ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ବିଜ୍ଞପ୍ତି : ଗଠନ ହେଲା ଲଘୁ ଖଣିଜ ନିର୍ଦ୍ଦେଶାଳୟ

ନିର୍ଦ୍ଦେଶକଙ୍କ ସମେତ ୧୨ ଅଧିକାରୀ ଦାୟିତ୍ବରେ ରହିବେ

ଭୁବନେଶ୍ବର : ରାଜ୍ୟରେ ବାଲି, ମୋରମ୍ ଭଳି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ଲଘୁ ଖଣିଜ ନିର୍ଦ୍ଦେଶାଳୟ ଗଠନ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିର୍ଦ୍ଦେଶାଳୟ ରାଜସ୍ବ ବିଭାଗ ଅଧୀନରେ କାର୍ଯ୍ୟ କରିବ।

ବିଜ୍ଞପ୍ତି ଅନୁଯାୟୀ, ଏହି ନିର୍ଦ୍ଦେଶାଳୟ ଲଘୁ ଖଣିଜ ପଦାର୍ଥ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରିବା ସହ ମାଇନିଂ ପ୍ଲାନ୍ ପ୍ରସ୍ତୁତ କରିବ। ଲଘୁ ଖଣିଜ ନିଲାମିରେ ସ୍ବଚ୍ଛତା ଅବଲମ୍ବନ କରିବା ସହ ଲିଜଧାରୀଙ୍କ ଉତ୍ତୋଳନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବ। ବେଆଇନ ଉତ୍ତୋଳନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଜରିମାନା ଆଦାୟ କରିବ। ଏହାସହିତ ଲିଜଧାରୀଙ୍କଠାରୁ ରାଜସ୍ବ ଆଦାୟ କରିବ। ନିର୍ଦ୍ଦେଶାଳୟରେ ଜଣେ ଅତିରିକ୍ତ ସଚିବ ପାହ୍ୟାର ଆଇଏସ କିମ୍ବା ବରିଷ୍ଠ ଓଏଏସ ଅଧିକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ଏହାସହିତ ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ୧୨ ଜଣ ଅଧିକାରୀ ନିଯୁକ୍ତ ହେବେ। ଏସମସ୍ତ ଅଧିକାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ନିଯୁକ୍ତି ପ୍ରଦାନ କରିବ। ଏହି ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ସହାୟତା କରିବା ପାଇଁ କନିଷ୍ଠ ମାଇନିଂ ଅଫିସର ଭାବେ ଇସ୍ପାତ ଓ ଖଣି ବିଭାଗ ୧୦ ଜଣ ଅଧିକାରୀଙ୍କୁ ଡେପୁଟେସନରେ ପଠାଇବ। ସୂଚନା ଓ ପ୍ରୟୁକ୍ତିବିଦ୍ୟା ଅଧିକାରୀଙ୍କୁ ଅସ୍ଥାୟୀ ଭାବେ ଆଉଟସୋର୍ସିଂ ଜରିଆରେ ନିଯୁକ୍ତ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲଘୁ ଖଣିଜ ନିର୍ଦ୍ଦେଶାଳୟ ସୃଷ୍ଟି କରିବାକୁ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର