ଭଦ୍ରକ : ଭଦ୍ରକ ଜିଲ୍ଲା ଧାମରା ସମୁଦ୍ର ଉପକୂଳ ଅଞ୍ଚଳରେ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ଶହଶହ ଏକର ଜମି ମଧ୍ୟରୁ ଏବେ ୮୫୦ ଏକର ଜମିର ଚିହ୍ନବର୍ଣ୍ଣ ମିଳୁନାହିଁ। ଏହି ଜମି କୁଆଡେ ଗଲା, ତାକୁ ଖୋଜିବାରେ ଲାଗିଛି ରାଜସ୍ବ ବିଭାଗ। ଧାମରା ମୁହାଣରେ ଥିବା ୫ଟି ଦ୍ବୀପକୁ ପ୍ରତିରକ୍ଷା ବିଭାଗ ନିଜ ଦଖଲରେ ରଖିଥିଲା। ମୁହାଣ ନିକଟରେ ଗବେଷଣାଗାର ପ୍ରତିଷ୍ଠା କରିବା ସହ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରିବାକୁ ଯୋଜନା ରଖାଯାଇଥିଲା। ଏହା ଭିତରେ ପ୍ରତିରକ୍ଷା ବିଭାଗ ନିଜ ଦଖଲକୁ ନେଇଥିବା ୫ଟି ଦ୍ବୀପ ମଧ୍ୟରୁ ୪ଟି ସମୁଦ୍ରରେ ଧୋଇଗଲାଣି। ଦ୍ବୀପାଞ୍ଚଳରେ ଅଳ୍ପ କିଛି ଜଙ୍ଗଲକୁ ଛାଡ଼ିଦେଲେ ଅବଶିଷ୍ଟ ଭୂଭାଗ ସମୁଦ୍ରରେ ଲୀନ ହୋଇଯାଇଛି। କେବଳ ଏକମାତ୍ର ‌ହୁଇଲର ଦ୍ବୀପର ଅସ୍ତିତ୍ବ ରହିଛି। ତେବେ ସଂପୃକ୍ତ ଅଞ୍ଚଳରେ ପ୍ରତିରକ୍ଷା ବିଭାଗର ଥିବା ୮୫୦ ଏକର ଜମିର ବାସ୍ତବ ସ୍ଥିତି ବର୍ତ୍ତମାନ କଣ, ସେ ସଂକ୍ରାନ୍ତରେ ଚାନ୍ଦବାଲି ତହସିଲ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି। ନିଜେ ତହସିଲଦାର ସୁଶାନ୍ତ ସୂତାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ଯାଇ ଜମିର ସ୍ଥିତାବସ୍ଥା ବୁଲି ଦେଖିଛନ୍ତି।

Advertisment

ଧାମରା ଉତ୍ତରପାର୍ଶ୍ବ ଅଞ୍ଚଳରେ ଥିବା ପ୍ରତିରକ୍ଷା ବିଭାଗର ୮୫୦ ଏକର ଜମି ବ୍ୟବହାର ନ ହୋଇ ପଡ଼ିରହିଛି। ୨୦୧୨ ମସିହାରେ ଓସ୍‌ନିକ୍ ସିପ୍‌ୟାର୍ଡ କଂପାନି ଏଠାରେ ୨୨ ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରି ଜାହାଜ ନିର୍ମାଣ ଓ ମରାମତି କାରଖାନା ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲା। ଏହାଛଡ଼ା ବନ୍ଦର ସଂପ୍ରସାରଣ ଓ ଅନ୍ୟାନ୍ୟ ଶିଳ୍ପ ପାଇଁ କେତେକ କଂପାନି ଆଗ୍ରହ ପ୍ରକାଶ କରିଥିଲେ। ଏଥିପାଇଁ ବହୁ ଜମିର ଆବଶ୍ୟକତା ରହିଥିବା ବେଳେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ପ୍ରତିରକ୍ଷା ବିଭାଗର ୮୫୦ ଏକର ଜମିକୁ ନେବା ପାଇଁ ପୃଥକ ଭାବେ ରାଜ୍ୟ ସରକାରଙ୍କ ପାଖରେ ନିଜର ପ୍ରସ୍ତାବ ରଖିଥିଲେ। ଗୋଟିଏ ସ୍ଥାନରେ ଏକାଧିକ ପ୍ରକଳ୍ପ ପ୍ରତିଷ୍ଠା ନେଇ ସରକାର ମଧ୍ୟ ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିଲେ।

ତେବେ ଜମିକୁ ନେଇ ଦ୍ବନ୍ଦ୍ବ ଉପୁଜିବାରୁ ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ, ଇଡକୋ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିଥି​ଲେ ସରକାର। ଏହି କମିଟି ଧାମରାଠାରେ ଥିବା ପ୍ରତିରକ୍ଷା ବିଭାଗର ଜମି ସର୍ଭେ କରିଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଶିଳ୍ପ ପ୍ରତିଷ୍ଠା ଘୋଷଣାରୁ ମୁହଁ ଫେରାଇ ନେଇଥିଲା ଓସ୍‌ନିକ୍ ସିପ୍‌ୟାର୍ଡ କଂପାନି। ତା ସାଙ୍ଗକୁ ଜମି ଅଧିଗ୍ରହଣ‌ ପ୍ରସଙ୍ଗ ସେଇଠି ଅଟକି ଯାଇଥିଲା। ଏବେ ୮୫୦ ଏକର ଜମିକୁ ଖୋଜା ଚାଲିଛି। ସରକାରୀ ରେକର୍ଡରେ ଜମି ରହିଥିବା ରାଜସ୍ବ ବିଭାଗ କହୁଥିବା ବେଳେ ଏହାର ବାସ୍ତବ ସ୍ଥିତି ସଂପର୍କରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।