ସପ୍ତମ ବେତନ ପାଇଁ ମୋଡାଲିଟି ପ୍ରକାଶ; ଶିକ୍ଷକ ସଙ୍ଗଠନ ଅସନ୍ତୁଷ୍ଟ, ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ

ଭୁବନେଶ୍ବର : ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁସାରେ ବେତନ ପ୍ରଦାନ ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେବା ସହ ଜାନୁଆରି ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଆଜି ବେତନ ପ୍ରଦାନର ପଦ୍ଧତି ବା ମୋଡାଲିଟି ପ୍ରକାଶ ପାଇଛି। ତେବେ ସପ୍ତମ ବେତନ ପାଇଁ ଥିବା ଆଇନକୁ ବିକୃତ କରାଯାଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଅସଙ୍ଗତି ଆଡ଼କୁ ଠେଲି ଦିଆଯାଇଛି। ଯାହାକୁ ନେଇ ଶିକ୍ଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବା ସହ ଚଞ୍ଚକତାପୂର୍ଣ୍ଣ ବୋଲି ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।

ସେମାନେ କହିଛନ୍ତି ଯେ ‌ସପ୍ତମ ବେତନ ବିଜ୍ଞପ୍ତି ପ୍ରକାଶର ପାଞ୍ଚ ମାସ ପରେ ଦରମା ପ୍ରଦାନର ଯେଉଁ ମୋଡାଲିଟି ପ୍ରକାଶ ପାଇଛି, ତାହା ୧୫ରୁ ୨୦ ବର୍ଷ ଧରି ଦରମା ପାଉଥିବା ଶିକ୍ଷକ ଓ ଅଧ୍ୟାପକଙ୍କ ଦରମାକୁ ପ୍ରତ୍ୟାହାର କରିନେବ। ଏ ପର୍ଯ୍ୟନ୍ତ ପାଇଥିବା ସମସ୍ତ ଚାକିରି ସର୍ତ୍ତାବଳୀଠୁ ଆରମ୍ଭ କରି ସେବା ପୁସ୍ତିକାକୁ ନଷ୍ଟ କରିଦେବ। ଶିକ୍ଷକଙ୍କ ପଦମର୍ଯ୍ୟାଦା ଓ ଆତ୍ମସମ୍ମାନକୁ ବାରମ୍ବାର ପଦାଘାତ କରିବାର ଏକ ଚଞ୍ଚକତାପୂର୍ଣ୍ଣ ଷଡ଼ଯନ୍ତ୍ର ଚାଲିଛି।

ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ୟାର ସମାଧାନ କରନ୍ତୁ। ନ ହେଲେ ପୁଣିଥରେ ୫୦ ହଜାର ଶିକ୍ଷକ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଙ୍ଗଠନର ବିନୋଦ ବିହାରୀ ପାଣିଗ୍ରାହୀ, ଗଗନ ବେଉରା, ଅଟଳ ବିହାରୀ ବଳ, ଅଶୋକ କୁମାର ମହାପାତ୍ର, ଶତାବୁଦ୍ଦିନ ଅହମ୍ମଦ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର