ପୁରୀ: ଅସ୍ଥାୟୀ ଭଣ୍ଡାରରେ ବର୍ଷେ ହେଲା ରହିଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ। ଆଜି ବସିଥିବା ରତ୍ନଭଣ୍ଡାର ସବ୍କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ୨୩ ତାରିଖ ଭୋର୍ ୪ଟାରେ ଦ୍ବାରଫିଟା ହେବ। ଦୁର୍ଗାମାଧବ ବିଜେ ପରେ ବା ସକାଳ ୭ଟା୧୭ରୁ ଆରମ୍ଭ ହେଉଥିବା ମାହେନ୍ଦ୍ର ବେଳାରେ ଏହି ରତ୍ନସବୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୪ ମସିହାରେ ଅସ୍ଥାୟୀ ଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ହେବା ସମୟରେ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ଆଧାରରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ତେବେ ଏହା ପୂର୍ବରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବ। ଏବେ ଅସ୍ଥାୟୀ ଭାବରେ ଲାଇଟ୍ ଲାଗିବ। ଗଣତି ମଣତି ସମୟରେ ସ୍ଥାୟୀ ଆଲୋକ ବ୍ୟବସ୍ଥା ସହ ଭଣ୍ଡାର ଶୀତତାପ ନିୟନ୍ତ୍ରିତ ହେବ।
ଯାଞ୍ଚ କରିବ ସ୍ବତନ୍ତ୍ର କମିଟି, ବନ୍ଦ ରହିବ ଦର୍ଶନ
ହୁଣ୍ଡି ସ୍ଥାନାନ୍ତରକୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ରତ୍ନଭଣ୍ଡାର ସବ୍କମିଟିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭିତର ଓ ବାହାର ରତ୍ନଭଣ୍ଡାରର ଅଳଙ୍କାର ଅସ୍ଥାୟୀ ଭଣ୍ଡାରରୁ ସ୍ଥାନାନ୍ତର ନେଇ ଆଲୋଚନା ହୋଇଛି। ଭିତର ରତ୍ନଭଣ୍ଡାରର ରତ୍ନ ସବୁ ଖଟଶେଯ ଘରେ ରହିଥିବା ବେଳେ ବାହାର ରତ୍ନଭଣ୍ଡାରର ରତ୍ନ ସବୁ ଚାଙ୍ଗଡ଼ା ଘରେ ରହିଛି। ପ୍ରଥମେ ଖଟଶେଯ ଘରୁ ୬ଟି ଆଲମାରିରେ ଥିବା ରତ୍ନକୁ ଭିତର ରତ୍ନଭଣ୍ଡାରକୁ ନିଆଯିବ। ପରେ ଚାଙ୍ଗଡ଼ା ଘରୁ ବାହାର ରତ୍ନଭଣ୍ଡାରର ରତ୍ନ ଅଣାଯାଇ ଜଉମୁଦ କରାଯିବ। ଉଭୟ କବାଟକୁ ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଜଉମୁଦ କରାଯିବା ପରେ ଚାବିକୁ ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ଟ୍ରେଜେରିରେ ରଖାଯିବ। ଏହି ସମଗ୍ର ପ୍ରକ୍ରିୟାକୁ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯିବ। ଫଳରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିବ ନାହିଁ।
ରତ୍ନ ସ୍ଥାନାନ୍ତର ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପାଳିଆ ସେବାୟତମାନେ ହିଁ ପ୍ରବେଶ ପାଇଁ ଅଧିକୃତ ହେବେ। ସେମାନଙ୍କୁ ଏସ୍ପି ସେଦିନ ପାଇଁ ପାସ୍ ପ୍ରଦାନ କରିବେ। ଏଣୁ ପାଳି ନଥିବା ସେବାୟତମାନେ ନ ଆସିବାକୁ ମୁଖ୍ୟ ପ୍ରଶାସକ ପରାମର୍ଶ ଦେଇଛନ୍ତି। ସ୍ଥାନାନ୍ତର ଶେଷ ହେବା ପର୍ଯ୍ୟନ୍ତ ଏହି ପାଳି ନଥିବା ସେବାୟତ ଓ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଉପରେ ନାଟମଣ୍ଡପ ପ୍ରବେଶ କଟକଣା ରହିବ। ସ୍ଥାନାନ୍ତର ସମୟରେ ରତ୍ନଭଣ୍ଡାର ସବ୍କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଗଠନ କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ। ଏହି ଦୁଇଜଣ କିଏ ରହିବେ ତାହା ସମ୍ପୃକ୍ତ କମିଟିର ଅଧ୍ୟକ୍ଷ ବିଚାର କରିବେ। ସ୍ଥାନାନ୍ତରଣ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେମିତି ଚାଲିବା କଥା ଚାଲିବ। ଏଥିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥାନାନ୍ତରଣ ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ କରାଯିବ। ରତ୍ନଭଣ୍ଡାର ମରାମତି ବେଳେ ଅସ୍ଥାୟୀ ଭଣ୍ଡାରକୁ ଏହି ରତ୍ନ ସ୍ଥାନାନ୍ତର ପାଇଁ ଦୁଇଦିନ ସମୟ ଲାଗିଥିଲା। ଯଦି ଏବେ ସ୍ଥାନାନ୍ତର ପ୍ରକ୍ରିୟା ଗୋଟିଏ ଦିନରେ ନ ସରେ ତେବେ ୨୪ ତାରିଖ ଦିନ ବି ଏହି ପ୍ରକ୍ରିୟା ଚାଲିବ। ସାଧାରଣ ଦର୍ଶନ ମଧ୍ୟ ଅନୁରୂପ ଭାବରେ ପ୍ରଭାବିତ ହେବ। ଏଥିପାଇଁ ସହଯୋଗ କରିବାକୁ ଭକ୍ତ ଓ ସେବାୟତଙ୍କୁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂହ, ଛତିଶା ନିଯୋଗ ନାୟକଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।