ମାଲକାନଗିରି: ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜମି ବାବଦ କ୍ଷତିପୂରଣ ରାଶିରୁ ୨୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍‌। ଏହାପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ଉ କରି ଛାନ୍‌ଭିନ୍‌ ଜାରି ରହିଛି। ସୂଚନା ଅନୁଯାୟୀ, ମାଲକାନଗିରି ଏୟାରଷ୍ଟ୍ରିପ୍‌ ନିମନ୍ତେ ଗୌଡ଼ଗୁଡ଼ା ଗାଁର ମାୟାରାଣୀ ମଣ୍ଡଳଙ୍କ ଦେଢ଼ ଏକର ଜମି ଅଧିଗ୍ରହଣ ହୋଇଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ୭ଲକ୍ଷ ୩୧ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ତେବେ କ୍ଷତିପୂରଣ ଟଙ୍କା ନିମନ୍ତେ ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ ୩୦ହଜାର ଟଙ୍କା ଲାଞ୍ଚ ଆକାରରେ ଦେବାକୁ ମାୟାରାଣୀଙ୍କୁ କହିଥିଲେ। ଏତେ ଟଙ୍କା ଦେବାକୁ ମାୟାରାଣୀ ଅକ୍ଷମତା ପ୍ରକାଶ କରି ୨୫ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ। ଅପରପକ୍ଷରେ ମାୟାରାଣୀ ଲାଞ୍ଚ କାରବାର ସଂପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ମାଲକାନଗିରି ଭିଜିଲାନ୍ସ ଏଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଗଠନ କରାଯାଇଥିଲା।

Advertisment

ଯୋଜନା ଅନୁସାରେ ରସାୟନ ବୋଳା ନୋଟ୍‌ ମାୟାରାଣୀଙ୍କୁ ଦିଆଯାଇଥିଲା। ଟଙ୍କା ନେବାକୁ ସୀମାଞ୍ଚଳ ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ମାୟାରାଣୀଙ୍କ ଘରକୁ ଆସିଥିଲେ। ଟଙ୍କା ସଂଗ୍ରହ କରିବା ପରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲା। ନୋଟ୍‌ ଜବତ କରି ସୀମାଞ୍ଚଳଙ୍କ ହାତ ପାଣିରେ ବୁଡ଼ାଇବାରୁ ନାଲି ହୋଇଯାଇଥିଲା। ସୀମାଞ୍ଚଳଙ୍କୁ ଗିରଫ କରି ମାଲକାନଗିରି ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଇଛି। କୋରାପୁଟ ଭିଜିଲାନ୍ସ ଡିଭିଜନ ପକ୍ଷରୁ କେଶ ନମ୍ବର ୨୦/୨୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ସେହିପରି ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର୍ସ ସହ ବାଲିମେଳା ନାଲା ଛକ ସ୍ଥିତ ବାସଭବନରେ ଏକକାଳୀନ ଚଢ଼ଉ କରାଯାଇଛି। ଏଏସ୍‌ପି ଶ୍ରୀ ବିଶ୍ବାଳଙ୍କ ସମେତ ଇନ୍‌ସପେକ୍ଟର ଆର୍. ବିଜୟ କୁମାର, କନେ‌ଷ୍ଟବଳ ଅଜୟ କୁମାର ବିଶ୍ବାଳ, ନିର୍ମଳ କୁମାର ବାଗ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ।