ବାରିପଦା/ରାଇରଙ୍ଗପୁର/ବାଦାମପାହାଡ଼: ସାରା ଦେଶରେ ଆଜି ସରକାରଙ୍କ ପ୍ରତିଟି ପଦକ୍ଷେପ ଜନଜାତିଙ୍କ ବିକାଶ ଓ ସ୍ୱାଭିମାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ରେଳ ଷ୍ଟେସନ୍‌ରେ ୩ଟି ନୂଆ ଟ୍ରେନ୍‌ ଚଳାଚଳ ସମେତ ରେଳ ଓ ଡାକ ବିଭାଗର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର କରିବା ଅବସରରେ କହିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ମଙ୍ଗଳବାର ପୂର୍ବାହ୍ନ ୯.୫୦ରେ ଶ୍ରୀମତୀ ମୁର୍ମୁ ବାଦାମପାହାଡ଼-ଟାଟାନଗର ମେମୁ, ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍‌ ଓ ବାଦାମପାହାଡ଼-ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଏଥିସହିତ ଅମୃତ ଷ୍ଟେସନ୍‌ ଯୋଜନାରେ ବାଦାମପାହାଡ଼ ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଆଭାସି ମାଧ୍ୟମରେ ରାଇରଙ୍ଗପୁର ନୂତନ ଡାକମଣ୍ଡଳ (ପୋଷ୍ଟାଲ୍ ଡିଭିଜନ)ର ଉଦ୍‌ଘାଟନ ଓ ସ୍ବତନ୍ତ୍ର ସ୍ମାରକୀ ଡାକ ଲଫାପା ଉନ୍ମୋଚନ କରିଥିଲେ।

Advertisment

ଆୟୋଜିତ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, ଆଜି ଆରମ୍ଭ ହୋଇଥିବା ୩ଟି ନୂଆ ଟ୍ରେନ୍ ସ୍ଥାନୀୟ ଲୋକଙ୍କ ସହିତ ପଡ଼ୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ଯୋଗାଯୋଗରେ ସାହାଯ୍ୟ କରିବ। ଆଦିବାସୀ ଲୋକଙ୍କ ବିକାଶ ବିନା ଦେଶର ବିକାଶ ଅସମ୍ପୂର୍ଣ୍ଣ। ସେଥିପାଇଁ କେନ୍ଦ୍ର ସରକାର ଅତି ପଛୁଆ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ପିଏମ୍ ଜନମନ (ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ) ଆରମ୍ଭ କରିଛନ୍ତି। ଏହି ପଦକ୍ଷେପ ଅମୃତ କାଳରେ ଲୋକଙ୍କୁ ବିକାଶ ସହିତ ଯୋଡ଼ିବା ସହ ବିକଶିତ ଭାରତର ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି କହିଥିଲେ ରାଷ୍ଟ୍ରପତି। କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୟୂରଭଞ୍ଜ ଜିଲ୍ଲାବାସୀ ସ୍ୱାଭିମାନୀ। ପଣ୍ଡିତ ରଘୁନାଥ ମୁର୍ମୁ, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପରି ମହାମନିଷୀ ଜନଜାତିଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ଆଜି ପୂରଣ ହେଉଛି।

ମୟୂରଭଞ୍ଜରେ ୨୩ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହେଉଛି। ରାଷ୍ଟ୍ରପତିଙ୍କ ଜନ୍ମଭୂମି ପାହାଡପୁରଠାରେ ଏଲଆଣ୍ଡ୍‌ଟି ଦ୍ୱାରା ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ରେଳମନ୍ତ୍ରୀ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବକ୍ତବ୍ୟରେ ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀରୁ ବାଙ୍ଗିରିପୋଷି, ବାହାମପାହାଡରୁ କେନ୍ଦୁଝର ଓ ବୁଡାମରାରୁ ଝାଡ଼ଖଣ୍ଡ ଚାକୁଳିଆକୁ ଟ୍ରେନ୍‌ ଚଳାଚଳ ପାଇଁ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପରେ ରାଷ୍ଟ୍ରପତି ବାଦାମପାହାଡ଼ରୁ ଟ୍ରେନ୍‌ରେ ଛାତ୍ରଛାତ୍ରୀଙ୍କ ଗହଣରେ ଆସି ରାଇରଙ୍ଗପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତି କୁସୁମୀ ବ୍ଲକ୍‌ ପାହାଡ଼ପୁର ଗାଁରେ ପହଞ୍ଚି ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବା ପରେ ନିଜ ସ୍ବାମୀ ଶ୍ୟାମଚରଣ ମୁର୍ମୁ ଓ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନ୍‌ଙ୍କ ସ୍ମୃତିରେ ତିଆରି କରିଥିବା ଏସ୍‌ଏଲ୍‌ଏସ୍‌ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ। ମୟୂରଭଞ୍ଜ ଗସ୍ତ ସାରି ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ।