ଭୁବନେଶ୍ୱର: ପୁରୀରେ ପ୍ରସ୍ତାବିତ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଝଟକା ପରେ କୃଷକ ବିଜୟ ସମାବେଶ ପାଳିବ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି। ଆସନ୍ତା ୯ ତାରିଖରେ ପୁରୀର ବେଳଦଳଠାରେ ହେବାକୁ ଥିବା ସମାବେଶରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଚାଷୀଙ୍କୁ ସେମାନଙ୍କ ଜମି ତୁରନ୍ତ ଫେରସ୍ତ ସହ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମିତି ଦାବି କରିବ। କେବଳ ସେତିକି ନୁହେଁ, ଏଭଳି କେଳେଙ୍କାରୀରେ ସମ୍ପୃକ୍ତ ଥିବା ମୁଖ୍ୟମନ୍ତ୍ରୀ, ତତ୍‌କାଳୀନ ମନ୍ତ୍ରୀ ଓ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମିତି ରାସ୍ତାକୁ ଓହ୍ଲାଇବ।

Advertisment

ଅନ୍ୟପକ୍ଷରେ ବେଦାନ୍ତ କମ୍ପାନିକୁ ୧୦ ହଜାର ଏକର ଚାଷ ଜମି ସହ ଦୁଇଟି ନଦୀକୁ ଟେକି ଦେବାକୁ ଯେଉଁ ଗଭୀର ଷଡ୍‌ଯନ୍ତ୍ର ଓ ଅହେତୁକ ଅନୁକମ୍ପା ହୋଇଥିଲା ସେଥିରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଂପୃକ୍ତି ରହିଥିବା ସୁପ୍ରିମକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇ ଆପରାଧିକ ତଦନ୍ତକୁ ସାମନା କରିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜୀବୀ ନରସିଂହ ମିଶ୍ର ଆହ୍ୱାନ ଦେଇଛନ୍ତି। ହୋଟେଲ ସ୍ବସ୍ତି ଗ୍ରାଣ୍ଟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ୨୦୦୬ରୁ ଏହି ବେଆଇନ କାର୍ଯ୍ୟ ବିରୋଧରେ ବିଭିନ୍ନ ସ୍ତରରେ ଯେଉଁ ବିରୋଧ ହୋଇଥିଲା ସେଥିରେ ସ୍ୱର୍ଗତ ଦ୍ୱାରିକାମୋହନ ମିଶ୍ରଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା ସରକାର ବେଦାନ୍ତ କମ୍ପାନୀକୁ ପୁରୀ-କୋଣାର୍କ ବେଳାଭୂମି ଅଞ୍ଚଳରେ ୧୦ ହଜାର ଏକର ଚାଷ ଜମି ଶାଗ ମାଛ ଦରରେ ଅଧିଗ୍ରହଣ କରିଥିଲେ। ଏହାଦ୍ବାରା ୬ ହଜାର ପରିବାର ଓ ୩୦ ହଜାର ଲୋକ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିଲେ। ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ, ତତ୍‌କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସମସ୍ତ ଆଇନକାନୁନକୁ ଜଳାଞ୍ଜଳି ଦେଇ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଯେଉଁ ଜମି ଅଧିଗ୍ରହଣ କରିଥିଲେ ତାହାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ। ଏଥିସହ ସମସ୍ତ ଜମିକୁ ଚାଷୀଙ୍କୁ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ ଏବଂ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମି ଫେରସ୍ତ କରନ୍ତୁ। ଓଡ଼ିଶା ସରକାରଙ୍କ ଯେଉଁ ସବୁ ବିଭାଗ ଏଭଳି ଷଡ଼୍‌ଯନ୍ତ୍ରପୂର୍ଣ୍ଣ କାର୍ଯ୍ୟରେ ସାମିଲ ଥିଲେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ତୁରନ୍ତ ଅପରାଧିକ ତଦନ୍ତ(କ୍ରିମିନାଲ ଇନ୍‌ଭେଷ୍ଟିଗେସନ) କରାଯାଉ। ଦୁର୍ନୀତି ନିବାରଣ ଆଇନର ଧାରା-୧୩ ଅନୁଯାୟୀ ଏକ ନିରପେକ୍ଷ ଅପରାଧିକ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ନ ହେଲେ ଆଗାମୀ ଦିଗରେ ପୁଣି ନ୍ୟାୟ ପାଇଁ କୋର୍ଟଙ୍କ ଆଶ୍ରୟ ନେବୁ। ଦୀର୍ଘ ୧୭ ବର୍ଷର ଲଢ଼େଇ, ୨୨ ମୌଜା, ୨୭୫ ଗାଁ ଓ ହଜାର ହଜାର କୃଷକଙ୍କର ଜୀବନଜୀବିକାକୁ ବାଜିରେ ଲଗାଇ ଠକ ବେଦାନ୍ତ କମ୍ପାନିକୁ ୧୦ ହଜାର ଏକର ଚାଷଜମି ସହ ଦୁଇଟି ନଦୀକୁ ଟେକି ଦେବାକୁ ହୋଇଥିବା ଷଡଯନ୍ତ୍ରର ତଦନ୍ତ କରାଗଲେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।

