କେନ୍ଦ୍ରାପଡ଼ା: ବୟସ ୮୨ ଛୁଇଁଲାଣି। ଆଖିକୁ ଭଲ ଦିଶୁନାହିଁ। ଶରୀରରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼ୁଛି। ଏ ବୟସରେ କିନ୍ତୁ ସେ ସ୍ନାତକୋତ୍ତର ପାସ୍ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ମେଘପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ବିଶ୍ବାଳ ଏଭଳି ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ୨୩ ତାରିଖରେ ପ୍ରକାଶ ପାଇଥିବା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଓଡ଼ିଆ ପିଜି ପରୀକ୍ଷାଫଳରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପୂରା ପରିବାରବର୍ଗ ତାଙ୍କର ଏହି ସ୍ନାତକୋତ୍ତର ଡିଗ୍ରିକୁ ନେଇ ଖୁସି ପ୍ରକଟ କରିଛନ୍ତି। ଅନ୍ୟପଟେ ଦୀର୍ଘ ବର୍ଷର ସ୍ବପ୍ନ ସାକାର ହେଲା ବୋଲି ନିଜେ ଶ୍ରୀ ବିଶ୍ବାଳ ‘ସମ୍ବାଦ’କୁ କହିଛନ୍ତି। ୧୯୪୨, ଜୁଲାଇ ମାସରେ ମେଘପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ବିଶ୍ବାଳ ମାତ୍ର ସପ୍ତମ ଯାଏ ସ୍କୁଲରେ ପାଠ ପଢ଼ିଛନ୍ତି। ପରିବାର କହିଲେ ପତ୍ନୀ, ଦୁଇ ପୁଅ, ଦୁଇ ଝିଅ। ସମସ୍ତେ ବିବାହିତ। ନାତିନାତୁଣୀଙ୍କ ବିବାହ ଦେଖିସାରିଲେଣି ଶ୍ରୀ ବିଶ୍ବାଳ। ତାଙ୍କର ପାଠପଢ଼ା ପ୍ରତି ଥିବା ଝୁଙ୍କ୍ କିନ୍ତୁ କମିନାହିଁ। ଶ୍ରୀ ବିଶ୍ବାଳଙ୍କ କହିବାନୁଯାୟୀ ସପ୍ତମ ଶ୍ରେଣୀ ଯାଏ ପଢ଼ିବା ପରେ ଶିକ୍ଷକତା କରିଥିଲେ। ୧୯୫୯ମସିହାରେ ସମ୍ବଲପୁର ଡେଙ୍ଗସର୍ଗି ସେବାଶ୍ରମ ସ୍କୁଲ୍ରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ସେଠାରୁ ତାଙ୍କର ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍କୁ ବଦଳି ହୋଇଥିଲା। ଏଠାରେ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ଅଧୀନରେ ପରିଚାଳିତ ଏକ ସେବାଶ୍ରମ ସ୍କୁଲ୍ରେ ଶିକ୍ଷକତା କଲା ଭିତରେ ଘରୋଇ ଭାବେ ପାଠପଢ଼ି ୧୯୬୫ମସିହାରେ ମାଟ୍ରିକ୍ ପାସ୍ କରିଥିଲେ। କିଛି ଦିନ ପରେ ତାଙ୍କର ସୁନ୍ଦରଗଡ଼ ବିଶ୍ରା ବ୍ଲକ୍କୁ ବଦଳି ହୋଇଥିଲା। ବଣାଇଗଡ଼ କଲେଜରୁ ୧୯୭୮ରେ ବିଏ ପାସ୍ କରିଥିଲେ। ଏହା ଭିତରେ ସିଟି ପାସ୍ କରିଥିଲେ। ୧୯୭୯ରେ ବାଲେଶ୍ବର ସରକାରୀ କଲେଜରୁ ବିଇଡି ପାସ୍ କରିବା ପରେ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ୍ ବିଶିନାହାକାଣୀ ହାଇସ୍କୁଲ୍କୁ ତାଙ୍କର ବଦଳି ହୋଇଥିଲା। ରାଜ୍ୟର ଏକାଧିକ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କଲା ଭିତରେ ପିଲାଙ୍କୁ ପାଠ ପଢ଼ାଇବା ସହିତ ନିଜେ ପାଠପଢ଼ା ଜାରି ରଖି ଗୋଟିଏ ପରେ ଗୋଟିଏ ଡିଗ୍ରି ହାସଲ କରିବାରେ ସେ ସଫଳ ହୋଇଥିଲେ।
ସେ କହିଛନ୍ତି ଯେ ଚାକିରିର ପ୍ରଥମ ଦରମା ରୂପେ ମିଳିଥିଲା ୪୬ଟଙ୍କା। ପଟ୍ଟାମୁଣ୍ତାଇ ବ୍ଲକ୍ର କଳସାହି ହାଇସ୍କୁଲ୍ରୁ ଅବସର ନେବା ବେଳକୁ ଦରମା ଥିଲା ୬ହଜାର ୩୦୦ଟଙ୍କା। କରୋନା ଲକ୍ଡାଉନ୍ ସମୟରେ ରାଜକନିକା ଅଞ୍ଚଳର ପିଲାମାନେ ଡିଷ୍ଟାନ୍ସ କୋର୍ସରେ ନାମଲେଖାଇ ଅନଲାଇନ୍ କ୍ଲାସ୍ କରୁଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଅଧୀନରେ ୨୦୨୨ମସିହାରେ ଓଡ଼ିଆ ବିଷୟରେ ଡିଷ୍ଟାନ୍ସରେ ପିଜିରେ ନାମ ଲେଖାଇଥିଲେ। ରାଜକନିକାରେ ଏହାର ଷ୍ଟଡି ସେଣ୍ଟର୍ ଥିବା ଏସ୍.ଏନ୍ କଲେଜରେ ସେ ପରୀକ୍ଷା ଦେଇଥିଲେ।
ପ୍ରଥମ ସେମିଷ୍ଟର୍ ପରୀକ୍ଷା ଦେବାର ଅନୁଭୂତିକୁ ମନେ ପକାଇ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ହଲ୍ରେ ବସି ପରୀକ୍ଷା ଦେବା ବେଳେ ଆଖିକୁ ଭଲ ଦିଶୁ ନଥିଲା। ଥରେ ଅଧାରୁ ଲାଇନ୍ କଟିଗଲା। ଶିକ୍ଷକଙ୍କୁ ଅନୁରୋଧ କରିଥିଲେ ବାହାର ଆଲୁଅ ପଡ଼ୁଥିବା ଝରକା ପାଖରେ ବସିବା ବ୍ୟବସ୍ଥା କରିବାକୁ। ସେମାନେ ସେହି ବ୍ୟବସ୍ଥା କଲେ। ୬୪ଖଣ୍ତ ବହି ପଢ଼ି ସେ ୪ଟି ସେମିଷ୍ଟର୍ ପରୀକ୍ଷା ଦେଇଥିଲେ। ତାଙ୍କୁ ୬୨ପ୍ରତିଶତ ନମ୍ବର ମିଳିଛି। ଆଗକୁ ସ୍ବାସ୍ଥ୍ୟାବସ୍ଥା ସାଥ୍ ଦେଲେ ପିଏଚ୍ଡି କରିବେ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।