ଭୁବନେଶ୍ବର : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ମିଛ ଧର। ସେସବୁକୁ ସୋସିଆଲ୍ ମିଡିଆରେ ପ୍ରକାଶ କର। ଆଜି ଅନ୍ଲାଇନ୍ କାର୍ଯ୍ୟକ୍ରମ ଜରିଆରେ ଏଆଇସିସି ମୁଖପାତ୍ର ପବନ ଖେରା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ଦେଶରେ ବର୍ତ୍ତମାନ ଉପୁଜିଥିବା ସ୍ଥିତିରେ ପ୍ରତ୍ୟେକ କଂଗ୍ରେସ କର୍ମୀ ସୋସିଆଲ୍ ମିଡିଆ ଜରିଆରେ ଜନ ଜାଗରଣ ପାଇଁ ଉଦ୍ୟମ କରିବାକୁ ଶ୍ରୀ ଖେରା ଆହ୍ବାନ ଦେଇଛନ୍ତି।
ଏହି ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଭାଗ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ଖେରାଙ୍କୁ ତାଙ୍କ ଆଦର୍ଶ ଓ ଦଳର ସଂଗଠନ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ‘ଜୟ ଜଗନ୍ନାଥ’ କହି ତାଙ୍କର ବକ୍ତବ୍ୟ ଆରମ୍ଭ କରି ସେ କହିଥିଲେ, ନିଜର କିଶୋର ଜୀବନରେ ସେ ଓଡ଼ିଶାର କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଆଦି ସ୍ଥାନକୁ ଅତି ନିକଟରୁ ଦେଖିଛନ୍ତି। ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ସେ ଭଲ ପାଆନ୍ତି। ରାହୁଲ ଗାନ୍ଧୀ ତାଙ୍କ ଆଦର୍ଶ ଓ ନେତା। ଶ୍ରୀ ଗାନ୍ଧୀ ତାଙ୍କ ଜୀବନରେ ସବୁ ହରେଇ ମଧ୍ୟ ଯେପରି ଦେଶ ପାଇଁ ସଂଗ୍ରାମ ଜାରି ରଖିଛନ୍ତି, ସେହିପରି ସମସ୍ତେ ଉଦ୍ୟମ କରିବା ଦରକାର। କଂଗ୍ରେସ ହେଉଛି ସଂଘର୍ଷ କରିବା ଦଳ। କଂଗ୍ରେସକୁ ଭଲ ପାଉଥିବା ବ୍ୟକ୍ତି ପ୍ରଥମେ ଏହି ଦଳର ଇତିହାସ ସମ୍ପର୍କରେ ଅବଗତ ହେବା ଉଚିତ୍। ସ୍ବାଧୀନତା ସଂଗ୍ରାମୀମାନଙ୍କର ବିଚାର ଧାରାକୁ ନେଇ ଦଳ ଆଗକୁ ବଢ଼ିଛି। ଯେତେବେଳେ ବି ଦଳ କ୍ଷମତାରୁ ଯାଇଛି ଭାରତର ସାମଗ୍ରିକ ବିକାଶ ବାଧାପ୍ରାପ୍ତ ହେବା ସହ ଜନସାଧାରଣଙ୍କର ଅହେତୁକ କ୍ଷତି ଘଟିଛି। କଂଗ୍ରେସ କ୍ଷମତାରେ ନ ଥିବାବେଳେ ଦେଶରେ ଅସ୍ଥିରତା ସୃଷ୍ଟି ହୋଇଛି। ଯେଉଁମାନେ ଦେଶ ପାଇଁ ଲଢ଼ିଥିଲେ, ସେହିମାନେ ହିଁ କଂଗ୍ରେସର ମୂଳପିଣ୍ଡ। କଂଗ୍ରେସର କ୍ୟାଡର ଦରକାର ନାହିଁ। ପ୍ରତ୍ୟେକ ଭାରତବାସୀ ଏହି ଦଳର କ୍ୟାଡର।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଥିଲେ, କେନ୍ଦ୍ରରେ ବର୍ତ୍ତମାନ ଥ୍ରୀ-ଡି (ଡିଭାଇଡ୍-ଡିସ୍ଟ୍ରାକ୍ଟ୍-ଡାଇଭର୍ଟ୍) ସରକାର ଚାଲିଛି। ସେହିପରି ରାଜ୍ୟରେ ବିଜେଡି ଓ ବିଜେପି ସଲାସୁତରାରେ ଏନ୍-ସ୍କୋୟାର୍ ସରକାର ଚାଲିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ୍ ପାଇଲଟଙ୍କୁ ସମାଲୋଚନା କରି ଶ୍ରୀ ଖେରା କହିଥିଲେ, ଏହି ଦୁଇଜଣ ନେତା ବହୁ କମ୍ ବୟସରେ କଂଗ୍ରେସରୁ ହିଁ ସବୁ କିଛି ପାଇଛନ୍ତି। ଯୁପିଏ ସରକାର ବେଳେ ଯେଉଁ ୧୮ ଜଣ ଯୁବ ନେତୃତ୍ୱ ଦାୟିତ୍ବ ପାଇଥିଲେ ସେମାନଙ୍କ ମଧ୍ୟରେ ଏହି ଦୁଇଜଣ ସାମିଲ ଥିଲେ। ଉଭୟଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ଶ୍ରୀ ପାଇଲଟଙ୍କୁ ୨୫ ବର୍ଷ ବୟସରେ ସାଂସଦ ଓ ୪୦ ବର୍ଷରେ ଉପମୁଖ୍ୟମନ୍ତ୍ରୀ​ କରାଯାଇଥିଲା। ପବିତ୍ର ଇଦ୍-ଉଲ୍-ଜୁହାର ଅଭିନନ୍ଦନ ଜଣାଇ ଭବିଷ୍ୟତରେ ସେ ଓଡ଼ିଶା ଆସିବା ନେଇ ପ୍ରତିଶ୍ରୁତି ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ପିସିସି ସୋସିଆଲ ମିଡିଆ ଅଧକ୍ଷ ଅଭିଷେକ ମହାନନ୍ଦ, କେନ୍ଦ୍ରୀୟ ସୋସିଆଲ ମିଡିଆ ସଂଯୋଜକ ବିପିନ ଯାଦବ, ବିନୟ ଦୋକାନିୟା, ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିସ୍ମୟ ମହାପାତ୍ର, ଚେତନ ମିଶ୍ର, ଜୋୟତା ରୟ, ଅଭିଳାଷ ପତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Pawan-Khera.jpg)