କେନ୍ଦୁଝର: ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ପାଇଁ ନେସ୍କୋର କର୍ମଚାରୀମାନେ ଲାଞ୍ଚ ନେଇ ହଟହଟା ହୋଇଛନ୍ତି। ଏ ଖବର ‘ସମ୍ବାଦ’ ହାତରେ ଲାଗିବା ପରେ ଖୋଳତାଡ଼ କରାଯିବାରୁ ସଙ୍ଗେସଙ୍ଗେ ଜିଲ୍ଲାପାଳ ଏବଂ ନେସ୍କୋ କର୍ତ୍ତୃପକ୍ଷ ତଦନ୍ତ ନିର୍ଦେଶ ଦେଇଥିଲେ। ଶେଷରେ ଲାଞ୍ଚୁଆ କର୍ମଚାରୀମାନେ ରାତିଅଧିଆ ସଂପୃକ୍ତ ହିତାଧିକାରୀମାନଙ୍କ ଘରେ ପହଞ୍ଚି ଟଙ୍କା ଫେରାଇ ଦେଇଛନ୍ତି। କେନ୍ଦୁଝର ସହର ମଝିରେ ଥିବା ରାଧିକାଦେଇପୁର ଗ୍ରାମରେ ଘଟିଥିବା ଏହି ‘ଲାଞ୍ଚ ପ୍ରକରଣ’ ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ‘ସୌଭାଗ୍ୟ’ ଯୋଜନାରେ ମାଗଣା ବିଦ୍ୟୁତ୍ ସଂଯୋଗ ଦେବାକୁ ହିତାଧିକାରୀଙ୍କ ଠାରୁ ବିଦ୍ୟୁତ୍ କର୍ମଚାରୀମାନେ ଘର ପ୍ରତି ୨୫୦୦ ଟଙ୍କା ଲେଖାଏଁ ଲାଞ୍ଚ ନେଇଥିଲେ। ଏ ସଂପର୍କରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରୁଛନ୍ତି। ନେସ୍କୋର ଭିଜିଲାନ୍ସ ଟିମ୍ ଓ ନିର୍ବାହୀ ଯନ୍ତ୍ରୀ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି। ତା’ ପୂର୍ବରୁ ଲାଞ୍ଚୁଆ କର୍ମଚାରୀମାନେ ଟଙ୍କା ଫେରାଇ ଆସିଛନ୍ତି। ଏବେ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ହିତାଧିକାରୀମାନେ ଚାହିଁ ବସିଛନ୍ତି। ଜନାର୍ଦ୍ଦନପୁର ଗ୍ରାମର ରାଧିକାଦେଇପୁରରୁ ପ୍ରାୟ ୨୫ ହିତାଧିକାରୀଙ୍କଠାରୁ ଘର ପିଛା ଅଢ଼େଇ ହଜାରରୁ ୩ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା। ସ୍ଥାନୀୟ ହିତାଧିକାରୀଙ୍କ ଅଭିଯୋଗ କରିବା ପରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଛି। ଗତକାଲି ରାତିରେ ହିଁ ଏ ବିଷୟରେ ଜିଲ୍ଲା ପ୍ରଶାସନ ଓ ନେସ୍କୋ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିଲା। ଏହାପରେ ଗତକାଲି ବିଳମ୍ବିତ ରାତିରେ ଟଙ୍କା ନେଇଥିବା କର୍ମଚାରୀମାନେ ରାଧିକାଦେଇପୁରରେ ପହଞ୍ଚି ହିତାଧିକାରୀମାନଙ୍କୁ ଟଙ୍କା ଫେରାଇଛନ୍ତି। ପ୍ରକାଶଥାଉକିଳ ଏହି ସାହିର ମଙ୍ଗୁଳୀ ନାଏକ, ସନ୍ତୋଷ ନାଏକ, ଦୁର୍ଗା ନାଏକ, ଶ୍ରୀମତୀ ନାଏକ, ଭରତ ନାଏକ, ସବିତା ନାଏକ, ବନ ନାଏକ, ଗୁରୁବାରୀ ନାଏକ, ସୁକୁମାରୀ ନାଏକ, ମହୁଲି ପାତ୍ର, ଦେବାନନ୍ଦ ନାଏକ,ଦୁତିଆ ନାଏକ, ମକୁରୁ ନାଏକ, ବାଇଧର ନାଏକ, ଭାଲୁ ନାଏକ, ସୁବାସୀ ନାଏକ, କାଲୁ ନାଏକ, ରାଧା ନାଏକ, ସୁଦର୍ଶନ ନାଏକ, ସୋନାଲୀ ନାଏକ, କଳାବତୀ ନାଏକଙ୍କ ପରି ୨୫ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କଠାରୁ ଏଭଳି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା।
ସୌଭାଗ୍ୟ ଯୋଜନାରେ ଅର୍ଥ ଆଦାୟ ଘଟଣା: ଫେରାଇଲେ ଲାଞ୍ଚ ଟଙ୍କା
/sambad/media/post_attachments/wp-content/uploads/2018/06/KJR-money-return-to-people.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)