୫ ଖଣି ଉତ୍ତୋଳନ ଜିଲ୍ଲାରେ ସକାରାତ୍ମକ ଚିତ୍ର : କରୋନା କାଳରେ ୫୦୧ କୋଟିର ରାଜସ୍ୱ ଆଦାୟ

ସେପ୍ଟେମ୍ବରରେ ପରିବହନ ରାଜସ୍ୱ ରେକର୍ଡ

କଟକ : ରାଜ୍ୟରେ ଖଣି ଉତ୍ତୋଳନ ହେଉଥିବା ଜିଲ୍ଲାରେ ପରିବହନ ବିଭାଗ ୨୦୧୯ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ସର୍ବାଧିକ ରାଜସ୍ବ ଆଦାୟ କରିଛି। ଲକଡାଉନ୍‌ ପରେ ଅଫରୋଡ୍‌ ହୋଇଥିବା ଗାଡ଼ିଗୁଡ଼ିକ ଏବେ ଅନରୋଡ୍‌ ହୋଇଛନ୍ତି। ଖଣିଜ ଦ୍ରବ୍ୟର  ଦ୍ରୁତ ପରିବହନ ଯୋଗୁଁ ଚଳିତବର୍ଷ ସେପ୍ଟେମ୍ବରରେ ରାଜସ୍ବ ଆଦାୟ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ଘଟିଛି। ଝାରସୁଗୁଡ଼ା, କେନ୍ଦୁଝର, ରାଉରକେଲା, ସୁନ୍ଦରଗଡ଼, ତାଳଚେରରେ ଆଦାୟ ହୋଇଥିବା ରାଜସ୍ବ ଚଳିତବର୍ଷ ରେକର୍ଡ ଭାଙ୍ଗିଛି। ଚଳିତବର୍ଷ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ମୋଟ ୫୦୧ କୋଟି ରାଜସ୍ବ ଆଦାୟ ହୋଇଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚଳିତ ସେପ୍ଟେମ୍ବର ମାସରେ ରାଜ୍ୟ ପରିବହନ ବିଭାଗ ୧୧୭ କୋଟି ଟଙ୍କାର ଯାନବାହାନରୁ ରାଜସ୍ବ ଆଦାୟ କରିଛି। ଅଗଷ୍ଟ ମାସ ତୁଳନାରେ ୩୧ ପ୍ରତିଶତ ରାଜସ୍ବ ବୃଦ୍ଧି ଘଟିଛି। ଅଗଷ୍ଟ ମାସରେ ୮୯.୫ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଏହି ରାଜସ୍ବ ୨୦୧୯ ସେପ୍ଟେମ୍ବରରେ ଆଦାୟ ହୋଇଥିବା ରାଜସ୍ବର ମାତ୍ର ୭ ପ୍ରତିଶତ କମ୍ କୁହାଯାଉଛି। ୨୦୧୯ ସେପ୍ଟେମ୍ବରରେ ୧୨୬ କୋଟି ଟଙ୍କା ଆଦାୟ କରାଯାଇଥିଲା। ଏହାବାଦ୍ ଜୁନରେ ଲକଡାଉନ୍‌ କଟକଣା ହଟିଲା ପରେ ଯାନବାହନରୁ ଆଦାୟ ହେଉଥିବା ରାଜସ୍ବ ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ୨୦୧୯ ଜୁନରେ ଆଦାୟ ହୋଇଥିବା ରାଜସ୍ବର ମାତ୍ର ୧୫ ପ୍ରତିଶତ କମ୍ ଚଳିତ ଜୁନରେ ଆଦାୟ ହୋଇଛି। ସେହିପରି ଚଳିତ ଜୁଲାଇରେ ୧୮ ପ୍ରତିଶତ ଓ ଅଗଷ୍ଟରେ ୨୦ ପ୍ରତିଶତ କମ୍ ପୂର୍ବବର୍ଷ ତୁଳନାରେ ଆଦାୟ ହୋଇଛି। ଲକ୍‌ଡାଉନରେ ଯାନବାହାନ ବିକ୍ରି ପରିମାଣ ବୃଦ୍ଧି ଘଟିଥିବାରୁ ରାଜସ୍ବ ଅଧିକ ପରିମାଣରେ ଆଦାୟର ପ୍ରମୁଖ କାରଣ କୁହାଯାଉଛି। ରାଜ୍ୟରେ ଖଣି ଉତ୍ତୋଳନ ହେଉଥିବା ଜିଲ୍ଲାରେ ଯାନବାହନ ବିକ୍ରି ସଂଖ୍ୟା ଓ ଅଫରୋଡ୍‌ ହୋଇଥିବା ଗାଡ଼ିଗୁଡ଼ିକ ଅନରୋଡ୍‌ ହୋଇ ଟିକସ୍ ଦାଖଲ କରିବା ଦ୍ବାରା ଗଲା ସେପ୍ଟେମ୍ବର ମାସରେ ରାଜସ୍ବ ଆଦାୟ ବୃଦ୍ଧି ଘଟିଛି।

