ସେପ୍ଟେମ୍ବର ସୁଦ୍ଧା ରାଜସ୍ୱ ବଢ଼ିଛି ୧୮.୧୬ ପ୍ରତିଶତ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୧୮.୧୬ ପ୍ରତିଶତ ରାଜସ୍ୱ ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଗତ ଆର୍ଥକ ବର୍ଷ ୨୦୧୬-୧୭ ତୁଳନାରେ ହୋଇଛି। କିନ୍ତୁ ବୃତ୍ତିଗତ କର, ଜମିଜମା ରାଜସ୍ୱ, ଜଙ୍ଗଲ ଓ ବନ୍ୟପ୍ରାଣୀ ଭଳି ବିଭିନ୍ନ କ୍ଷେତ୍ରରୁ ରାଜସ୍ୱ ଆଦାୟ ହ୍ରାସ ପାଇଛି। ସେହିପରି କେନ୍ଦ୍ରୀୟ ଅନୁଦାନ ହାର ମଧ୍ୟ କମିଛି ପ୍ରାୟ ୬.୧୨ ପ୍ରତିଶତ। ପ୍ରଥମ ଥର ପାଇଁ ଜିଏସ୍‌ଟି ଏବଂ ଏସ୍‌(ରାଜ୍ୟ)ଜିଏସ୍‌ଟି ରାଜ୍ୟ ରାଜସ୍ୱ ଆଦାୟ ତାଲିକାରେ ଉଲ୍ଲେଖ ହୋଇଛି। ଏହି ରାଜସ୍ୱ ଆଦାୟ ମଧ୍ୟରେ ୪୩୪.୦୬ କୋଟିର ସାମଗ୍ରୀ ଓ ସେବା କର(ଜିଏସ୍‌ଟି) ଥିବା ବେଳେ ରାଜ୍ୟ ଜିଏସ୍‌ଟି ପରିମାଣ ହେଉଛି ୯୧୮.୭୫ କୋଟି ଟଙ୍କା।

ଇତି ମଧ୍ୟରେ ସେପ୍ଟେମ୍ବର ମାସ ସୁଦ୍ଧା ରାଜସ୍ୱ ଆଦାୟର ଅଡିଟ୍‌ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ନିଜସ୍ୱ କର ରାଜସ୍ୱ ବାବଦରେ ୧୩୮୯୯.୮୨ କୋଟି ଆଦାୟ ହୋଇଥିବା ବେଳେ ଅଣଟିକସ ଆଦାୟ ପରିମାଣ ହେଉଛି ୩୪୮୯.୨୯ କୋଟି ଟଙ୍କା। ଉଭୟ ଟିକସ ଓ ଅଣଟିକସ ମିଶି ସେପ୍ଟେମ୍ବର ଶେଷ ସୁଦ୍ଧା ମୋଟ ୩୯୧୪୪.୬୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି। ଗତବର୍ଷର ଏହି ସମୟ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ନିଜସ୍ୱ ଟିକସ ମଧ୍ୟରୁ ବିକ୍ରିକର ବାବଦରେ ସର୍ବାଧିକ ୮୫.୧୩% ଆଦାୟ ହାର ବଢ଼ିଥିବା ବେଳେ ବୃତ୍ତିକର ୧୩.୭୧%, ଜମିଜମା ରାଜସ୍ୱ ୩୮.୯୨% କମିଛି। ଅଣଟିକସ ବାବଦରେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ ଏହି ସମୟ ମଧ୍ୟରେ ସରକାର ଡିଭିଡେଣ୍ଡ କ୍ଷେତ୍ରରୁ ୩୬୪.୩୮% ରାଜସ୍ୱ ଅର୍ଜନ କରିଛନ୍ତି। ସେହିପରି ଖଣି କ୍ଷେତ୍ରରୁ ୪୩.୯୩% ରାଜସ୍ୱ ବଢ଼ିଛି। କିନ୍ତୁ ସୁଧ ବାବଦରେ ୯.୬୭%, ଶିକ୍ଷା କ୍ଷେତ୍ରରୁ ୩୯.୩୪%, ଜଙ୍ଗଲ ଓ ବନ୍ୟପ୍ରାଣୀ କ୍ଷେତ୍ରରୁ ୮୦.୩୮% ହ୍ରାସ ପାଇଛି। ଗତବର୍ଷ ସେପ୍ଟେମ୍ବର ମାସ ବେଳକୁ କେନ୍ଦ୍ରରୁ ଅନୁଦାନ ବାବଦରେ ୮୮୩୭.୯୬ କୋଟି ମିଳିଥିବା ବେଳେ ଚଳିତ ବର୍ଷ ମିଳିଛି ୮୨୯୬.୯୧ କୋଟି ଟଙ୍କା। ଏହି ହ୍ରାସ ହାର ୬.୧୨ ପ୍ରତିଶତ। ତେବେ ମୁଖ୍ୟ ଶାସନ ସଚିବ ଧାର୍ଯ୍ୟ କରିଥିବା ରାଜସ୍ୱ ଆଦାୟ ଲକ୍ଷ୍ୟ ତୁଳନାରେ ମୋଟ ଆଦାୟ ହାରରେ ଅଭିବୃଦ୍ଧି ଘଟିଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର