ଭୁବନେଶ୍ବର: ନଗର ଉନ୍ନୟନ ବିଭାଗ ନିୟମ କରିଛି ଯେ, ୨୦ଫୁଟ ରାସ୍ତା ଥିବା ସବ୍‌ ପ୍ଲଟ୍‌ରେ ଘର କଲେ ବିଲଡିଂ ପ୍ଲାନ୍‌କୁ ଅନୁମୋଦନ କରାଯିବନି। ହେ‌େ‌ଲ ରାଜସ୍ବ ବିଭାଗ ଅଧୀନରେ ଥିବା ସବ୍‌ ରେଜିଷ୍ଟ୍ରାର ଅଫିସ୍‌ରେ ୨୦ଫୁଟ ରାସ୍ତା ଦୂର କଥା ୧୮ଫୁଟ ରାସ୍ତା ଥିଲେ ବି ଜମି କିଣା ବିକା ହେଉଛି। ଏପରିକି ଉନ୍ନୟନ କର୍ତ୍ତୃପକ୍ଷ କି ପୌର ସଂସ୍ଥା ଦ୍ବାରା ଅନୁମୋଦିତ ହୋଇନଥିବା ସବ୍‌ ପ୍ଲଟ୍ କିଣାବିକା ନକରିବାକୁ ଓରେରା ପକ୍ଷରୁ ଭୁବନେଶ୍ବର ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ବହୁଥର ଚିଠି ଲେଖାହେଲାଣି। ଚିଠି ପାଇବା ପରେ କିଛି ଦିନ ପାଇଁ ସବ୍‌ରେଜିଷ୍ଟ୍ରାର ସବ୍‌ପ୍ଲଟ୍ କିଣାବିକା ବନ୍ଦ କରୁଛନ୍ତି। କିନ୍ତୁ କିଛି ଦିନ ପରେ ପୁଣି ଜମି କିଣାବିକା ହେଉଛି। ଏପଟେ ଜମି କିଣି ଲୋକ ଘର ପ୍ଲାନ୍‌ ପାଇଁ ଆବେଦନ କଲାବେଳକୁ ଫସୁଛନ୍ତି। ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ତାଳମେଳ ଅଭାବ ଥିଲେ ହେଁ ନଗର ଉନ୍ନୟନ ବିଭାଗ ସାଧାରଣ ଲୋକଙ୍କୁ ଶୋଷଣ କରିବାକୁ ନିୟମ ପରେ ନିୟମ ବଦଳାଇ ଚାଲିଛି।

Advertisment

ଯଦି ଉନ୍ନୟନ କର୍ତ୍ତୃପକ୍ଷ/ପୌର ସଂସ୍ଥା ୩୦ଫୁଟରୁ କମ୍‌ ଥିବା ସବ୍‌ପ୍ଲଟ୍‌‌େର ଘର କରିବାକୁ ପ୍ଲାନ୍ ଅନୁମୋଦନ ଦେବେନି ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ କାହିଁକି ୩୦ଫୁଟରୁ କମ୍‌ ରାସ୍ତା ଥିବା ସବ୍‌ ପ୍ଲଟ୍‌ କିଣାବିକା କରାଯାଉଛି? ବିନା ଲେ-ଆଉଟ୍‌ ପ୍ଲାନ୍‌ରେ ରାଜ୍ୟ ସରକାର ଜମି କିଣାବିକାକୁ କାହିଁକି ପ୍ରଶୟ ଦେଉଛନ୍ତି? ଯଦି କିଣା ବିକା କରୁଛନ୍ତି ତେବେ ଯେଉଁ ଲୋକ ଜମି ପ୍ଲଟିଂ କରି ବିକିବାକୁ ଆସୁଛନ୍ତି ସେମାନଙ୍କୁ ୩୦ଫୁଟ ରାସ୍ତା ଦେବାକୁ କାହିଁକି ବାଧ୍ୟ କରାଯାଉନି ବୋଲି ପ୍ରଶ୍ନ ଉଠିଲାଣି।

ରେରା ତାଗିଦ୍‌ ସତ୍ତ୍ବେ ବି ସବ୍‌ପ୍ଲଟ୍‌ କିଣାବିକା ଉପରେ ରୋକ୍‌ ଲାଗୁନି
୨୦ଫୁଟରୁ କମ୍‌ ରାସ୍ତା ଥିଲେ ବି ସବ୍‌ରେଜିଷ୍ଟ୍ରି ଅଫିସରେ ଜମି ରେଜିଷ୍ଟ୍ରି ହେଉଛି
ଜୁଲାଇ,୨୦୧୭ ପୂର୍ବରୁ ଜମି କିଣିଥିଲେ ୧%, ପରେ କିଣିଥିଲେ ଜମି ସହ ୧୫% କମ୍ପାଉଣ୍ଡିଂ ଫି’ କାହିଁକି

ରାଜସ୍ବ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ନିଜ ଅପାରଗତା ଲୁଚାଇବାକୁ ଯାଇ ଏବେ ସାଧାରଣ ଲୋକଙ୍କୁ ଶୋଷଣ କରିବାକୁ ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ରାଜସ୍ବ ବଢ଼ାଇବା ନିଷ୍ପତ୍ତିରେ ପ୍ରତିବର୍ଷ ପ୍ରତ୍ୟେକ ଅଞ୍ଚଳରେ ଜମିର ବେଞ୍ଚମାର୍କ ମୂଲ୍ୟ ଉପରେ ୧୦% ବଢ଼ିବ ବୋଲି ଷ୍ଟାଣ୍ଡିଂ ଅର୍ଡର କରିଛନ୍ତି। ଯାହା ପ୍ରତିବର୍ଷ ଏପ୍ରିଲ ୧ତାରିଖରୁ ଲାଗୁ ହୋଇଥାଏ। ଏହାସହ କେଉଁ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ବର୍ଷକୁ କେତେ ରାଜସ୍ବ ରାଜ୍ୟ ସରକାରଙ୍କୁ ଦେବେ ସେନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରତି ଆର୍ଥିକ ବର୍ଷ ଆରମ୍ଭରୁ ଟାର୍ଗେଟ୍ ଧରାଇ ଦିଆଯାଉଛି। ଫଳରେ ସବ୍‌ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ରାଜସ୍ବ ଆଦାୟ ଟାର୍ଗେଟ୍ ଚାପରେ ‌ଜମି ବିକ୍ରେତା ନିୟମ ମାନନ୍ତୁ କି ନମାନନ୍ତୁ ଜମି କିଣାବିକା ସୁରୁଖୁରରେ କରିଦେଉଛନ୍ତି। ଏପରିକି ସରକାରଙ୍କ ଧାର୍ଯ୍ୟ ନିୟମ ଅନୁଯାୟୀ ପ୍ଲଟିଂ ସ୍କିମ୍‌ରେ ୪୦% ପର୍ଯ୍ୟନ୍ତ ଖୋଲା ସ୍ଥାନ ଛାଡ଼ିବାକୁ ନିୟମ ଥିଲେ ବି ଏହାକୁ ଯାଞ୍ଚ କରାଯାଉନି। ଫଳରେ ଏଠାରେ ଜମି କିଣି ଲକ୍ଷଲକ୍ଷ ଲୋକ ହନ୍ତସନ୍ତ ହେଉଛନ୍ତି।

ଓରେରା ନିୟମ ଅନୁଯାୟୀ, କୌଣସି ରିଅଲ ଇଷ୍ଟେଟ୍ ସଂସ୍ଥା/ଡେଭଲପର୍ସ ୫୦୦ ବର୍ଗମିଟର ବା ୫୩୮୨ ବର୍ଗଫୁଟର ଜମି ବା ଏହାଠାରୁ ଅଧିକ ଜମିକୁ ଯଦି ସବ୍‌ପ୍ଲଟ୍ କରି ବିକ୍ରି କରୁଥିବେ ତେବେ ସବ୍‌ରେଜିଷ୍ଟ୍ରାରମାନେ ବିନା ଅନୁମୋଦିତ ଲେ-ଆଉଟ୍ ପ୍ଲାନ୍‌ରେ ଉକ୍ତ ଜମିର କିଣାବିକା କରିବେନି। ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହାର ଯାଞ୍ଚ ବି ହେଉନି। ଅପରପକ୍ଷେ କାଳେ ଯାଞ୍ଚ ହେଲେ ଧରାପଡ଼ିବ ତେଣୁ ରିଅଲ ଇଷ୍ଟେଟ୍ ସଂସ୍ଥା/ଡେଭଲପର୍ସମାନେ ମଧ୍ୟସ୍ଥି ହୋଇ ଉକ୍ତ ଜମିକୁ ସିଧା ଜମି ମାଲିକଙ୍କ ଦ୍ବାରା ପ୍ଲଟିଂ କରାଯାଉଥିବା ଦେଖାଇ ବିକ୍ରି କରିଦେଉଛନ୍ତି। ଜମି ବିକ୍ରେତା ତାଙ୍କର ଜରୁରୀ ଆବଶ୍ୟକତାକୁ ନଜରରେ ରଖି ଏହି ଜମି ବିକୁଛନ୍ତି ବୋଲି ଦର୍ଶାଉଛନ୍ତି। ଫଳରେ ନଗର ଉନ୍ନୟନ ବିଭାଗ ନିୟମ ଉଲ୍ଲଂଘନ ହେଉଥିଲେ ବି କେହି ପାଟି ଫିଟାଉ ନାହାନ୍ତି। କେବଳ ଏତିକି ନୁହେଁ, ନଗର ଉନ୍ନୟନ ବିଭାଗ ନିୟମ କରିଛି ଯେ ଜୁଲାଇ ୨୦୧୭ ପୂର୍ବରୁ ୨୦ଫୁଟ ରାସ୍ତା ଥିବା ଯେଉଁ ଜମି କିଣାବିକା ହୋଇଥିବ ସେଗୁଡ଼ିକର ପ୍ଲାନ୍ ଅନୁମୋଦନ ପାଇଁ ଜମି ମାଲିକ ଜମିର ବେଞ୍ଚମାର୍କ ମୂଲ୍ୟର ୧% କମ୍ପାଉଣ୍ଡିଂ ଫି’ ବାବଦକୁ ଦେଇ ତାଙ୍କ ଜମିକୁ ରେଗୁଲାରାଇଜ୍ କରିପାରିବେ। ଅର୍ଥାତ୍ ଉନ୍ନୟନ କର୍ତ୍ତୃପକ୍ଷ କି ପୌରସଂସ୍ଥା ନିକଟରେ ଉକ୍ତ ଜରିମାନା ଦାଖଲ କଲେ ଉକ୍ତ ସବ୍‌ପ୍ଲଟ୍‌ ଉପରେ ଘର ନିର୍ମାଣ କରିବାକୁ ପ୍ଲାନ୍ ଅନୁମୋଦନ କରାଯିବ। ଯଦି ୨୦୧୭ ପୂର୍ବରୁ ୨୦ଫୁଟ ରାସ୍ତା ଥିବା ଜମିରେ ଘରେ କଲେ ମାତ୍ର ୧% କମ୍ପାଉଣ୍ଡିଂ ଫି’ରେ ବିଲଡିଂ ପ୍ଲାନ୍ ମିଳୁଛି ତେବେ ୨୦୧୭ ପରେ ୨୦ଫୁଟ ରାସ୍ତାରେ ଜମି କିଣିଥିବା ଲୋକଙ୍କୁ କାହିଁକି ୩୦ଫୁଟ ରାସ୍ତା ପାଇଁ ଆବଶ୍ୟକୀୟ ଜମିର ଅଧା ଛାଡ଼ିବା ଏବଂ ୧୫% କମ୍ପାଉଣ୍ଡିଂ ଫି’ ଦେବାକୁ ବାଧ୍ୟ କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ନଗର ଉନ୍ନୟନ ବିଭାଗ ସହରାଞ୍ଚଳରେ ଅଭିବୃଦ୍ଧି ଚାହୁଁଛି ନା ନିଜ ସ୍ବପ୍ନର ଘର କରିବାକୁ ବର୍ଷ ବର୍ଷ ଧରି ବହୁ କଷ୍ଟରେ ସଞ୍ଚୟ କରିଥିବା ଅର୍ଥରୁ ଜରିମାନା ନେବାକୁ ବସିଛି? ଏହିଭଳି ପ୍ରଶ୍ନ ଏବେ ଲୋକଙ୍କୁ ବ୍ୟଥିତ କଲାଣି।