ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଖୁବ୍‌ଶୀଘ୍ର ଫେରିବ। ଏଭଳି ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟ ଓ ରାଜ୍ୟ ବାହାରେ ଜମିରୁ ୩୬ ରୁ ୩୭ ହଜାର ଏକରର କାଗଜପତ୍ର ପ୍ରସ୍ତୁତ ସରିଛି। ବାକି ଜମିଗୁଡ଼ିକର କାଗଜପତ୍ର ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ସରକାର ତ୍ୱରିତ ବେଗରେ ଏହି କାମ ଜାରି ରାଖିଛନ୍ତି। ମହାପ୍ରଭୁଙ୍କର ଭୂସମ୍ପତ୍ତି ଯେଉଁଠି ରହିଛି ତାହାର ମଧ୍ୟ ସଠିକ ଆକଳନ କାର୍ଯ୍ୟ ଜାରି ରଖିଛନ୍ତି ସରକାର। ଏଥିପାଇଁ ଯାହା ଯାହା ଆବଶ୍ୟକ ହେଉଛି ତାହା କରାଯାଉଛି ବୋଲି କହିଛନ୍ତି। 

Advertisment

ଏଠାରେ ସୂଚାଇ ଦିଆଯାଇପାରେ, ୨୦୧୯ ମସିହା ନଭେମ୍ବର ୪ ତାରିଖରେ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ଆଦେଶ ଦେଇଥିଲେ କି ୬ ମାସ ଭିତରେ ମହାପ୍ରଭୁଙ୍କର ସମସ୍ତ ସମ୍ପତ୍ତି ନିଜ ଦଖଲକୁ ଆଣ। ସେବେଠାରୁ ୬ ବର୍ଷ ମଧ୍ୟରେ ୪ହଜାର ଏକର ଆସିଛି। ଆଉ ୨୨ ହଜାର ଏକର ସମ୍ପତ୍ତି ଏଯାଏଁ ଠାବ ହୋଇ ପାରୁନି। ଏପଟେ ଶାଗମାଛ ଦରରେ ବେଦାନ୍ତକୁ ବିକି ଥିବା ଅମୃତ ମଣୋହି ଜମି ଫେରାଇ ଆଣିବାକୁ ସୁପ୍ରିମ୍‌କୋର୍ଟ କହିଥିଲେ ମଧ୍ୟ ଏଯାଏଁ ପ୍ରକ୍ରିୟା ଆରମ୍ଭ ହେଉନି। ଫଳରେ ଏହି ଜମିରୁ ଆସିବାକୁ ଥିବା ରାଜଭାଗ ମଧ୍ୟ ଆସିପାରୁନି। ୨୦୨୩-୨୪ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପ୍ରଶାସନ ୯୩୦୭ ଏକର ଜମିରୁ ୩୩ କୋଟି ଟଙ୍କା ରାଜଭାଗ ପାଇଛି। ବାକି ୨୯ ହଜାର ଏକରରୁ ରାଜଭାଗ ଆଦାୟ ହେଉ ନାହିଁ। ଦଖଲରେ ଥିବା ସମସ୍ତ ସମ୍ପତ୍ତିରୁ ରାଜଭାଗ ଆଦାୟ ହେଲେ ବର୍ଷକୁ ରାଜଭାଗ ପରିମାଣ ୧୦୦ କୋଟି ଟଙ୍କା ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ଆକଳନ କରିଛନ୍ତି। 

ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ରିପୋର୍ଟ ମୁତାବକ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୬୦ହଜାର ୪୨୬ ଏକର ଜମି ରହିଛି। ସେଥିରୁ ୩୪ହଜାର ୬୧ ଏକରର କାଗଜପତ୍ର ରହିଥିଲା। ୪ ହଜାର ଏକର ଜମି ଫେରିବା ପରେ ଏବେ ଶ୍ରୀମନ୍ଦିର ପ୍ରଶାସନ ଦଖଲରେ ୩୮.୦୬୧ ହଜାର ଏକର ଜମି ରହିଛି। ବାକି ୨୨ହଜାର ୩୬୫ ଏକର ଜମି ଫେରିବାକୁ ସରକାର କାର୍ଯ୍ୟ ଜାରି ରଖିଥିବା କହିଛନ୍ତି। ୭ଟି ଜିଲ୍ଲାରେ ମହାପ୍ରଭୁଙ୍କ ଜବରଦଖଲ ହୋଇଥିବା ୧୬୯ ଏକର ସମ୍ପତ୍ତି ଫେରାଇ ଆଣିବା ପାଇଁ ୯୭୪ଟି ମାମଲା ରୁଜୁ ହୋଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। 

୬୦୭.୭୬୦ ଏକର ଅମୃତ ମଣୋହି ଜମି ଶ୍ରୀମନ୍ଦିର ପ୍ରଶାସନ ବେଦାନ୍ତକୁ ବିକି ଦେଇଛି। ୨୦୨୩ ମସିହାରେ ସୁପ୍ରିମକୋର୍ଟ ଏହି କିଣାବିକାକୁ ବେଆଇନ ଘୋଷଣା କରିବା ସହ ତୁରନ୍ତ ଫେରାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏ ଯାବତ୍‌ ପ୍ରକ୍ରିୟା ଆରମ୍ଭ ହୋଇନି। ୨୪ ଜିଲ୍ଲାରେ ମହାପ୍ରଭୁଙ୍କର ଜମି ରହିଛି। ୧୦ ଜିଲ୍ଲାରୁ ରାଜଭାଗ ଆଦାୟ ହେଉଛି। ବାକି ୧୪ ଜିଲ୍ଲାରୁ ରାଜଭାଗ ଆଦାୟ ହେଉନାହିଁ। ରାଜ୍ୟ ବାହାରେ ମହାପ୍ରଭୁଙ୍କର ୩୯୫ ଏକର ଜମି ରହିଛି। ୨ହଜାର ଏକରରୁ ଅଧିକ ପରିମାଣ ଜମି ମକଦ୍ଦମାରେ ଫସିରହିଛି। ପ୍ରଶାସନ ଏହାକୁ ବିବାଦ ମୁକ୍ତ କରିବାକୁ ଚାହୁନାହିଁ। ଅନେକ ଜାଗାରେ ବଡ଼ବଡ଼ିଆ ଦଖଲ କରିଥିବାରୁ ଅଧିକାରୀମାନେ ସାହସ ଜୁଟାଇ ପାରୁ ନାହାନ୍ତି।