ଝାରସୁଗୁଡ଼ା ଜିଲ୍ଲା ଚଳିତବର୍ଷ ସେପ୍ଟେମ୍ବରରେ ୩.୩୮ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିବାବେଳେ ପୂର୍ବବର୍ଷ ସେପ୍ଟେମ୍ବରରେ ୨.୩୯ କୋଟି ଟଙ୍କା ଆଦାୟ ହୋଇଥିଲା। ସେହିପରି କେନ୍ଦୁଝର ଜିଲ୍ଲା ୬.୯୮ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିବାବେଳେ ପୂର୍ବ ବର୍ଷ ସେପ୍ଟେମ୍ବରରେ ୫.୨୭ କୋଟି ଟଙ୍କା ଆଦାୟ କରିଥିଲା। ରାଉରକେଲା ଏଥର ୮.୮ କୋଟି ଟଙ୍କା ଆଦାୟ କରିଥିବାବେଳେ ପୂର୍ବବର୍ଷ ସେପ୍ଟେମ୍ବରରେ ୬.୯୯ କୋଟି ଆଦାୟ କରିଛି। ସୁନ୍ଦରଗଡ଼ ଚଳିତବର୍ଷ ୪.୬୭ କୋଟି ଟଙ୍କା ଆଦାୟ କରିଥିବାବେଳେ ପୂର୍ବବର୍ଷ ସେପ୍ଟେମ୍ବରରେ ୨.୨୨ କୋଟି ଆଦାୟ କରିଥିଲା। ତାଳଚେର ଚଳିତବର୍ଷ ୨.୭୪ କୋଟି ଟଙ୍କାର ରାଜସ୍ବ ଆଦାୟ କରିଥିବା ବେଳେ ପୂର୍ବବର୍ଷ ସେପ୍ଟେମ୍ବରରେ ୨.୧୩ କୋଟି ଟଙ୍କା ଆଦାୟ କରିଥିଲା। ଖଣି ଉତ୍ତୋଳନ ଓ ପରିବହନ କାରବାର ଆରମ୍ଭ ହୋଇଥିବାରୁ ଏହି ଜିଲ୍ଲାରେ ଗାଡ଼ି ଚଳାଚଳ ବୃଦ୍ଧି ପାଇଛି। ଖଣି ପରିବହନରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକ ଲକଡାଉନ ସମୟରେ ଅଫରୋଡ୍‌ ହୋଇଯାଇଥିବା ବେଳେ ଏବେ ଅନରୋଡ୍‌ ହୋଇଛି। ଅନରୋଡ୍‌ ହେବା ଦ୍ବାରା ଟ୍ୟାକ୍ସ୍‌ ଆରଟିଓ ଦାଖଲ କରିଛନ୍ତି। ଏହାର ସିଧାସଳଖ ପ୍ରତିଫଳନ ରାଜସ୍ବ ଆଦାୟ ଉପରେ ପଡ଼ିଥିବା ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର