ପଣ୍ଡିତ ପୁଅ କ’ଣ ମାଙ୍କଡ଼ ମାରିଲେ ଦୋଷ ନାହିଁ: ବିରୋଧୀ

ଖର୍ଚ୍ଚକାଟ ନିଷ୍ପତ୍ତି ଦିନ ହିଁ ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତି ନେଇ ପ୍ରଶ୍ନ

କର୍ମଚାରୀ ମହଲରେ ଅସନ୍ତୋଷ
ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି କାହିଁକି ଅବହେଳା

ଭୁବନେଶ୍ବର : ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ରାଜସ୍ବ ଆଦାୟ ପ୍ରଭାବିତ ହୋଇଛି। ରାଜ୍ୟର ଆର୍ଥିକ ସ୍ଥିତି ଏପରି ଦୋହଲିଗଲା ଯେ ଗତ ୭ ତାରିଖରେ ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ପୁନଃନିଯୁକ୍ତି ମିଳୁଛି। ହଜାର ହଜାର ବେକାର ଯୁବକଯୁବତୀ ବେକାର ଥିବାବେଳେ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ଏହି କିଛିଦିନ ମଧ୍ୟରେ ୧୦ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି। ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କେବଳ ୯ ଜଣଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୫ ଲକ୍ଷରୁ ଉର୍ଦ୍ଧ୍ବ ବେକାର ଯୁବକଯୁବତୀ ଚାକିରି ପାଇବା ପାଇଁ ପଞ୍ଜୀକରଣ କରିଛନ୍ତି। ଅନେକ ସ୍କଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଶିକ୍ଷୟତ୍ରୀ ନାହାଁନ୍ତି। ବହୁ କମ୍‌ କର୍ମଚାରୀରେ ଅନେକ ଥାନା ଚାଲିଛି। ବନ ବିଭାଗଠୁ ଆରମ୍ଭ କରି ଅନ୍ୟ ସରକାରୀ ବିଭାଗରେ ବି ସମାନ ସ୍ଥିତି। ଏଭଳି ପରିସ୍ଥିତିରେ ଯୁବକଯୁବତୀମାନଙ୍କ ପାଇଁ ନିଯୁକ୍ତି ବନ୍ଦ କରିବା ଏକ ଅପରିଣାମ ପଦକ୍ଷେପ। ଆର୍ଥିକ ସ୍ଥିତି ଖରାପ ଥିବା ନେଇ ଗୋଟିଏ ପଟେ ଖର୍ଚ୍ଚକାଟ ଘୋଷଣା କରୁଛନ୍ତି ଅନ୍ୟପଟେ ଗଳାବାଟ ରଖି ଅବସର ନେଇଥିବା ଅଧିକାରୀଙ୍କୁ ନିଯୁକ୍ତି ଦେଇଚାଲିଛନ୍ତି। ସରକାରଙ୍କ ଏହି ନୀତିକୁ ନେଇ ‘ପଣ୍ଡିତ ପୁଅ କ’ଣ ମାଙ୍କଡ଼ ମାରିଲେ ଦୋଷ ନାହିଁ’ ବୋଲି ଶ୍ରୀ ପଟ୍ଟନାୟକ ତାତ୍ସଲ୍ୟ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତା ସୁଦର୍ଶନ ଦାସ ଓ ପଞ୍ଚାନନ କାନୁନଗୋ ଅଭିଯୋଗ କରିଛନ୍ତି, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରିଛନ୍ତି। ୫୦ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଭିତରୁ ଅଧିକାଂଶ କରୋନା ମହାମାରୀ ଯୁଦ୍ଧରେ ଆଗଧାଡ଼ିର ସୈନିକ ଭାବରେ କାମ କରୁଛନ୍ତି। ସେମାନଙ୍କ ଭିତରେ ନର୍ସ୍‌, ପାରାମେଡିକାଲ୍‌ ଷ୍ଟାଫ୍‌, ପୁଲିସ, ଶିକ୍ଷକ ଆଦି ସାମିଲ ଅଛନ୍ତି। ସେମାନଙ୍କ ନ୍ୟାଯ୍ୟ ଦାବିଗୁଡ଼ିକ ପୂରଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଭିଯୋଗ କରି କହିଛନ୍ତି, ଲକ୍ଷାଧିକ ବେକାର ଯୁବକ ବେକାର ବୁଲୁଥିବାବେଳେ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ଶିକ୍ଷିତ ଯୁବକଯୁବତୀମାନଙ୍କ ପ୍ରତି ଅଟ୍ଟହାସ୍ୟ। ବିଜେଡି ରାଜ୍ୟରେ କ୍ଷମତାକୁ ଆସିବାବେଳେ ଯାହାକୁ ୨୦ ବର୍ଷ ହୋଇଥିଲା ଏବେ ତାକୁ ୪୦ ବର୍ଷ ବୟସ। ନିଯୁକ୍ତି ପାଇବାର ବୟସ ମଧ୍ୟ ଅଧିକାଂଶ ଯୁବକଯୁବତୀ ହରାଇସାରିଲେଣି। ସିପିଏମ୍‌ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଏକ ପ୍ରେସ୍‌ ଇସ୍ତାହାର ଜାରି କହିଛନ୍ତି, କୋଭିଡ୍‌-୧୯ ମହାମାରୀ ନାଁରେ ଆଗାମୀ ୨ ବର୍ଷ ପାଇଁ ନୂତନ ନିଯୁକ୍ତି ବନ୍ଦ କରିବା ନିଷ୍ପତ୍ତି ଯୁବକମାନଙ୍କୁ ହତାଶା ମଧ୍ୟକୁ ଠେଲିଦେବ। ଏହା ବିରୋଧରେ ସ୍ବର ଉତ୍ତୋଳନ କଲେ ତାକୁ ଚପାଇବା ପାଇଁ କୋଭିଡ୍‌ ମୁକାବିଲା ନାଁରେ ମାମଲାର ଭୟ ସରକାର ଦେଖାଉଛନ୍ତି। ଏଭଳି ଜନବିରୋଧୀ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦଳର ରାଜ୍ୟ କମିଟି ଦାବି କରିଛି। ସେହିପରି ଭାରତ ଗଣତାନ୍ତ୍ରିକ ଯୁବ ଫେଡେରେସନ୍‌ର ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି, କରୋନା ପୂର୍ବରୁ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥିଲା। ବିଗତ ୨୦ ବର୍ଷ ମଧ୍ୟରେ ସରକାର ନିଯୁକ୍ତି ଯୋଗାଇବାରେ ବିଫଳ ହୋଇଛନ୍ତି। କରନା ଯୋଗୁଁ ବେକାର ଯୁବକଯୁବତୀମାନଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ଏଭଳି ସ୍ଥିତିରେ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ସମସ୍ତ ପ୍ରକାର କଟକଣା ନିଷ୍ପତ୍ତି ନିନ୍ଦନୀୟ।

