ସଚିବସ୍ତରୀୟ ବୈଠକରେ ସୂଚନା : ରାଜସ୍ୱ ସଂଗ୍ରହରେ ୧୪ ପ୍ରତିଶତ ଅଭିବୃଦ୍ଧି
ଜିଲ୍ଲା ଖଣିଜ ପାଣ୍ଠି, ଆଧାର ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର : ୨୦୧୭-୧୮ ବର୍ଷ ଆର୍ଥିକ ଦୃଷ୍ଟିକୋଣରୁ ଓଡ଼ିଶା ପାଇଁ ବେଶ୍ ଭଲ ଥିଲା। ଏହି ବର୍ଷରେ ରାଜସ୍ୱ ସଂଗ୍ରହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି ରାଜସ୍ୱ ହାର ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍ଡିପି)ର ପ୍ରାୟ ୨୨.୨୪ ପ୍ରତିଶତ। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଗତବର୍ଷରେ ରାଜସ୍ୱ ସଂଗ୍ରହ ହାର ୧୪ ପ୍ରତିଶତ ଅଧିକ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଗତ ଆର୍ଥିକ ବର୍ଷର ରାଜସ୍ୱ ଅଭିବୃଦ୍ଧି ଉଲ୍ଲେଖନୀୟ ହୋଇଥିବାର ସୂଚନା ମିଳିଛି। ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ସଂଗ୍ରହ ପ୍ରାୟ ୭୪୨୨୯ କୋଟି ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୮୪୭୯୩ କୋଟିକୁ ବୃଦ୍ଧି ପାଇଛି। ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେଙ୍କ କହିବାନୁସାରେ ୨୦୧୭-୧୮ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଧାରା ବେଶ୍ ଭଲ ରହିଥିଲା। ନିଜସ୍ୱ ଟିକସ କ୍ଷେତ୍ରରୁ ପୂର୍ବବର୍ତୀ ବର୍ଷ ତୁଳନାରେ ଗତବର୍ଷ ରାଜସ୍ୱ ସଂଗ୍ରହ ୧୬.୨୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ପୁଞ୍ଜି ବ୍ୟୟ ହାର ଜିଏସ୍ଡିପିର ୫.୬ ପ୍ରତିଶତ ଟପିଛି। ଋଣ ହାର ଜିଏସ୍ଡିପିର ୧୭ ପ୍ରତିଶତ ହୋଇଛି, ଯାହାକି ନିର୍ଧାରିତ ୨୫ ପ୍ରତିଶତ ସୀମା ତଳେ ରହିଛି।
ମୁଖ୍ୟ ସଚିବ ରାଜସ୍ୱ ଅର୍ଜନକାରୀ ବିଭାଗୀୟ ମୁଖ୍ୟମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ବଜେଟ୍ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ମେ’ ଏବଂ ଜୁନ୍ ମାସରେ ରାଜସ୍ୱ ସଂଗ୍ରହ ହାର ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ। ବିଶେଷ କରି ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ଯେଉଁ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ କରାଯାଇଛି, ସେହି କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଶ୍ରୀ ପାଢ଼ୀ କହିଥିଲେ। ଖଣିଜ ପାଣ୍ଠିରେ ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲା ପାଇଁ ୭୩୦୭ ପ୍ରକଳ୍ପ ମଞ୍ଜୁର ହୋଇଛି। ଏ ବାବଦରେ ବ୍ୟୟବରାଦ ହୋଇଛି ୨୮୮୩.୫୨ କୋଟି। ଏଥିମଧ୍ୟରୁ ୨୧୫୫ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଏହାଛଡ଼ା, ପ୍ରତ୍ୟେକ ବିଭାଗ ବିଭିନ୍ନ ଯୋଜନାରେ ଅନ୍ତତଃ ପକ୍ଷେ ୯୦ ପ୍ରତିଶତ ଆଧାର ସଂଯୋଗୀକରଣ କାର୍ଯ୍ୟ ସାରିିବାକୁ ନିର୍ଦେଶ ଦେଇଥିଲେ।