ଅବସରପ୍ରାପ୍ତ ଯବାନଙ୍କ ଦୁର୍ଘଟଣାରେ ମୃତ୍ୟୁ

ଭବାନୀପାଟଣା: ଭବାନୀପାଟଣା ସହରର କଳାହାଣ୍ଡି କ୍ୟାରିଅର ଏକାଡେମିର ପରିଚାଳନା ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ୟାମସୁନ୍ଦର ପଣ୍ଡାଙ୍କ ଶନିବାର ଭୋରରେ ଭୁବନେଶ୍ୱର ଠାରେ ମୃତ୍ୟୁ ଘଟିଛି। ଏହି ଖବର ଜଣାପଡ଼ିବା ପରେ ଭବାନୀପାଟଣା ସହରରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ପଣ୍ଡା ଶୁକ୍ରବାର ସନ୍ଧ୍ୟାରେ ଧର୍ମଗଡ଼ରୁ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଓ ପରେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ରାତିରେ ତାଙ୍କୁ ଭୁବନେଶ୍ୱର ନିଆଯାଉଥିଲା।

ଶନିବାର ଭୋରରେ ଚିକିତ୍ସା ହେବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହକୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମରଶରୀରକୁ କଳାହାଣ୍ଡି କ୍ୟାରିଅର ଏକାଡେମିକୁ ଅଣାଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ଭବାନୀପାଟଣା ସହର ନିକଟ କଷାକେନ୍ଦୁସ୍ଥିତ ତାଙ୍କ ବାସ ଭବନକୁ ନିଆ ଯାଇଥିଲା। ତାଙ୍କ ଭାଇ ସୂର୍ଯ୍ୟ ପଣ୍ଡା ମୁଖାଗ୍ନି ଦେଇଥିଲେ।

ଶବ ଶୋଭାଯାତ୍ରାରେ ଭାଗୀରଥି ଗୃପର ମାଲିକ ପ୍ରମୋଦ ଖାମାରୀ, ଆଇନଜୀବୀ କ୍ଷୀରୋଦ ନେଗୀ, ପ୍ରଶାନ୍ତ ଠାକୁର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲଥିଲେ। ତାଙ୍କ ପୈତୃକ ଘର କଲମପୁର ବ୍ଲକର ଦେପୁର ଅଟେ। ସେନା କର୍ମଚାରୀରୁ ଅବସର ପରେ ସେ ଆମ ଓଡ଼ିଶା ଦଳ ପକ୍ଷରୁ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ିଥିଲେ। ପରେ ସେ ବିଜେଡିରେ ଯୋଗ ଦେଇଥିଲେ। କଳାହାଣ୍ଡି କ୍ୟାରିଅର ଏକାଡେ଼ମି ଜରିଆରେ ଜିଲ୍ଲାର ସ୍ଥାନୀୟ ଯୁବକମାନଙ୍କୁ ସୁରକ୍ଷା କର୍ମୀ ଓ ସୈନିକ ପ୍ରସ୍ତୁତ କରିବା ପାଇଁ ନିଶୁଳ୍କ ତାଲିମ ପ୍ରଦାନ କରୁଥିଲେ। ତାଙ୍କ ମୃତ୍ୟୁରେ ଭବାନୀପାଟଣା ସହର ଓ ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର