାସିକ ଲୋକମାନଙ୍କ ଠାରୁ ରକ୍ଷା କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ଶଙ୍କରନାରାୟଣ ଆହୁରି ମଧ୍ୟ କହିଛନ୍ତି, ପାରମ୍ପରିକ ବେଶପୋଷାକକୁ ନେଇ କେବେବି ସେ ସାଲିସ୍ କରିନାହାନ୍ତି। ଅଷ୍ଟମ ଶ୍ରେଣୀରୁ ଆରମ୍ଭ କରି ଚାକିରି କାଳ ପର୍ଯ୍ୟନ୍ତ ସେ ଧୋତି ଓ କୂର୍ତ୍ତାକୁ ପୋଷାକ ଭାବେ ଗ୍ରହଣ କରିଆସୁଥିଲେ। ଏବେବି ଏହାକୁ ପରିଧାନ କରିଆସୁଛନ୍ତି। ଏପରିକି ଗୋଟିଏ ଟିଣବାକ୍ସ୍ ଧରି ବନାରସ ଯାଇ ଓଡ଼ିଆଘାଟରେ ରହି ସେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେ ସାଧାରଣ ଜୀବନଶୈଳୀ ସହ ସାଲିସ୍ କରିନାହାନ୍ତି।

ଶଙ୍କରନାରାୟଣଙ୍କ ନିରାଡ଼ମ୍ବର ଜୀବନଶୈଳୀ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବନି।

ସମ୍ବନ୍ଧିତ ଖବର