ରିଟର୍ଣ୍ଣିଂ ଅଫିସରଙ୍କୁ ଭୋଟ ଗଣତି ପ୍ରଶିକ୍ଷଣ

ଭୁବନେଶ୍ବର : ଚଳିତ ଥର ଇଭିଏମ ଓ ଭଭିପାଟକୁ ମେଳ କରି ଭୋଟ ଗଣତି କରିବାକୁ ଭୁବନେଶ୍ବରରେ ରିଟର୍ଣ୍ଣିଂ ଅଫିସରଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି। ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର ମଡେଲ ଭୋଟ ଗଣତି କେନ୍ଦ୍ରରେ ପ୍ରଥମ ଦିନରେ ୧୪ଟି ଜିଲ୍ଲାର ୬୦ରୁ ଅଧିକ ରିଟର୍ଣ୍ଣିଂ ଅଫିସରମାନେ ଯୋଗଦେଇ ପ୍ରଶିକ୍ଷଣ ପାଇଛନ୍ତି। ଏଥିପାଇଁ ସୋମବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୩ ତାରିଖ ଦିନ ଲୋକସଭା ଓ ବିଧାନସଭାର ଇଭିଏମ ଓ ଭିଭିପାଟ ସହ ଚିରକୁଟ ମେଳ କରି ସଠିକ ସଂଖ୍ୟା ନିର୍ଣ୍ଣୟ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ଏଥିପାଇଁ ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ବରିଷ୍ଠ ପରାମର୍ଶଦାତା ଭନଵର ଲାଲ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସମେତ ସିଇଓ ଅଫିସର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଆସନ୍ତାକାଲି ବାକି ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖରୁ ୪ ଦିନ ବ୍ୟାପି ଜିଲ୍ଲା ସ୍ତରରେ ଥିବା ଅନ୍ୟ ନିର୍ବାଚନ ଅଧିକାରୀଙ୍କୁ ଭୋଟ ଗଣତିର କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର