ଚଢ଼େଇଧରା : ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ରାଜସ୍ୱ ସର୍କଲ ଅଧୀନ ରାହାଡ଼ପୁର ପାହାଡ଼ରେ ଧର୍ମଶାଳା ତହସିଲ ପକ୍ଷରୁ ଆଜି ସକାଳେ ଚଢ଼ଉ କାରାଯାଇ ୫ ଟ୍ରକ୍‌ ଓ ଗୋଟିଏ କମ୍ପ୍ରେସର ଜବତ କରାଯାଇଛି। ଏଠାରେ ବେଆଇନ୍‌ ଭାବେ ଖାଦାନ ଚଳାଉଥିବା ଦୁଇଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ବେଳେ ଜଣକୁ ଥାନାରେ ଅଟକ ରଖାଯାଇଛି।

Advertisment

ସୂଚନା ଅନୁଯାୟୀ, ରାହାଡ଼ପୁର ପାହାଡ଼ରେ ଲିଜ୍‌ ନଥିବା ଓ ଲିଜ୍‌ ବାତିଲ ହୋଇଥିବା ୧୦ ନମ୍ବର, ୬ ନମ୍ବର ଏବଂ ୮ ନମ୍ବର କଳାପଥର ସୈରାତ ଉପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରି ନାଲିପତାକା ମରାଯାଇଥିଲା। କଳା ପଥର ଖନନ ଓ ଚୋରା ଚାଲାଣ ରୋକିବାକୁ ଟ୍ରେଞ୍ଚ୍‌ ଖୋଳି ଧର୍ମଶାଳା ତହସିଲ ପକ୍ଷରୁ ଖାଦାନକୁ ରାସ୍ତା ବିଚ୍ଛିନ୍ନ କରାଯାଇଥିଲା। ହେଲେ ଚୋରା ଚାଲାଣକାରୀ ପ୍ରଶାସନର ପଦକ୍ଷେପକୁ ଭୃକ୍ଷେପ ନକରି ଖନନ ଓ ପରିବହନ ଜାରିରଖିଥିଲେ। ଆଜି ଧର୍ମଶାଳାର ନୂଆ ତହସିଲଦାର ସ୍ୱାଗତ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରି ଏଠାରୁ ଟ୍ରକ୍‌ ନମ୍ବର ଓଆର-୧୬ସି-୨୮୨୭, ଓଆର-୦୯ଜି-୭୬୫୫, ଓଆର-୧୬ବି-୬୦୮୧, ଓଆର-୧୬ସି-୨୦୪୮, ଓଆର-୦୪ଇ-୧୫୭୭ ଏବଂ ଓଡି-୦୪ଏଲ-୦୫୩୯ ନମ୍ବର କମ୍ପ୍ରେସର ମେସିନକୁ ଜବତ କରିଥିଲେ।

ବେଆଇନ ପଥର ଖାଦାନ ଚଳାଇଥିବା ଜେନାପୁର ଥାନା ଅନ୍ତର୍ଗତ ସମ୍ପାରୁ ପଞ୍ଚାୟତ ତୋଟସିଂ ଗ୍ରାମର ମୁରଲୀ ସାହୁଙ୍କ ପୁଅ ଅଭି ସାହୁ ଓ ବାଟିଯୋଡ଼ା ଗ୍ରାମର ନରେନ୍ଦ୍ର ରାଉତଙ୍କ ପୁଅ ବଳଦେବ ରାଉତଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୁକ୍ତ ବଳଦେବ ରାଉତଙ୍କୁ ଜେନାପୁର ଥାନାରେ ଅଟକ ରଖାଯାଇଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରୁ ୪ଟି ଗାଡ଼ି ଚଢ଼େଇଧରା ଫାଣ୍ଡିରେ ରଖାଯାଇଥିବା ବେଳେ ୨ଟି ଗାଡ଼ି ବ୍ରେକଡାଉନ ହୋଇ ପାହାଡ଼ ନିକଟରେ ରହିଛି। ଏହି ଚଢ଼ଉରେ ତହସିଲଦାର ଶ୍ରୀ ଦାସଙ୍କ ସହ ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତି, ରାଜସ୍ୱ ବିଭାଗର କେତେକ ଅଧିକାରୀ ଓ ସ୍ୱତନ୍ତ୍ର ଆର୍ମ ଫୋର୍ସର ଏକ ଟିମ୍‌ ସାମିଲ ହୋଇଥିଲେ।