ଚିନ୍ତା ବଢ଼ାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଟ୍ରେନ୍‌ରେ ଆସିଲେ ୧୧୫, ସଂଗରୋଧକୁ ଗଲେ ୪୧

ସମ୍ବଲପୁର : ପ୍ରତି ରବିବାର ପଶ୍ଚିମ ବଙ୍ଗରୁ ସମ୍ବଲପୁରକୁ ଆସୁଥିବା ସ୍ବତନ୍ତ୍ର ଟ୍ରେନ୍‌ରେ ବହୁ ସଂଖ୍ୟାରେ ବଙ୍ଗଳା ଲୋକ ଫେରି ସମ୍ବଲପୁର ଷ୍ଟେସନ୍‌ରେ ଓହ୍ଲାଉଛନ୍ତି। ସେମାନଙ୍କ ଯୋଗୁଁ ସମ୍ବଲପୁରରେ ସଂକ୍ରମଣ ଆଶଂକା ବୃଦ୍ଧି ପାଉଛି। ଗତ ସପ୍ତାହରେ ଆସିଥିବା ଲୋକଙ୍କ ମଧ୍ୟରୁ ୧୦୨ ଜଣଙ୍କୁ ବୁର୍ଲାସ୍ଥିତ ଅନ୍ବେଷା ହଷ୍ଟେଲ୍‌ରେ ହୋଇଥିବା ସଂଗରୋଧ କେନ୍ଦ୍ର (ଟିଏମ୍‌ସି)ରେ ରଖା ଯାଇଥିଲା। ଆଜି ଆସି ପହଞ୍ଚିଥିବା ଲୋକଙ୍କୁ ସ୍ଥାନୀୟ ଏନ୍‌ଏସିବି କଲେଜ୍ ଛାତ୍ରାବାସରେ ହୋଇଥିବା ଟିଏମ୍‌ସିରେ ରଖା ଯାଇଥିବା ଓ ସେମାନଙ୍କ ପାଇଁ ସବୁ ପ୍ରକାର ଆନୁସଂଗିକ ବ୍ୟବସ୍ଥା କରା ଯାଇଥିବା ଏସ୍ଏମ୍‌ସି କମିସନର୍ ଅନିରୁଦ୍ଧ ପ୍ରଧାନ ସୂଚନା ଦେଇଛନ୍ତି।

କ୍ଷେତରାଜପୁର ଥାନା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ୧୧୫ ଜଣ ଯାତ୍ରୀ ସମ୍ବଲପୁର ଷ୍ଟେସନ୍‌ରେ ଓହ୍ଲାଇଥିବା ବେଳେ ୨୭ ଜଣ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଥିଲେ। ସେମାନଙ୍କୁ ଛାଡ଼ି ଦିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରୁ ୪୧ ଜଣଙ୍କୁ ଏନ୍‌ଏସିବି କଲେଜ୍ ସଂ‌ଗରୋଧ କେନ୍ଦ୍ରକୁ ପଠା ଯାଇଥିଲା। ୧୬ ଜଣ ବରଗଡ଼ ଓ ୪ ଜଣ ବଲାଙ୍ଗୀର ଯାଇଥିଲେ। ଅନ୍ୟ ୨୭ ଜଣ ଓଡ଼ିଶାର ଯାତ୍ରୀ ହୋଇଥିବାରୁ ସେମାନଙ୍କୁ ଛାଡ଼ି ଦିଆ ଯାଇଥିବା ସୂଚନା ମିଳିଛି।

ତେବେ ଯେଉଁମାନେ ‌ପଶ୍ଚିମବଙ୍ଗରୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ନେଇ ଆସିଛନ୍ତି ସେମାନେ ଯେ ଯାତ୍ରା ସଂମୟରେ ସଂକ୍ରମିତ ହୋଇ ନଥିବେ ତାହା ନିଶ୍ଚିତ ନୁହେଁ। ସେହିଭଳି ଉକ୍ତ ଟ୍ରେନ୍‌ରେ ଆସୁଥିବା ଓଡ଼ିଶା ଯାତ୍ରୀ ବି ସଂଗରୋଧରେ ରହିବା ଜରୁରୀ। ସେମାନଙ୍କୁ ମୁକ୍ତ ଛାଡ଼ି ଦେବା ଦ୍ବାରା ସଂକ୍ରମଣ ବ୍ୟାପିବା ଆଶଂକା ରହିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର