ଫୁଲବାଣୀ: ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାର ଏମ୍ସରେ ଆଉ ଏକ ଅସ୍ତ୍ରୋପଚାର ବାକି ଅଛି। ଏହା ପରେ ସେ ସଂପୂର୍ଣ୍ଣ ଫିଟ୍ ହୋଇ ଘରକୁ ଫେରି ପାରିବ। ଜଗାର ସ୍ବାସ୍ଥ୍ୟର ଯତ୍ନ ନେଉଥିବା ବିଶେଷଜ୍ଞ ଡାକ୍ତର ତଥା କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପଣ୍ଡା ଏହି ସୂଚନା ଦେଇଛନ୍ତି। ଗତ ୩ ବର୍ଷ ହେଲା ଜଗା ଫୁଲବାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃଶିଶୁ ସ୍ବାସ୍ଥ୍ୟ ୟୁନିଟ୍ର ସ୍ବତନ୍ତ୍ର କ୍ୟାବିନ୍ରେ ଡାକ୍ତରଙ୍କ ସ୍ବତନ୍ତ୍ର ନିରୀକ୍ଷଣରେ ରହି ଆସୁଛି। ତେବେ ସେ କେବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ନେଇ ଏହାକୁ ନେଇ ଏଯାବତ୍ କଳ୍ପନାଜଳ୍ପନା ରହିଛି।
ଡାକ୍ତର ପଣ୍ଡା କହିଛନ୍ତି, ଜଗାର ବର୍ତ୍ତମାନ ଖପୁରୀ ହାଡ଼ ସମ୍ପୂର୍ଣ୍ଣ ମିଶିନାହିଁ। ଖପୁରୀରେ ଏକ ଫାଙ୍କା ରହିଛି। ଅସ୍ତ୍ରୋପଚାର ପରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇପାରିବ। ଏବେ ଜଗାର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ନିଜକୁ ଫିଟ୍ ରଖିବାକୁ ଜଗା ପ୍ରତିଦିନ ଦୁଇ କିଲୋମିଟର ଚାଲୁଛି। ସୂର୍ଯ୍ୟ ଉଦୟ ଆଗରୁ ସେ ବାପା ଭୁଆଁ କହଁରଙ୍କ ପ୍ରାତଃଭ୍ରମଣରେ ବାହାରୁଛି। କାରଣ ସେ ସୁସ୍ଥ ରହିବାକୁ ଗଲେ ପ୍ରତିଦିନ ଚାଲିବା ନିତାନ୍ତ ଜରୁରି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଗା ବାପାଙ୍କ ସହ ବାହାରି ଜଗନ୍ନାଥ ମନ୍ଦିର ଛକ ଦେଇ ସାର୍ତ୍ତାଗୁଡ଼ା ପର୍ଯ୍ୟନ୍ତ ଯାଉଛି। ସେହିପରି ସ୍ବାଭାବିକ ଭାବେ ଖାଦ୍ୟ ଗ୍ରହଣ ସହ ଭାବବିନିମୟ କରୁଛି। କିନ୍ତୁ ଏମ୍ସରେ ଦ୍ବିତୀୟ ଅସ୍ତ୍ରୋପଚାର ନହେବା ପର୍ଯ୍ୟନ୍ତ ଜଗାକୁ ଘରକୁ ଛାଡ଼ି ହେବ ନାହିଁ ବୋଲି ଡା.ପଣ୍ଡା କହିଛନ୍ତି।
ଅନ୍ୟପଟେ, ଜଗାକୁ ବର୍ତ୍ତମାନ ୯ ବର୍ଷ ହେଲା। ଫଳରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଜଗାର ପାଠପଢ଼ା ବ୍ୟବସ୍ଥା ହାତକୁ ନେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଫୁଲବାଣୀ ସହରର ଏକ ସ୍କୁଲରେ ଜଗାର ନାମ ଲେଖାଯିବ ଏବଂ ସେଠାରେ ଏକ ଭଡ଼ା ଘରେ ଜଗା ରହିବ। ସମସ୍ତ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି ଡା.ପଣ୍ଡା କହିଛନ୍ତି। ସେହିପରି କଟକ ବଡ଼ ମେଡିକାଲ ବିଶେଷଜ୍ଞମାନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ, ଜଗା କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ନଜରରେ ରହିବ ବୋଲି ଡା.ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଜଗା କଟକ ବଡ଼ ମେଡିକାଲରୁ ଡିସ୍ଚାର୍ଜ ହୋଇ ଫୁଲବାଣୀକୁ ଫେରିଥିଲା। ସେବେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର କ୍ୟାବିନ୍ରେ ଡାକ୍ତରଙ୍କ ନିରୀକ୍ଷଣରେ ରହୁଛି। ବର୍ତ୍ତମାନ ସୁସ୍ଥ ଅଛି। କିନ୍ତୁ ପାଠପଢ଼ା ବୟସ ଗଡ଼ି ଯାଉଥିବାରୁ ସେ ବ୍ୟସ୍ତ ହେଉଥିବା ବାପା ଭୁଆଁ କହଁର କହିଛନ୍ତି।