କନ୍ଧମାଳରେ ମାଓ ପୋଷ୍ଟର୍‌ରେ ପ୍ରତିଶୋଧ ଚେତାବନୀ

ଗଣ୍ଡ ସମାଜକୁ ପୁଣି ଟାର୍ଗେଟ୍‌, ଝିରିପାଣିରେ ଆତଙ୍କ

ତୁମୁଡ଼ିବନ୍ଧ : କନ୍ଧମାଳରେ ପୁଲିସକୁ ଡରୁନାହାନ୍ତି ମାଓବାଦୀ। ପ୍ରତିଶୋଧ ପରାୟଣ ହୋଇ ଜଙ୍ଗଲରୁ ଜଙ୍ଗଲକୁ ଘୁରି ବୁଲୁଛନ୍ତି। ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ସୁଯୋଗ ଉଣ୍ଡୁଛନ୍ତି। ପୁଣି ଗଣ୍ଡ ସମାଜକୁ ପୋଷ୍ଟର୍‌ ଜରିଆରେ ଚେତାବନୀ ଦେଇଛନ୍ତି। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କୀ ଜଙ୍ଗଲରେ ହୋଇଥିବା ଏନ୍‌କାଉଣ୍ଟରରେ ଚାରି କ୍ୟାଡ଼ର ମାଓବାଦୀଙ୍କ  ମୃତ୍ୟୁର ପ୍ରତିଶୋଧ ନେବାକୁ ଉଦ୍ୟମ ଚଳାଇଛନ୍ତି। ପୁଲିସ କମ୍ବିଂ ଅପରେସନ୍‌ ସେମାନଙ୍କ ଉପରେ ପ୍ରଭାବ ପକାଇ ନାହିଁ।
ଗତ ୧୯ ଦିନ ତଳେ ଭଣ୍ଡରଙ୍ଗି ପଞ୍ଚାୟତରେ ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ। ଏଥି ସହ ଛାଡ଼ି ଯାଇଥିବା ପୋଷ୍ଟରରେ ଗଣ୍ଡ ସମାଜ ଯୁବକଙ୍କୁ ଚେତାବନୀ ଦେବା ସହ ଦୁଇ ଜଣଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ପୋଷ୍ଟରକୁ ନେଇ ଗ୍ରାମବାସୀ ଏକପ୍ରକାର ଭୟଭୀତ ଥିଲେ। ଆଜି ପୁଣି ବେଲଘର ଥାନା ଝିରିପାଣି ଗାଁ ର ବିଭିନ୍ନ ସ୍ଥାନରେ ନୀଳ ଓ ଲାଲ୍‌ ହାତ ଲେଖା ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟର ଉପରି ଭାଗରେ ‘ପ୍ରଚାର ମ୍ୟାଟର୍‌’ ଲେଖା ଥିବା ବେଳେ ତଳେ ଭଣ୍ଡରଙ୍ଗିର ଶଙ୍କର ଓ ଗୋଛାଗୁଡ଼ାର ହେମନ୍ତକୁ ମୃତୁ ଦଣ୍ଡ ଦିଆଗଲା କାହିଁକି ସେ ସଂପର୍କରେ ଲେଖାଯାଇଛି। କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍କୀ ଜଙ୍ଗଲରେ ଗତ ସେପ୍ଟେମ୍ବର ମାସରେ ପୁଲିସ ଏନ୍‌କାଉଣ୍ଟରରେ ଚାରି ସାଥିଙ୍କ ମୃତ୍ୟୁ ଘଟଣାରେ ଏ ଦୁହେଁ ପୁଲିସକୁ ସୂଚନା ଦେଇ ଟଙ୍କା ଆଣିଥିବା ଉଲ୍ଲେଖ କରିଛନ୍ତି। ଏହା ସହ ଆହୁରି ବହୁ ବ୍ୟକ୍ତି ପୁଲିସ ଇନଫର୍ମର ଥିବା କହିବା ସହ ଜନ ଅଦାଲତରେ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛନ୍ତି।
ପୂର୍ବରୁ ଗଣ୍ଡ ସମାଜ ଯୁବକ ଓ ସ୍ଥାନୀୟ ସରପଞ୍ଚଙ୍କ ନାମ ଲେଖି ଚେତାବନୀ ଦେଇଥିବା ବେଳେ ପୁଣି ଆଜି ପୋଷ୍ଟରରେ ଗଣ୍ଡ ସମାଜ ପିଲାଙ୍କୁ ସଂସ୍କୃତି ଓ ସମାଜକୁ ବଞ୍ଚାଇବା ପାଇଁ ଭୁଲ ବାଟରେ ଯାଉଥିବା ପିଲାମାନଙ୍କୁ ସୁଧାରି ଠିକ ବାଟରେ ଆସନ୍ତୁ ବୋଲି ଚେତାବନୀ ଦେଇଛନ୍ତି। ଏହି ପୋଷ୍ଟର  ଲାଗିବା ପରେ ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ପୂର୍ବରୁ ଗଣ୍ଡ ସମାଜକୁ ନେଇ ମାଓବାଦୀ ପୋଷ୍ଟରେ ଚେତାବନୀକୁ ନେଇ ସମାଜ ସଭାପତି  ଓ  ପୂର୍ବତନ ବିଧାୟକ, ବ୍ଲକ ଅଧ୍ୟକ୍ଷ, ତିନି ପଞ୍ଚାୟତର ସରପଞ୍ଚ ପ୍ରତିକ୍ରିୟା ରଖିଥିଲେ।  ପୁଣି ମାଓବାଦୀଙ୍କ ଏଭଳି ଚେତାବନୀକୁ ନେଇ ଭଣ୍ଡରଙ୍ଗି, ଝିରିପାଣି, ଲଙ୍କାଗଡ଼ ଓ ବେଲଘର ଅଞ୍ଚଳରେ ଲୋକେ ପୁଣି ଆତଙ୍କିତ ହେବା ସହ ସନ୍ଧ୍ୟା ହେଲେ କେହି ବାହରକୁ ବାହାରିବାକୁ ସାହସ କରୁନାହାନ୍ତି।
ସମ୍ବନ୍ଧିତ ଖବର