ଏହି ମାମଲା ଶୁଣାଣି ବେଳେ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ସମଗ୍ର ଅଧିଗ୍ରହଣ ପ୍ରକ୍ରିୟା ଏବଂ ସୁବିଧା ସଂପର୍କିତ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପକ୍ଷପାତ ପ୍ରେରିତ। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ କରୁଛି। ସେହିପରି ଅଧିଗ୍ରହଣ କରାଯାଇଥିବା ଜମି ପାଖରେ ରହିଥିବା ଦୁଇଟି ନଦୀ ଯଥା ନୂଆନଈ ଏବଂ ନାଳାର ପ୍ରବାହକୁ ନେଇ ରାଜ୍ୟ ସରକାର ପରିବେଶ ଦିଗ ଉପରେ ବିବେକ ଅନୁସାରେ ପରିଚାଳିତ ହୋଇନାହାନ୍ତି। ଏତେ ସବୁ ପରେ ବି ରାଜ୍ୟ ସରକାର ପଦକ୍ଷେପ ନ ନେବା ଆଶ୍ଚର୍ଯ୍ୟ ଲାଗୁଛି। ଏଥର ବିଧାନସଭା ଚାଲିବ କି ନାହିଁ ତାହା ସନ୍ଦେହ। ଯଦି ବିଧାନସଭା ଚାଲେ ତାହା ହେଲେ ଆମକୁ କହିବାକୁ ସମୟ ମିଳିବ କି ନାହିଁ ସେନେଇ ଆଶଙ୍କା ରହିଛି। ଯଦି ବିଧାନସଭାରେ କହିବାକୁ ସମୟ ମିଳେ ତାହା ହେଲେ ଚାଷୀଙ୍କୁ ତୁରନ୍ତ ଜମି ଫେରାଇବା ପାଇଁ ଦାବି କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଲେ ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ-କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ ହଜାର ଏକର ଚାଷଜମିକୁ ହଡ଼ପ କରିବାକୁ ଯୋଜନାବଦ୍ଧ ଷଡଯନ୍ତ୍ରକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିବା ସହିତ ବେଦାନ୍ତ କମ୍ପାନିକୁ ୫ଲକ୍ଷ ଟଙ୍କା ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଠକ କମ୍ପାନି ଓ ରାଜ୍ୟ ସରକାରଙ୍କ ବନ୍ଧୁତା ଯୋଗୁଁ ସମଗ୍ର ଓଡ଼ିଶାବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ତଥା ସମିତି ଆବାହକ ଉମାବଲ୍ଲଭ ରଥ କହିଲେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ୧୭ ବର୍ଷର ନ୍ୟାୟିକ ଲଢ଼େଇରେ ଆମେ ଜିତିଛୁ। ଏଥିରେ ଗୋଟିଏ ଟଙ୍କାର ପାରିଶ୍ରମିକ ନ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୁଷଣ ୨୦୧୧ରୁ ଆମକୁ ନ୍ୟାୟିକ ସହାୟତା ପ୍ରଦାନ କରିଥିବାରୁ ସମିତି ପକ୍ଷରୁ ତାଙ୍କୁ କୃଷକ ବିଜୟ ସମାବେଶରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବ। ଏଥିରେ ମେଧା ପାଟକର ମଧ୍ୟ ସାମିଲ ହେବେ। ୧୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଓ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ଥିଲେ।