ବ୍ରିଟେନ୍‌ ଫେରନ୍ତା ଆଉ ୪ ପଜିଟିଭ୍ ଚିହ୍ନଟ: ଜଗତସିଂହପୁରରେ ୩, ଭୁବନେଶ୍ବରରେ ଜଣେ

ଆଜି ୩୯ ଫେରନ୍ତାଙ୍କ ନମୁନା ସଂଗ୍ରହ

ଭୁବନେଶ୍ବର: ବ୍ରିଟେନ୍‌ରେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌(ବି.୧.୧.୭)କୁ ନେଇ ରାଜ୍ୟରେ ତନାଘନା ଆରମ୍ଭ ହୋଇଛି। ଗତକାଲି ବ୍ରିଟେନ୍‌ ଫେରନ୍ତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଶାଇ ସମୁଦାୟ ୩୯ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଜି ୩୯ଜଣ ‌ଫେରନ୍ତାଙ୍କ ନମୁନା ସଂଗ୍ରହ ହୋଇଛି। ତହିଁରେ ଜଗତସିଂହପୁରରେ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରେ ଗତକାଲି ପଜିଟିଭ୍ ଚିହ୍ନଟ ହୋଇଥିବା ୪ ବର୍ଷର ଝିଅର ବାପା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ରିଟେନ୍‌ ଫେରନ୍ତାଙ୍କୁ ଟ୍ରେସିଂ କରିବା ଲାଗି ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୪ବର୍ଷର ଝିଅର ବାପା ମା’ଙ୍କ ପୁନର୍ବାର ଆରଟି-ପିସିଆର ନମୁନା ସଂଗ୍ରହ କରାଯାଇଥିଲା। ଆଜି ତାଙ୍କ ବାପାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାକୁ ମିଶାଇ ରାଜଧାନୀରେ ଏ ପର୍ଯ୍ୟନ୍ତ ୩ଜଣ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ସେହିପରି ଜଗତସିଂହପୁରରେ ୩ଜଣ ବ୍ରିଟେନ୍‌ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆରଟି-ପିସିଆର ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିମାନଙ୍କର ଜିନ୍ ଅନୁଶୀଳନ କରିବା ଲାଗି ଆଇସିଏମ୍‌ଆର ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଏ ପରିପ୍ରେକ୍ଷୀରେ ରାଜଧାନୀରେ ପୂର୍ବରୁ ଚିହ୍ନଟ ହୋଇଥିବା ୩୪ ବର୍ଷର ଯୁବକ ଓ ଗତକାଲି ଚିହ୍ନଟ ହୋଇଥିବା ୪ ବର୍ଷର ଝିଅର ନମୁନା ପୁନେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। ଦୁହିଁଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ଅନ୍ୟପକ୍ଷରେ ଓଡ଼ିଶାରେ ଥିବା ଜୀବବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍‌ରେ ମଧ୍ୟ ଜିନ୍ ଅନୁଶୀଳନ ହୋଇପାରିବ ବୋଲି ଆଇସିଏମ୍‌ଆର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମାତ୍ର ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ନମୁନା ପୁନେ ପଠାଯିବ କି ଆଇଏଲଏସ୍‌ରେ ଏହାର ଜିନ୍ ଅନୁଶୀଳନ ହେବ, ତାହା ସ୍ପଷ୍ଟ ହୋଇପାରି ନାହିଁ।

ଗତ ପ୍ରାୟ ୧ମାସ ଭିତରେ ଓଡ଼ିଶାକୁ ବ୍ରିଟେନ୍‌ରୁ ୧୮୧ଜଣ ଲୋକ ଫେରିଛନ୍ତି। ଏଥିରେ ଭୁବନେଶ୍ବରରୁ ସର୍ବାଧିକ ୮୮ଜଣ ରହିଥିବା କୁହାଯାଉଛି। ଦୁଇଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୬୧ ଜଣଙ୍କ ସଂପର୍କରେ ତଥ୍ୟ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିସନର୍‌ଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଏହି ୬୧ ଜଣଙ୍କ ମଧ୍ୟରୁ ୪୩ ଜଣଙ୍କ ସଂପର୍କରେ ତଥ୍ୟ ରହିଥିବା ବ‌େଳେ ବଳକା ୧୮ ଜଣଙ୍କ ସଂପର୍କରେ ଖୋଳତାଡ଼ କରିବା ଲାଗି କୁହାଯାଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାଜଧାନୀକୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶକୁ ଟ୍ରେସିଂ କରିବା ଆଜି ମଧ୍ୟ ସମ୍ଭବ ହୋଇପାରିନାହିଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ବାହାରକୁ ଚାଲିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହେଁ, ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି। ବ୍ରିଟେନ୍‌ ଫେରନ୍ତାଙ୍କ ଲାଗି ଆରଟି-ପିସିଆର୍‌ ନମୁନା ପରୀକ୍ଷା ବାଧ୍ୟତାମୂଳକ ରହିଥିବାରୁ ସେମାନଙ୍କ କୋଭିଡ୍‌ ପରୀକ୍ଷା କରିବା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର