ଏକକ ୟୁଜି ନାମଲେଖାରେ ସାମିଲ ହେଉନି ‌ରେଭେନ୍ସା

ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ଯୁକ୍ତ ୩ କଲେଜ ତଥା ଡିଗ୍ରି ପାଠ୍ୟକ୍ରମରେ ନାମଲେଖା ସାମ୍‌ସ ମାଧ୍ୟମରେ କରାଯାଉଛି। ପ୍ରତିବର୍ଷ ପରି ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି। କେଉଁ କଲେଜର କେତେ ସିଟ୍‌ରେ ନାମଲେଖା ହେବ, ସେନେଇ ବିଭାଗ ତଥ୍ୟ ସଂଗ୍ରହ କରୁଛି। ବିଭାଗ ଅଧୀନ ବିଶ୍ବବିଦ୍ୟାଳୟରେ ଥିବା ୟୁଜି ପାଠ୍ୟକ୍ରମରେ ନାମଲେଖା ମଧ୍ୟ ସାମ୍‌ସ ମାଧ୍ୟମରେ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ବିଭାଗ ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ ମଧ୍ୟ ରେଭେନ୍ସା ବିଶ୍ବବିଦ୍ୟାଳୟ ସାମିଲ ହେଉ ନାହିଁ। ବିଭାଗୀୟ ଅଧିକାରୀମାନେ ବାରମ୍ବାର ଚିଠି ଲେଖୁଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସହମତି ପ୍ରକାଶ କରୁନାହାନ୍ତି। ଏମିତିକି ଗତ ମାସ ୧୪ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ରାଜେଶ କୁମାର ସାହୁ ରେଭେନ୍ସା ଓ ଗଙ୍ଗାଧର ମେହେର(ଜିଏମ୍‌) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ନାମଲେଖା ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଇତିମଧ୍ୟରେ ଜିଏମ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃ୍ପକ୍ଷ ନାମଲେଖା ପ୍ରକ୍ରିୟାରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି। ମାତ୍ର ରେଭେନ୍ସା କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ କୌଣସି ମତାମତ ଦେଉ ନାହାନ୍ତି। ଯେଉଁଥିପାଇଁ ଉଚ୍ଚଶିକ୍ଷା ବିଭାଗ ଉପନିର୍ଦ୍ଦେଶକ ଶ୍ରୀ ସାହୁ ପୁଣିଥରେ ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି ସାମ୍‌ସ ପ୍ଲାଟଫର୍ମରେ ୟୁଜି ନାମଲେଖା ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ସାହୁ କହିଛନ୍ତି ଯେ ସାମ୍‌ସ ମଧ୍ୟମରେ ହେଉଥିବା ନାମଲେଖ‌ା ପ୍ରକ୍ରିୟାରେ ବିଭାଗ ଅଧୀନ ୧୦ଟି ବିଶ୍ବବିଦ୍ୟାଳୟର ୨ଲକ୍ଷ ୫୦ ହଜାର ୧୩୯ ସିଟ୍‌ରେ ନାମ‌ଲେଖା କରାଯାଉଛି। ଜିଏମ୍‌ ବିଶ୍ବବିଦ୍ୟାଳୟ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ କେବଳ ଆପଣଙ୍କ ଶିକ୍ଷାନୁଷ୍ଠାନ ଏଥିରେ ସାମିଲ ହୋଇନାହିଁ। ଏକକ ଇ-ନାମଲେଖା ପ୍ରକ୍ରିୟା ହେବା ଦ୍ବାରା ଛାତ୍ରଛାତ୍ରୀ ବହୁ ପରିମାଣରେ ଉପକୃତ ହେଉଛନ୍ତି। ଏହାଦ୍ବାରା କେବଳ ଯେ ସମୟ ବଞ୍ଚୁଛି, ତାହା ନୁହେଁ, ବରଂ କେନ୍ଦ୍ରୀୟ ସାମ୍‌ସ ପ୍ଲାଟଫର୍ମ ମାଧ୍ୟମରେ ମାନବ ସମ୍ବଳ ଅପଚୟକୁ ରୋକା ଯାଇପାରୁଛି। ତେଣୁ ଆପଣଙ୍କ ଶିକ୍ଷାନୁଷ୍ଠାନକୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରନ୍ତୁ।

ସୂଚନାଯୋଗ୍ୟ ଯେ ରାଜ୍ୟର ୧୦୨୫ଟି ଶିକ୍ଷାନୁଷ୍ଠାନ ଏହି ନାମଲେଖା ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିଲେ। ରେଭେନ୍ସା ସମେତ ଆଉ କିଛି ବିଶ୍ବବିଦ୍ୟାଳୟ ସାମିଲ ହେଉ ନ ଥିଲେ। ‌ନିଜସ୍ବ ନାମଲେଖା ପ୍ରକ୍ରିୟା କରି ଶିକ୍ଷାନୁଷ୍ଠାନଗୁଡ଼ିକ ୟୁଜି ନାମଲେଖା କରୁଥିଲେ। ଏନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ଦେଖାଦେଇଥିଲା। ନାମଲେଖାରେ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗ ଉଠିଛି। ଯେଉଁଥିପାଇଁ ଯେଉଁ ବିଶ୍ବବିଦ୍ୟାଳୟରେ ୟୁଜି ପାଠ୍ୟକ୍ରମରେ ଶିକ୍ଷା ଦିଆଯାଉଛି, ସେଗୁଡ଼ିକ ସାମିଲ କରିବାକୁ ବିଭାଗ ପକ୍ଷରୁ ବାରମ୍ବାର ପ୍ରସ୍ତାବ ଦିଆଯାଉଛି। ଏବେ ସୁଦ୍ଧା କେବଳ ରେଭେନ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର