ଭୁବନେଶ୍ବର : ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ସୋମବାର ଦିନ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଭାଗ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଧନା ସଭା କର୍ମଚାରୀ କଲ୍ୟାଣ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଲେନିନ୍ ମହାନ୍ତି, ଅତିରିକ୍ତ ନିର୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା, ଉପ-ନିର୍ଦେଶକ ସୂର୍ଯ୍ୟରଂଜନ ମହାନ୍ତି, ଦୀପ୍ତିମୟୀ ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା ଓ ସରକାରୀ କାର୍ଯ୍ୟକୁ ସଂପାଦନ କରିବାରେ ତାଙ୍କର ଭୂମିକାର ଆଲୋକପାତ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନରେ ଶ୍ରୀ ସେଠୀଙ୍କ ଭୂମିକା ଉଲ୍ଲେଖନୀୟ ରହିଥିଲା ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ବିଭାଗର ବିଭିନ୍ନ ଶାଖାର ଯୁଗ୍ମ ନିର୍ଦେଶକ, ଉପ-ନିର୍ଦେଶକଙ୍କ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ବିଦାୟକାଳୀନ ସଭାରେ ଉପସ୍ଥିତ ଥିଲେ।
ଉଲ୍ଲେଖ ଯେ, ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ଭାବେ ଶ୍ରୀ ସେଠୀ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ଲୋକସମ୍ପର୍କ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ ଶାଖାରେ ଉପ-ନିର୍ଦେଶକ, ଯୁଗ୍ମ ନିର୍ଦେଶକ ଓ ଅତିରିକ୍ତ ନିର୍ଦେଶକ ଓ ଶେଷରେ ବୈଷୟିକ ନିର୍ଦେଶକ ଭାବେ ଅବସ୍ଥାପିତ ହୋଇ ଅବସର ନେଇଛନ୍ତି। ସେହିପରି ବିଭାଗର ବରିଷ୍ଠ ବେତାର ନିରୀକ୍ଷକ ପ୍ରେମାନନ୍ଦ ପଟ୍ଟନାୟକ ମଧ୍ୟ ଆଜି ଅବସର ନେଇଛନ୍ତି। ତାଙ୍କୁ ମଧ୍ୟ ଏହି ଅବସରରେ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଧନା ଦିଆଯାଇଥିଲା। ସହକାରୀ ନିର୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।