ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ବିଏସ୍‌ଏଫ୍‌ର ସ୍ବତନ୍ତ୍ର ଡିଜି ୱାଇ ବି ଖୁରାନିଆ ଓଡ଼ିଶା ଫେରିବେ। ଗୃହ ମନ୍ତ୍ରଣାଳୟର ଏହି ପ୍ରସ୍ତାବରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ମୋହର ମାରିଛି। ତେବେ ଶ୍ରୀ ଖୁରାନିଆଙ୍କୁ ଓଡ଼ିଶା ସରକାର କେଉଁ ପଦବିରେ ନିଯୁକ୍ତି ଦେବେ, ସେ ଚିତ୍ର ଅସ୍ପଷ୍ଟ ରହିଛି। ଗୋଟିଏ ମହଲ ମତ ରଖୁଛନ୍ତି ଯେ ରାଜ୍ୟ ସରକାର ତାଙ୍କୁ ପରବର୍ତ୍ତୀ ଡିଜି କରିପାରନ୍ତି। କିନ୍ତୁ କିଛି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ର ସରକାର ଫେରାଉଥିବାରୁ ଓଡ଼ିଶା ସରକାର ତାଙ୍କୁ ଏଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେବା ସମ୍ଭାବନା କ୍ଷୀଣ।

Advertisment

ସେପଟେ କେବଳ ଶ୍ରୀ ଖୁରାନିଆ ନୁହଁନ୍ତି, ବିଏସ୍‌ଏଫ୍‌ ଡିଜି ନୀତିନ ଅଗ୍ରୱାଲଙ୍କୁ ମଧ୍ୟ କେନ୍ଦ୍ର ସରକାର ତାଙ୍କ ମୂଳ କ୍ୟାଡର୍‌ କେରଳକୁ ପଠାଇ ଦେଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ସଂପ୍ରତି ଜମ୍ମୁ ସୀମାରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଣୁ ବିଏସ୍‌ଏଫ୍‌ର ଏହି ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ସେମାନଙ୍କ ଡେପୁଟେସନ୍‌ ଅବଧି ସରିବା ପୂର୍ବରୁ ନିଜ ନିଜ ମୂଳ କ୍ୟାଡର୍‌କୁ ଫେରାଇ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୩ ଡିସେମ୍ବର ୩୧ ତାରିଖରେ ଓଡ଼ିଶାର ତତ୍‌କାଳୀନ ଡିଜି ସୁନିଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ପରବର୍ତ୍ତୀ ଡିଜି ନିଯୁକ୍ତି ନେଇ ୟୁପିଏସ୍‌ସିର ବୈଠକ ବସି ନଥିବାରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ସାତ ମାସ ହେଲା ଶ୍ରୀ ଷଡ଼ଙ୍ଗୀ ଏହି ପଦବିରେ ରହିଛନ୍ତି। ଶ୍ରୀ ଖୁରାନିଆ ଓଡ଼ିଶାରେ ପରବର୍ତ୍ତୀ ଡିଜି ଦୌଡ଼ରେ ଥିଲେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏମିତି ଅତର୍କିତ କାର୍ଯ୍ୟାନୁଷ୍ଠାନ ପରେ ରାଜ୍ୟ ସରକାରଙ୍କ ପଦକ୍ଷେପ କ’ଣ ହେବ, ତା’ଉପରେ ସମସ୍ତଙ୍କ ନଜର ରହିଛି।