ଅନ୍ୟପଟେ ଅବସର ନେଇଥିବା ଅଧିକାରୀଙ୍କ ନିଯୁକ୍ତି ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେକ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି, ୨୦୧୮ ମସିହାରେ ସଚିବସ୍ତରୀୟ ବୈଠକରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନ ଦେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ୨ ବର୍ଷ ପୂରି ଯାଇଥିଲେ ବି ବିଭାଗୀୟ ସଚିବମାନେ ପାଳନ କରୁନାହାନ୍ତି। କେବଳ ତୃତୀୟ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରି ଅବସର ନେଉଥିବା ବଡ଼ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ରୀତିମତ ଜାରି ଅଛି। ଏହାର ଜ୍ବଳନ୍ତ ଉଦାହରଣ ହେଲା, ଗତ ୭ ତାରିଖରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଆର୍ଥିକ ପରିସ୍ଥିତି ନ ସୁଧୁରିବା ଯାଏ ଖର୍ଚ୍ଚକାଟ କରିବାକୁ ସବୁ ବିଭାଗକୁ ଲେଖିଲେ। କିନ୍ତୁ ସେହିଦିନ ହିଁ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀ ଶ୍ରୀଭୂଷଣ ଶୁକ୍ଲାଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବର୍ଷକ ପାଇଁ ନିଯୁକ୍ତି ଦିଆଗଲା ବୋଲି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ତା ପରଦିନ ଅର୍ଥାତ ଗତକାଲି ଶ୍ରୀ ଶୁକ୍ଲା ଗୃହ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବିଭାଗର ଓଏସ୍‌ଏସ୍‌, କମନ୍‌ କ୍ୟାଡର୍‌, ଷ୍ଟେନୋ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଓ ଓଏସ୍‌ଟିଆଇ ସେକ୍‌ସନ୍‌ କଥା ବୁଝିବେ। ଏପରିକି ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ବ୍ୟକ୍ତିଗତ ସଚିବମାନଙ୍କୁ ଅବସର ପରେ ପୁନଃନିଯୁକ୍ତି ମିଳିଥିବା ନେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର