ପୁଣି ଗାଁକୁ ଫେରିବେ ନିମ୍ନ ସୁକତେଲ ବିସ୍ଥାପିତ! ଭିଟାମାଟିରେ ହେବ ନୂଆଁଖାଇ

‘ଟିଣଘ‌ରେ ଗରମରେ ସିଝିବା ଅପେକ୍ଷା ଗାଁରେ ଖୁଣ୍ଟପୋତି ରହିବୁ’

ବଲାଙ୍ଗୀର: ଏଠି ଦିନ ଯାହା, ରାତି ବି ସେଇଆ। ପ୍ରଚଣ୍ଡ ରୌଦ୍ରତାପରେ ତାତି ଉଠୁଛି ଟିଣ। ଆଉ ଏହାର ତଳେ ଛୁଆପିଲା, ବୃଦ୍ଧ ବାପା-ମାଙ୍କୁ ନେଇ ଭୀଷଣ ଗରମରେ ସିଝିବା ପୂର୍ବଜନ୍ମର ପାପ ଛଡ଼ା ଆଉ କିଛି ନୁହେଁ ବୋଲି ବିଳାପ କରିଛନ୍ତି ବଲାଙ୍ଗୀର ନିମ୍ନ ସୁକତେଲ ବୁଡ଼ି ଅଞ୍ଚଳ ଅଧିବାସୀ। ନିମ୍ନ ସୁକତେଲ ବୁଡ଼ିଅଞ୍ଚଳରେ ସବୁକିଛି ହରାଇଥିବା ହଜାର ହଜାର ବିସ୍ଥାପିତଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡ଼ିଛି। ଘର ଦ୍ବାର, ଜମିବାଡ଼ି ହରାଇଥିବା ଓ ଅସହାୟ ଭାବରେ ଥଇଥାନ କଲୋନିରେ ରହୁଥିବା ପ୍ରତି ବିସ୍ଥାପିତ ପରିବାର ପଛରେ ଲୁଚି ରହିଛି ଗୋଟିଏ ଗୋଟିଏ ଦୁଃଖଦ କାହାଣୀ। ସବୁଠାରୁ ବେଶି ଦୁଃଖ ଓ ଯନ୍ତ୍ରଣାଭରା କଥା କୁହନ୍ତି ବୁଡ଼ି ଯାଇଥିବା ଗାଁ ପୋଡ଼ମୁଡ଼, ଗଡ଼ଶଙ୍କର ଡୁଙ୍ଗୁରିପାଲି, କଇଣ୍ଡାପାଲି ଓ ବନଛୋରପାଲିର ଭୂମିହୀନ ବିସ୍ଥାପିତମାନେ।

ଉପରୋକ୍ତ ଗାଁଗୁଡ଼ିକରେ ଭୂମିହୀନ ଭାବରେ ପିଢ଼ି ପରେ ପିଢ଼ି ବଞ୍ଚି ରହିଥିବା ଏହି ବିସ୍ଥାପିତମାନଙ୍କ ମଧ୍ୟରୁ କେତେକ ବିସ୍ଥାପିତ କୁଶମେଲ ପଞ୍ଚାୟତ ଫଟାବାହାଲ ଗ୍ରାମ ନିକଟ ଛତାବାହାଲ ଛକଠାରେ କୁଶମେଲ ଅସ୍ଥାୟୀ ଥଇଥାନ ଶିବିରରେ ଆଶ୍ରୟ ନେଇଛନ୍ତି। ଏଠାରେ ଗଡ଼ଶଙ୍କର ଡୁଙ୍ଗୁରିପାଲିର ୩ ପରିବାର, ବନଛୋରପାଲିର ୨୮ ପରିବାର, କଇଣ୍ଡାପାଲିର ୪ ପରିବାର ଓ ପୋଡ଼ମୁଣ୍ଡର ୭ ପରିବାର ରହୁଛନ୍ତି। ସୁକତେଲ ନଦୀରେ ପାଣି ମାଡ଼ି ଆସିଥିବା ବେଳେ ପ୍ରକଳ୍ପ ସ୍ଥଳକୁ ୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପ୍ରଶାସନ ଏମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସେଠାରୁ ବିସ୍ଥାପିତ କରିଥିଲା। କିନ୍ତୁ ସେମାନେ କିଭଳି ସୁବିଧାରେ ଜୀବନଯାପନ କରିବେ ତାହା ଭୁଲି ଯାଇଥିବା ଏମାନେ ଅଭିଯୋଗ କରିଛନ୍ତି। ଏଠାରେ ରହିବା ପରଠାରୁ ସରକାରୀ ଅଧିକାରୀମାନେ ତାଙ୍କୁ ଆଉ ଆଡ଼ ଆଖିରେ ମଧ୍ୟ ଅନାଉ ନଥିବା ବେଳେ ତାଙ୍କୁ ‌ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇନଥିବା ଅଭିଯୋଗ କରିଛନ୍ତି। ଏଠାରେ ଯନ୍ତ୍ରଣାରେ ପଡ଼ିରହିବା ଅପେକ୍ଷା ପୁଣି ସେମାନେ ଗାଁକୁ ଫେରିଯାଇ ସେଠାରେ ଖୁଣ୍ଟପୋତି ରହିବେ। ଗାଁରେ ନୂଆଁଖାଇ ପାଳନ କରିବେ ବୋଲି କହିଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ବିସ୍ଥାପିତ କଲୋନିରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ପାଖରେ ମଦଭାଟି ଥିବା ବେଳେ ସବୁବେଳେ ‌ଏଠାରେ ପାଟିତୁଣ୍ଡ ଓ ଚୋର ତସ୍କରଙ୍କ ଭୟ। ବିସ୍ଥାପନ ବେଳେ ୫ ହଜାର ଟଙ୍କା ଓ ୧୫ କେଜି ଚାଉଳ ଦେବାକୁ କହି ଅଳ୍ପ କିଛି ଜଣଙ୍କୁ ଦେଇ ଅନ୍ୟମାନଙ୍କୁ ବଞ୍ଚିତ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଭୂମିହୀନ ହୋଇଥିବାରୁ ମୁଣ୍ଡପିଛା କିଛି କ୍ଷତିପୂରଣ ମିଳିଥିଲା। ନୂଆ ସ୍ଥାନକୁ ଆସିବା ପରେ ଏଠାରେ ତାଙ୍କ ପାଇଁ କିଛି କାମ ନଥିବାରୁ ସେମାନଙ୍କ ଜୀବିକା ନିର୍ବାହ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ମିଳିଥିବା କ୍ଷତିପୂରଣ ଟଙ୍କାକୁ ଖାଇପିଇ ବସି ରହିଥିବାରୁ ତାଙ୍କୁ ଜମି ଯୋଗାଇ ଦେଇ କିଭଳି ସେମାନେ ଘର ତିଆରି କରିବେ ତାର ବ୍ୟବସ୍ଥା ପ୍ରଶାସନ କରୁ ବୋଲି ଦେବରାଜ ପୋଢ଼, ସୁବର୍ଣ୍ଣ ପ୍ରଧାନ, ବିଳାସିନୀ ସାହୁ, ନରୋତ୍ତମ ବାଗ ପ୍ରମୁଖ ବହୁ ବିସ୍ଥାପିତ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର