ରେଭେନ୍ସାରେ ତରବରିଆ ନିଯୁକ୍ତିକୁ ନେଇ ପ୍ରଶ୍ନ, ୨୦ ଦିନ ମଧ୍ୟରେ ବିଜ୍ଞପ୍ତି

କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସରିବ ସବୁକିଛି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଆସନ୍ତା ୩୧ରେ ଶେଷ ହେଉଛି। ତେବେ ଏହା ମଧ୍ୟରେ ଅସ୍ଥାୟୀ ଓ ଅତିଥି ଅଧ୍ୟାପକ ନିଯୁକ୍ତିକୁ ଅତି ତରବରିଆ ଭାବେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦ୍ୟମ କରାଯାଉ ଥିବା ଅଭିଯୋଗ ହୋଇଛି। ଗତ ୧୦ ତାରିଖରେ ବିଶ୍ୱବିଦ୍ୟାଳୟର ୧୨ଟି ବିଭାଗରେ ଅସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ତେବେ ଏଥିରେ କେଉଁ ବିଭାଗରେ କେତେ ଓ କେଉଁ ପଦବି ପାଇଁ ସାକ୍ଷାତକାର କରାଯିବ ତାହା ପ୍ରକାଶ କରାଯାଇ ନାହିଁ। ଅନ୍ୟପଟେ ଗତ ମେ ମାସରେ ବିଶ୍ୱବିଦ୍ୟାଳୟର ଏମ୍‌ବିଏ ଓ ଆଇଟିଏମ୍‌ ବିଭାଗରେ ନିଯୁକ୍ତି ପାଇଁ କରାଯାଇଥିବା ସାକ୍ଷାତାକାରର ଫଳ ପ୍ରକାଶ ନ କରିବାକୁ କୋର୍ଟ ରହିତାଦେଶ ଜାରି କରିଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉକ୍ତ ଦୁଇଟି ବିଭାଗରେ ଅସ୍ଥାୟୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ୧୦ ତାରିଖରେ ବିଜ୍ଞପ୍ତି ବାହାରିଥିବା ବେଳେ ୧୫ରୁ ୧୯ ତାରିଖ ମଧ୍ୟରେ ତତ୍‌କ୍ଷଣାତ ସାକ୍ଷାତକାର (ଓ୍ଵାକ୍‌ ଇନ୍‌ ଇଣ୍ଟରଭିୟୁ) କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ୪ରୁ୮ ଦିନ ମଧ୍ୟରେ ବିଭିନ୍ନ ପଦବି ପାଇଁ ଇଚ୍ଛୁକ ଥିବା ପ୍ରଫେସର ଓ ଅସୋସିଏଟ ପ୍ରଫେସର ସେମାନଙ୍କ ଏକାଡେମିକ୍‌ ପରଫରମାନ୍ସ ଇଣ୍ଡେକ୍ସ ବା ଶିକ୍ଷକତା ପ୍ରଦର୍ଶନ ସୂଚକାଙ୍କ କିପରି ପ୍ରସ୍ତୁତ କରିବେ କିମ୍ବା ଏହାକୁ ତତ୍‌କ୍ଷଣାତ ସାକ୍ଷାତକାରରେ କିପରି ମୂଲ୍ୟାଙ୍କନ କରାଯିବ ତାହା ଏବେ ପ୍ରଶ୍ନ ହୋଇଛି।

ବିଶ୍ୱବିଦ୍ୟାଳୟ କୁଳପତି ଆସନ୍ତା ୩୧ ତାରିଖରେ କାର୍ଯ୍ୟରୁ ଅବସର ନେବାର ଥିବା ବେଳେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ୨୦ ଦିନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସହିତ ସାକ୍ଷାତକାର କରି ନିଯୁକ୍ତି ପ୍ରଦାନ କରିବା ପଛରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କି ଉଦ୍ଦେଶ୍ୟ ରହିଛି ତାହା ଅନେକଙ୍କୁ ଚକିତ କରିଛି। ବିଶ୍ୱବିଦ୍ୟାଳୟର ଆଇଟିଏମ୍‌, ଆଇଏସ୍‌ଟି, ଇ ଆଣ୍ଡ ଟି, ଏମ୍‌ବିଏ, କମ୍ପ୍ୟୁଟର ସାଇନ୍ସ, ଇଣ୍ଟିଗ୍ରେଟେଡ୍‌ ବି.ଇଡି ଓ ରୁରାଲ୍‌ ଡେଭଲପ୍‌ମେଣ୍ଟ ବିଭାଗରେ ଅସ୍ଥାୟୀ ଓ ଶିକ୍ଷା(ଏଜୁକେସନ୍‌), ଏନ୍‌ଭାରନ୍‌ମେଣ୍ଟାଲ ସାଇନ୍ସ, ଇଂରାଜୀ, ରାଜନୀତି ବିଜ୍ଞାନ, ଭୂତଳ ବିଜ୍ଞାନ ବିଭାଗରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଗତ ୧୦ ତାରିଖରେ ବିଜ୍ଞପ୍ତି ବାହାରିଛି। ତେବେ ତତ୍‌କ୍ଷଣାତ୍‌ ସାକ୍ଷାତକାର ଆସନ୍ତା ୧୫, ୧୬,୧୮ ଓ ୧୯ ତାରିଖରେ ହେବ ବୋଲି କୁହାଯାଇଛି। ସାକ୍ଷାତକାର ପରେ ଚଳିତ ମାସ ଶେଷ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୪ଦିନ ମଧ୍ୟରେ ସାକ୍ଷାତକାର ହେବାକୁ ଥିବା ବେଳେ ବିଭିନ୍ନ ପଦବି ପାଇଁ ଇଛୁକ ଥିବା ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ସେମାନଙ୍କ ଏପିଆଇ କିପରି ପ୍ରସ୍ତୁତ କରିବେ ଓ ତତ୍‌କ୍ଷଣତା ସାକ୍ଷାତକାରରେ ଏହାକୁ କିପରି ମୂଲ୍ୟାଙ୍କନ କରାଯିବ ତାହା ପ୍ରଶ୍ନ ହୋଇଛି। ସେପଟେ କୁଳପତି କାର୍ଯ୍ୟାଳୟ ଶେଷ ହେବା ପରେ ଯେଉଁ ନୂତନ କୁଳପତି ଆସିବେ ସିଏ ଏହି ନିଯୁକ୍ତି ଉପରେ ପ୍ରଶ୍ନ କରିବାର ଅନେକ ଆଶଙ୍କା ରହିଛି। ଅତୀତରେ ଏପରି ଅନେକ ବିବାଦ ମୁଣ୍ଡ ଟେକିଛି। ଯାହାକୁ ନେଇ କିଛି ଅଧ୍ୟାପକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ କୁଳପତି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଏବେ ଅନେକ ପଦବି ଖାଲି ରହିଛି। ଜାନୁଆରି ୨ରେ ନୂଆ ସେମିଷ୍ଟାର ଆରମ୍ଭ ହେବା ପୂର୍ବରୁ ଅଧ୍ୟାପକ ନିଯୁକ୍ତି ପାଇଁ ଏପରି ପଦକ୍ଷେପ ନିଆଯାଉଛି। ଅସ୍ଥାୟୀ କିମ୍ବା ଅତିଥି ଅଧ୍ୟାପକ ପାଇଁ ପ୍ରଫେସର କିମ୍ବା ରିଡରମାନେ ଆବେଦନ କରୁନଥିବା ବେଳେ ଏପିଆଇକୁ ନେଇ ତତ୍‌କ୍ଷଣାତ ସାକ୍ଷାତକାରରେ କୌଣସି ସମସ୍ୟା ହେବ ନାହିଁ। ଏହି ନିଯୁକ୍ତିକୁ ବିଶ୍ୱବିଦ୍ୟାଳୟର ସିସିଡି ପରିଚାଳନା କରିବେ। ଏଥିରେ ତାଙ୍କର କିଛି ଭୂମିକା ନାହିଁ। ଯେଉଁ ନୂଆ କୁଳପତି ଆସିବେ ସେ ଏହା ଉପରେ କୌଣସି ପ୍ରଶ୍ନ କରିବେ ବୋଲି ସେ ଭାବୁ ନଥିବା କହିଛନ୍ତି କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ।

ସମ୍ବନ୍ଧିତ ଖବର