ରେଭେନ୍ସା କର୍ତ୍ତୃପକ୍ଷଙ୍କ ମନମାନି ପାଇଁ ବାଟ ଖୋଲା, ଗୁରୁତ୍ବପୂର୍ଣ୍ଣ ପଦବିରେ ନାହାନ୍ତି ସରକାରଙ୍କ ପ୍ରତିନିଧି

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ଯେଉଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ ସରକାରଙ୍କ ଅଧିକାରୀ ନିଯୁକ୍ତ ହେବା କଥା, ସେଥିରେ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନୋନୀତ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତ ହୋଇଛନ୍ତି। ଦୀର୍ଘ ମାସ ଧରି ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏହା କର୍ତ୍ତୃପକ୍ଷଙ୍କ ମନମାନି ପାଇଁ ବାଟ ଫିଟାଉଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିଭିନ୍ନ ନିଷ୍ପତ୍ତିକୁ ନିରପେକ୍ଷ ଭାବେ କିଏ ତର୍ଜମା କରିବ ବୋଲି ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ବିଶ୍ବବିଦ୍ୟାଳୟର କୁଳସଚିବ ଓ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପଦବି ଖାଲିପଡ଼ିଛି। ସେହି ପଦବିରେ ସରକାରଙ୍କ ଅଧିକାରୀ ନିୟୋଜିତ ହେବା କଥା। କିନ୍ତୁ ସରକାରୀ ପଦକ୍ଷେପ ବିଳମ୍ବ ହେବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସବୁ ପଦବିରେ ରେଭେନ୍ସାର ଅଧ୍ୟାପକ ଓ ଅଧ୍ୟାପକଙ୍କୁ ନିଯୁକ୍ତ କରିଛନ୍ତି। କୁଳସଚିବ ଓ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପଦବି ବିଶେଷ ଭାବେ ଗୁରୁତ୍ବପୂର୍ଣ୍ଣ। ଏହି ଦୁଇ ଅଧିକାରୀଙ୍କର ବିଶ୍ବବିଦ୍ୟାଳୟ ବାହାରେ ପ୍ରଶାସନିକ କାର୍ଯ୍ୟ ଓ ପରୀକ୍ଷା ପରିଚାଳନା ଉପରେ ଅଭିଜ୍ଞତା ରହିବା ନିହାତି ଜରୁରି। ଏହି ଦୁଇ ପଦବିର ଅଧିକାରୀ ବିଶ୍ବବିଦ୍ୟାଳୟର କର୍ମଚାରୀ କିମ୍ବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅଧୀନରେ କାମ କରୁ ନଥିବା ନିୟମ ବି ରହିଛି। କୁଳସଚିବ ପଦବିରେ ଥିବା ବ୍ୟକ୍ତି ପ୍ରଶାସନିକ ଅଧିକାରୀ ହେବା ସହିତ ପ୍ରଶାସନିକ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବା ନିହାତି ଆବଶ୍ୟକ। ସେହିପରି ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଜଣକ ଆସୋସିଏଟ୍‌ ପ୍ରଫେସର ହେବା ସହିତ ବିଶ୍ବବିଦ୍ୟାଳୟ ବାହାରର କଲେଜ ଓ ଅନ୍ୟ ବିଶ୍ବବିଦ୍ୟାଳୟରେ ପରୀକ୍ଷା ପରିଚାଳନା କରିବାର ଅଭିଜ୍ଞତା ରଖିଥିବା ଆବଶ୍ୟକ। ମାତ୍ର ଏବେ ରେଭେନ୍ସାର କୁଳସଚିବ ଓ ମୁଖ୍ୟପରୀକ୍ଷା ନିୟନ୍ତ୍ରକ ପଦବିରେ ‌ବିଶ୍ବବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ଅଛନ୍ତି। ସେମାନେ ବିଶ୍ବବିଦ୍ୟାୟର କର୍ମଚାରୀ ହେବା ସହିତ ରେଭେନ୍ସା କର୍ତ୍ତୃପକ୍ଷଙ୍କ ଅଧୀନରେ କାମ କରୁଛନ୍ତି। ଏଭଳି ସ୍ଥିତିରେ କର୍ତ୍ତୃପକ୍ଷଙ୍କ ବିଭିନ୍ନ ନିଷ୍ପତ୍ତି ଉପରେ କୁଳସଚିବ ଓ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ କିପରି ପ୍ରଶ୍ନ କରିବେ ଅଥବା ନିରପକ୍ଷେ ପରାମର୍ଶ ଦେବେ, ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ରେଭେନ୍ସା କୁଳସଚିବଙ୍କ ପଦବି ଗତ ମାର୍ଚ୍ଚ ୨୦ରୁ ଓ ମୁଖ୍ୟ ପରୀକ୍ଷା ନିୟନ୍ତ୍ରଙ୍କ ପଦବି ଗତ ମାସରୁ ଖାଲି ପଡ଼ିଛି। କୁଳସଚିବ ପଦବିରେ ବିଶ୍ବବିଦ୍ୟାଳୟର ସିସିଡି ଡକ୍ଟର ସ୍ମୃତିପ୍ରଭା ଦାସ ଓ ମୁଖ୍ୟପରୀକ୍ଷା ନିୟନ୍ତ୍ରକ ପଦବିରେ ଡକ୍ଟର ସୁଦର୍ଶନ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବରୁ କୁଳସଚିବ ପଦରେ ଅଶୋକ ଦାସ ଓ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପଦବିରେ ଡକ୍ଟର ତ୍ରିଲୋଚନ ମିଶ୍ର ଥିଲେ। କରୋନା ମହାମାରୀ ପାଇଁ ଏବେ ଶ୍ରେଣୀଗୃହ ପାଠପଢାରୁ ଆରମ୍ଭ କରି ଅଫ୍‌ ଲାଇନ୍‌ ପରୀକ୍ଷା ସବୁ କିଛିକୁ ସରକାର ବନ୍ଦ ରଖିଛନ୍ତି। ଏପରିକି ପରୀକ୍ଷା ନ କରି ଛାତ୍ରଛାତ୍ରୀଙ୍କ ପୁରୁଣା ନମ୍ବରକୁ ଦେଖି ୟୁଜି ଓ ପିଜି ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ପାସ୍‌ କରିବାକୁ ସ୍ଥିର କରିଛନ୍ତି ସରକାର। ଆଗକୁ ପିଜି ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ମହାମାରୀ ସମୟରେ ଶିକ୍ଷା କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉ ଥିବା ବେଳେ ରେଭେନ୍ସାର କୁଳସଚିବ ଓ ମୁଖ୍ୟପରୀକ୍ଷକ ପଦରେ ସରକାରଙ୍କ ପ୍ରତିନିଧି ନ ରହିବା ପଛର କାରଣକୁ ନେଇ ସନ୍ଦେହ ଉପୁଜିଛି।

ସମ୍ବନ୍ଧିତ ଖବର