ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ, ମ୍ୟୁଟେସନ ପାଇଁ ନେଉଥିଲେ ୮ ହଜାର ଟଙ୍କା

ଅନୁଗୁଳ : ଜଣେ ଲୋକଙ୍କ ପାଖରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବନ୍ତଳାର ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ନାଏକ। ମ୍ୟୁଟେସନ କାଗଜପତ୍ର କରାଇଦେବାକୁ ସେ ଟଙ୍କା ନେଉଥିଲାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅନୁଗୁଳ ଜିଲ୍ଲା କୁମୁରିସିଂହା ରାଜସ୍ବ ସର୍କଲର ଶରଧାପୁର ଗାଁର ସୁବାସ ସାହୁଙ୍କର ଏକ ଜମିଜମା ସମସ୍ୟା ରହିଥିଲା। ଗୋଟିଏ ଜମିର ମ୍ୟୁଟେସନ ପାଇଁ ତାଙ୍କ ବାପା ଆବେଦନ କରିଥିଲେ। ଏଥିପାଇଁ ଏଠାରେ ରାଜସ୍ବ ନିରୀକ୍ଷକ ଥିବା ଜଗବନ୍ଧୁ ନାଏକ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିରେ ସୁବାସ ରାଜି ହେବାପରେ ରାଜସ୍ବ ନିରୀକ୍ଷକ ଏହାର ମ୍ୟୁ‌ଟେସନ କାମ କରାଇଥିଲେ। ହେଲେ ସୁବାସଙ୍କୁ ଏହାର ପଟା ମିଳି ନ ଥିଲା। କିଛି ତ୍ରୁଟି ଥିବାରୁ ପଟା ମିଳି ପାରି ନ ଥିବା ଜାଣିବାପରେ ପୁଣି ରାଜସ୍ବ ନିରୀକ୍ଷକଙ୍କ ପାଖରେ ସେ ପହଞ୍ଚିଥିଲେ। ଆଗରୁ କହିଥିବା ୮ ହଜାର ଟଙ୍କାଦେଲେ ଯାଇ ଏହି ପଟା ଦେବାର ବ୍ୟବସ୍ଥା କରିବେ ବୋଲି ରାଜସ୍ବ ନିରୀକ୍ଷକ କହିଥିଲେ। ହେଲେ ଏହା ଭିତରେ ତାଙ୍କର ବନ୍ତଳା ରାଜସ୍ବ ସର୍କଲକୁ ବଦଳି ହୋଇଯାଇଥିଲା। ତେଣୁ ସେ ୮ ହଜାର ଟଙ୍କା ନେଇ ବନ୍ତଳା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଆସିବା ପାଇଁ କହିଥିଲେ। ଏଥିନେଇ ସୁବାସ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହେବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ଜାଲ ବିଛାଇଥିଲା। ପୂର୍ବ ଯୋଜନା ମୁତାବକ ଆଜି ବନ୍ତଳା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ୮ ହଜାର ଟଙ୍କା ଦେବାକୁ ଯାଇଥିଲେ ସୁବାସ। ରାଜସ୍ବ ନିରୀକ୍ଷକ ଜଗବନ୍ଧୁ ନାଏଙ୍କ ତାଙ୍କ ପ୍ରକୋଷ୍ଠରେ ଥିବା ଲପନ ସାହୁଙ୍କୁ ଏହି ଟଙ୍କା ରଖିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେ ଏହି ଟଙ୍କା ଗ୍ରହଣ କରି ