ଭୁବନେଶ୍ବର : ମୁକ୍ତ, ଅବାଧ, ନିରପେକ୍ଷ ତଥା ଶୃଙ୍ଖଳିତ ନିର୍ବାଚନ ପରିଚାଳନାକୁ ଦୃଷ୍ଟିରେ ରଖି ଖୋର୍ଧା ଜିଲ୍ଲା ଅନ୍ତର୍ଗତ ୨ ଲୋକସଭା ଓ ୮ ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କ ସହ ନିର୍ବାଚନ ପର୍ଯ୍ୟବେକ୍ଷକ ଆଲୋଚନା କରିଛନ୍ତି। ଆଜି ଖୋର୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ସର୍କିଟ ହାଉସଠାରେ ଅନୁଷ୍ଠିତ ବୈଠକରେ ଭାରତୀୟ ନିର୍ବାଚନ କମିସନଙ୍କ ଦ୍ବାରା ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ତଥା ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମନୋଜ ଅଲ୍ଲୀ, ଚନ୍ଦ୍ରଶେଖର, ଭି. ଲଳିତାଲକ୍ଷ୍ମୀ, ଏମ. ଗୌତମୀ ଏବଂ ପୁଲିସ ପର୍ଯ୍ୟବେକ୍ଷକ ତଥା ଭାରତୀୟ ପୁଲିସ ସେବାର ବରିଷ୍ଠ ଅଧିକାରୀ ଡ. ଶ୍ୟାମଲ ସାଇକିଆ ଏ ସଂକ୍ରାମନ୍ତରେ ଆଲୋଚନା କରିଥିଲେ। ନିର୍ବାଚନ କମିସନଙ୍କ ନିର୍ଦେଶ ମୁତାବକ ଇଭିଏମ, ଭିଭିପାଟ୍‌ ପରିଚାଳନା, ଉତ୍ତେଜନା ପ୍ରବଣ ବୁଥ୍‌ର ଚିହ୍ନଟ ଓ ପରିଚାଳନା, ଅବଶ୍ୟକ କର୍ମଚାରୀ ମୁତୟନ, ଭିତ୍ତିଭୂମି, ଆଇନଶୃଙ୍ଖଳା, ଅପରାଧୀ ଦମନ, ଅବକାରୀ ଧରପଗଡ଼, ସୁରକ୍ଷା ବାହିନୀ ମୁତୟନ ଓ ପରିଚାଳନା ଏବଂ ନିର୍ବାଚନରେ ବିଭିନ୍ନ ବର୍ଗର ଭୋଟରଙ୍କ ସଂଖ୍ୟା ବୃଦ୍ଧି ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

Advertisment

ଏହି ବୈଠକରେ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ, ଖୋର୍ଧା ଏସ୍‌ପି ଅମୂଲ୍ୟ କୁମାର ଦାସ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ଖୋର୍ଧା ଅତିରିକ୍ତ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ, ଖୋର୍ଧା ଉପଜିଲ୍ଲାପାଳ ସରୋଜ କୁମାର ସାହୁ, ଭୁବନେଶ୍ବର ଉପ ଜିଲ୍ଲାପାଳ ଶୁଭେନ୍ଦୁ କୁମାର ସହୁ ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଏଭଳି ବୈଠକ ଅନୁଷ୍ଠିତ ହେବା ସହ ନିର୍ବାଚନ ସଂକ୍ରାନ୍ତୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।