ନିର୍ଯାତନା ଦେଲେ ପୁଅବୋହୂ, ରାସ୍ତାକଡ଼ରୁ ଅବସରପ୍ରାପ୍ତ ଶିକ୍ଷକ ଉଦ୍ଧାର

କଟକ : ପୁଅବୋହୂ ଖାଇବାକୁ ଦେଲେନି। ପେନ୍‌ସନ୍‌ ଟଙ୍କା ଛଡ଼ାଇନେଲେ। ସେମାନଙ୍କଠାରୁ ମାନସିକ ନିର୍ଯାତନା ବି ସହିବାକୁ ପଡ଼ିଲା। ଭଦ୍ରକରୁ କଟକ ଚାଲିଆସିବା ପରେ ଷ୍ଟେସନ ଆଖପାଖରେ ରାତି କଟୁଛି। ମୁଠାଏ ଖାଇବା ପାଇଁ ହୋଟେଲ୍‌ରେ ହାତ ପତାଇବାକୁ ପଡ଼ୁଛି। ଏହାହେଉଛି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ କରୁଣ କାହାଣୀ। ଆଜି ରାସ୍ତାକଡ଼ରୁ ଉଦ୍ଧାର କରାଯିବା ପରେ ତାଙ୍କୁ ବୃଦ୍ଧାଶ୍ରମରେ ନେଇ ରଖାଯାଇଛି।

ଅବସରପ୍ରାପ୍ତ ଶିକ୍ଷକ ହେଉଛନ୍ତି, ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ତ ଅଞ୍ଚଳର ସନାତନ ମୁଦୁଲି। ତାଙ୍କ ବୟସ‌ ଏବେ ୭୭ବର୍ଷ। ୫ବଷଁ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଯାଇଛି। ତା’ପରେ ଯେମିତି ସବୁତକ ଦୁଃଖ ଅଜାଡ଼ି ହୋଇପଡ଼ିଛି ତାଙ୍କ ଉପରେ। ସନାତନଙ୍କର ୪ ଝିଅ ଓ ଗୋଟିଏ ପୁଅ। ସନାତନଙ୍କ କହିବା ଅନୁଯାୟୀ, ପତ୍ନୀ ଚାଲିଯିବା ପରେ ପୁଅ-ବୋହୂ ତାଙ୍କୁ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଲେ। ଖାଇବାକୁ ଦେଉ ନଥିଲେ। ତାଙ୍କ ପାଖରୁ ଏଟିଏମ୍ କାର୍ଡ ଛଡ଼ାଇ ନେଇ ମାସିକ ପେନସନ୍ ଟଙ୍କା ଉଠାଇ ନେଉଥିଲେ। ଘରେ ସମ୍ପୂର୍ଣ୍ଣ ଅବହେଳିତ ହୋଇଯାଇଥିଲେ ସେ, ସନାତନ। ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଗଲା ପ୍ରାୟ ୧୫ ଦିନ ହେବ ଗାଁବସ୍‌ରେ କଟକ ଚାଲି ଆସିଥିଲେ ସନାତନ। କଟକ ରେଳ ଷ୍ଟେସନ ଓ କଲେଜ ଛକ ଆଖପାଖରେ ବୁଲିବା ସହ ସେହି ଅଞ୍ଚଳରେ ଦୋକାନରୁ ମାଗିକରି ଖାଉଥିଲେ। ଯେଉଁଦିନ ଖାଇବାକୁ ପାଉ ନଥିଲେ, ସେଦିନ ଓପାସରେ ରହୁଥିଲେ। ସିଡିଏ ମାର୍କେଟ କମ୍ପ୍ଲେକ୍ସ ପିଣ୍ଡାରେ ରାତି କାଟୁଥିଲେ।

ଅସୁସ୍ଥ ହୋଇପଡ଼ିବାରୁ ସ୍ବେଚ୍ଛାସେବୀ ସଂଗଠନ ଓଲସାର ନଜରକୁ ଆସିଥିଲେ। ଓଲସା ପକ୍ଷରୁ ଆଇନଜୀବୀ ବିପିନ କୁମାର ଚୌଧୁରୀ, କୈଳାସ ଚନ୍ଦ୍ର ଜେନା, ବିଜୟ ମିଶ୍ର, ପ୍ରତାପ କିଶୋର ପଣ୍ଡା ପ୍ରମୁଖ ତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ତାଙ୍କୁ ଏବେ ଜଗତପୁର ପୋଡ଼ାବରରେ ଥିବା ଓଲସାର ବୃଦ୍ଧାଶ୍ରମରେ ଭର୍ତ୍ତି କରାଯାଇଛି। ତେବେ ମାନସିକ ଚାପ ଯୋଗୁ ରେଳଧାରଣାରେ ଆତ୍ମହତ୍ୟା କରିବା ପାଇଁ ସେ ଯୋଜନା କରିଥିଲେ ବୋଲି କହିଛନ୍ତି ସନାତନ। ଜଗତପୁର ଥାନା ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କୁ କଟକ ଡାକିବାକୁ ପୁଲିସ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର