ଅହଂକାର ପାଇଁ ରାଜସ୍ୱ ଆଦାୟ କଥା ଭୁଲିଗଲେ

ଭୁବନେଶ୍ବର : ଲୋକସେବା ଭବନରେ ଅର୍ଥ ବିଭାଗରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦୂରତା ମାତ୍ର ପ୍ରାୟ ୩୦୦ ଫୁଟ। କିନ୍ତୁ ଦୁଇଟି ବିଭାଗ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁ। ରାଜସ୍ବ ଆଦାୟ ନେଇ ଅର୍ଥ ବିଭାଗର ଚିଠି ଯୋଗାଣ ବିଭାଗ ପାଇଥିଲେ ବି ବର୍ଷାଧିକ କାଳ ପକାଇ ରଖିଛି। ରାଜସ୍ବ ଆଦାୟ ଭାର ନେଇଥିବା ଅର୍ଥ ବିଭାଗର ବାବୁ ବି ତନାଘନା କରୁନାହାନ୍ତି। ଗୋଟିଏ ପଟେ ତ୍ବରିତ୍‌ ବେଗରେ ଲୋକଙ୍କୁ ସେବା ପ୍ରଦାନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ନିର୍ଦ୍ଦେଶାଳୟଗୁଡ଼ିକୁ ପ୍ରାଶାସନିକ ବିଭାଗରେ ସମ୍ମିଳିତ କରିବାକୁ ନିଷ୍ପତ୍ତି ନେଲେ। ସମସ୍ତଙ୍କୁ ୫’ଟି’ ମନ୍ତ୍ରରେ ଦୀକ୍ଷିତ କଲେ। ଗୋଟିଏ ପରେ ଗୋଟିଏ ବିଭାଗରେ ‘ମୋ ସରକାର’କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଏତେସବୁ ପରେ ବି କେତେକ ବାବୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍ ଉଦ୍ଦେଶ୍ୟକୁ ବୁଝି ଅବୁଝା ହେଲା ପରି ଅଭିନୟ କରୁଛନ୍ତି। ନିର୍ଦି‌ଷ୍ଟ ଭାବେ ଅର୍ଥ ପରିମାଣ ଜଣାପଡ଼ିନଥିଲେ ବି ଯୋଗାଣ ଓ ଅର୍ଥ ବିଭାଗର ବାବୁମାନଙ୍କ ଅହଂକାର ଯୋଗୁଁ ରାଜ୍ୟ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛି।

business-standard.com

ଗତବର୍ଷ ଜୁନ୍ ୩୦ ତାରିଖରେ ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ଯୋଗାଣ ବିଭାଗ ଶାସନ ସଚିବଙ୍କୁ ଚିଠି ଲେଖି ରାଜ୍ୟରେ ଥିବା ହାଇସ୍ପିଡ୍ ଡିଜେଲ ବିକ୍ରି କରୁଥିବା ଲାଇସେନ୍‌ସ୍‌ଧାରୀଙ୍କ ବିଷୟରେ ତଥ୍ୟ ମାଗିଥିଲେ। ଧାର୍ଯ୍ୟ ଫି ଅନୁଯାୟୀ ସେମାନଙ୍କ ଲାଇସେନ୍‌ସ୍‌ ନବୀକରଣ ପ୍ରତିବର୍ଷ ହେଉଛି କି ନାହିଁ ସେ ନେଇ ମଧ୍ୟ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅର୍ଥ ବିଭାଗର ଏହି ଚିଠିଟିକୁ ଯୋଗାଣ ବିଭାଗ ୨୦୧୮ ଜୁଲାଇ ୨ ତାରିଖରେ ଗ୍ରହଣ କରିଥିଲା। କିନ୍ତୁ ସୂତ୍ର ମୁତାବକ, ଏବେ ସୁଦ୍ଧା ଯୋଗାଣ ବିଭାଗ ପକ୍ଷରୁ କିଛି ବି ଉତ୍ତର ଦିଆଯାଇନାହିଁ। ଅର୍ଥ ବିଭାଗ ସମ୍ପୃକ୍ତ ଚିଠିରେ ଏପରି ବି ନିର୍ଦ୍ଦେଶ ଦେଇଥିଲା ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ନବୀକରଣ କରିନଥିବା ଲାଇସେନ୍‌ସ୍‌ଧାରୀଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହିତ ଅର୍ଥ ବିଭାଗକୁ ଜଣାଇବାକୁ ପଡ଼ିବ। ହେଲେ ଯୋଗାଣ ବିଭାଗ ସଚିବ ଅର୍ଥ ବିଭାଗର ଏପରି ଚିଠିକୁ ନାଲିଫିତା ତଳେ ରଖିଦେଲେ।

ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଜସ୍ବ ଟିକସ ଓ ଅଣଟିକସ ସମ୍ବଳ ସଂଗ୍ରହ କରିବା ଦାୟିତ୍ବ ଅର୍ଥ ବିଭାଗର। ଏଥିପାଇଁ ଅନ୍ୟସବୁ ବିଭାଗ ମଧ୍ୟ ଅର୍ଥ ବିଭାଗକୁ ସହଯୋଗ କରିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ହାଇସ୍ପିଡ୍ ଡିଜେଲ ବିକ୍ରି ପାଇଁ ପେଟ୍ରୋଲ ପମ୍ପମାନଙ୍କୁ ପ୍ରଦାନ କରାଯାଉଥିବା ଲାଇସେନ୍‌ସ୍‌ ଫି ଦୀର୍ଘ ୧୦ ବର୍ଷ ହେଲାଣି ବୃଦ୍ଧି କରାଯାଇନି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଇସେନ୍‌ସ୍‌ ଫିକୁ ୨୦ ହଜାର ଟଙ୍କା କରିବା ନେଇ ଆସିଥିବା ପ୍ରସ୍ତାବ ଉପରେ ଯୋଗାଣ ବିଭାଗ ବାବୁମାନେ ଆଗକୁ ଫାଇଲ ନେଲେନି। କାହା ସ୍ବାର୍ଥ ପାଇଁ ଯୋଗାଣ ବିଭାଗର ବାବୁମାନେ ଏପରି କଲେ ସେ ନେଇ ଅର୍ଥ ବିଭାଗ ମଧ୍ୟ ଆଉ ଖୋଳତାଡ଼ କଲାନି।

ndtv.com

ଓଡ଼ିଶା ହାଇସ୍ପିଡ୍‌ ଡିଜେଲ (ଡିଲର୍ସ ଲାଇସେନ୍‌ସ୍‌) ଆଇନ,୧୯୭୯ ଶେଷଥର ପାଇଁ ୨୦୦୫ରେ ସଂଶୋଧିତ ହୋଇଥିଲା। ସଂଶୋଧିତ ଆଇନର ବିଜ୍ଞପ୍ତି ସେହିବର୍ଷ ଫେବ୍ରୁଆରି ୧୯ ତାରିଖରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା। ବିନା ଲାଇସେନ୍‌ସ୍‌ରେ କୌଣସି ପେଟ୍ରୋଲ ପମ୍ପ୍ ଡିଲର ହାଇସ୍ପିଡ୍‌ ଡିଜେଲ ବିକ୍ରି କରିପାରିବେ ନାହିଁ। ଲାଇସେନ୍‌ସ୍‌ ଫି ବାବଦରେ ୫ ହଜାର ଟଙ୍କା ଡିଲରକୁ ଦେବାକୁ ପଡ଼ିବ। ପ୍ରତି ଆର୍ଥିକ ବର୍ଷରେ ନବୀକରଣ ପାଇଁ ୨ ହଜାର ଟଙ୍କା ଫି ଧାର୍ଯ୍ୟ କରାଯାଇଛି। ଡୁପ୍ଲିକେଟ୍ ଲାଇସେନ୍‌ସ୍‌ ପ୍ରଦାନ ପାଇଁ ୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା ମାନୁଆଲ ଅନୁଯାୟୀ, କୌଣସି ବି ସ୍ଥିତିରେ ଜଣେ ଡିଲରକୁ ପ୍ରଦାନ କରାଯାଇଥିବା ଲାଇସେନ୍‌ସ୍‌ର ଅବଧି ୫ ବର୍ଷରୁ ଅଧିକ ହେବନି। ସେହିପରି ଅଟୋମୋବାଇଲରେ ଲାଗୁଥିବା ଲୁବ୍ରିକାଣ୍ଟ୍‌ ତେଲ ଓ ଗ୍ରିସ୍‌ ପ୍ରସ୍ତୁତି, ପ୍ରକ୍ରିୟାକରଣ ଏବଂ ଦୋକାନ ଖୋଲିବା ପାଇଁ ବି ଲାଇସେନ୍‌ସ୍‌ ବ୍ୟବସ୍ଥା ରହିଛି। ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ଲୁବ୍ରିକାଣ୍ଟ୍‌ ଦୋକାନ ଖୋଲିଛି। କିନ୍ତୁ ସମସ୍ତ ଦୋକାନୀ ଓ ପ୍ରସ୍ତୁତକାରୀଙ୍କ ପାଖରେ ଲାଇସେନ୍‌ସ୍‌ ଅଛି କି ନାହିଁ ଅଥବା ନବୀକରଣ ହେଉଛି କି ନାହିଁ, ତାର ଯା଼ଞ୍ଚ ହେଉନାହିଁ। ଜିଲ୍ଲା ପ୍ରଶାସନଠୁ ଯୋଗାଣ ବିଭାଗ ବି ନେଉନି। କୌତୂହଳର କଥା ହେଉଛି, ଲୁବ୍ରିକେଟିଂ ଅଏଲ୍‌ ଆଣ୍ଡ୍‌ ଗ୍ରିସେସ୍‌ (ପ୍ରୋସେସିଂ ସପ୍ଲାଇ ଆଣ୍ଡ୍‌ ଡିଷ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌) ଅର୍ଡ଼ର୍‌, ୧୯୮୭ ଅନୁଯାୟୀ, ୫ ବର୍ଷ ଅବଧି ବିଶିଷ୍ଟ ଲାଇସେନ୍‌ସ୍‌ ଫି ବାବଦରେ ମାତ୍ର ୨୫ ଟଙ୍କା ଧାର୍ଯ୍ୟ କରାଯାଇଛି।

ପ୍ରତିମାସରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ବସୁଛି। ମାତ୍ର ଏହି ପ୍ରସଙ୍ଗ ଉଠିଥିବା କଥା ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇନି। ସେହିପରି ବଜେଟ୍ ପାଇଁ ସମ୍ବଳ ସଂଗ୍ରହ ଲାଗି ତନାଘନା ବେଳେ ବି ଅର୍ଥ ବିଭାଗ ଏ ନେଇ ଯେଭଳି ତାଗିଦ କରିବା କଥା କରିନାହି। ପରିଣାମରେ ଏହି ପ୍ରସଙ୍ଗଟି ସମସ୍ତଙ୍କ ନଜର ଆଢୁଆଳରେ ରହିଯାଇଛି ଓ ସରକାର ରାଜସ୍ବ ହରାଉଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତରେ ସୂଚନା େଦଇଛନ୍ତି। ସରକାର ଏବେ ହେଜିବେ ତ?

ସମ୍ବନ୍ଧିତ ଖବର