ଫିରିଙ୍ଗିଆ : ଭୂତକୋଠି ପାଲଟିଛି ରାଜସ୍ୱ ବିଭାଗ ଡାକବଙ୍ଗଳା

ଫିରିଙ୍ଗିଆ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ସରକାରୀ ପ୍ରକଳ୍ପ ଗୁଡ଼ିକ ପ୍ରତି କାହାରି ନଜର ନାହିଁ। ସରକାର ଅବା ପ୍ରାଶାସନିକ ଅଧିକାରୀଙ୍କ ବେପରୁଆ ମନୋଭାବ ପାଇଁ ଅନେକ ପ୍ରକଳ୍ପ ଏବେ ଭୂତକୋଠି ପାଲଟିବାକୁ ଯାଉଛି। ସେଗୁଡ଼ିକର ପୁନରୁଦ୍ଧାର ପାଇଁ ବିଭିନ୍ନ ସ୍ତରରେ ଦାବି ହେଉଥିଲେ ହେଁ କୌଣସି ସୁଫଳ ମିଳିପାରୁ ନାହିଁ। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ୍ ଅଧୀନ ଗୋଚ୍ଛାପଡ଼ା ଅଞ୍ଚଳରେ।

ଏହି ଅଞ୍ଚଳରେ ଇଂରେଜ ଅମଳରୁ ନିର୍ମିତ ରାଜସ୍ୱ ବିଭାଗ ଡାକବଙ୍ଗଳା ଏବେ ଭୂତକୋଠି ପାଲଟିଛି। କିଛିବର୍ଷ ପୂର୍ବେ ଜିଲ୍ଲା ପ୍ରଶାସନ ତରଫରୁ ଏହି ବଙ୍ଗଳାରେ କ୍ୟାମ୍ପ୍ କୋର୍ଟ ଆୟୋଜନ କରାଯାଇ ଜନସାଧାରଣଙ୍କ ସମସ୍ୟାର ଶୁଣାଣି କରାଯାଉଥିଲା। ଏଥିପାଇଁ ବଙ୍ଗଳାରେ ଜଣେ ସ୍ବତନ୍ତ୍ର ରାତ୍ରି ଜଗୁଆଳି ରହୁଥିଲେ। ପ୍ରତ୍ୟେକ ମାସରେ ତହସିଲଦାର ଜମିଜମା ବାବଦରେ କ୍ୟାମ୍ପ୍ କୋର୍ଟ କରି ସମସ୍ୟାର ସମାଧାନ କରୁଥିଲେ। ଏଥିସହିତ କୌଣସି ଅଫିସର କିମ୍ବା ମନ୍ତ୍ରୀ ଆସିଲେ ଏହି ଡାକବଙ୍ଗଳାରେ ବିଶ୍ରାମ କରୁଥିଲେ। କିନ୍ତୁ ଗତ ୨୦୧୨ ମସିହା ପରଠାରୁ ଏହି ବଙ୍ଗଳା ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏବେ ଭୂତକୋଠି ପାଲଟିଛି। ଗତବର୍ଷ ବଙ୍ଗଳାର ପାଚେରି ନିର୍ମାଣ କାମ ଆରମ୍ଭ ହୋଇଥିଲା କିନ୍ତୁ ତାହା ଏବେ ଅଧପନ୍ତରିଆ ଭାବେ ପଡ଼ିରହିଛି। ବଙ୍ଗଳା ଚାରିପାଖ ଅଳିଆ ଆବର୍ଜନାପୂର୍ଣ୍ଣ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। ଅନ୍ୟପକ୍ଷରେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ବୋଲି ଫୁଲବାଣୀ ବିଧାୟକ ତହସିଲଦାରଙ୍କୁ ଫୋନ୍ ମାଧ୍ୟମରେ ଅବଗତ କରାଇଥିବା ଜଣାପଡ଼ିଛି। ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ବଙ୍ଗଳାର ମରାମତି କାମ ସଂପର୍କରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର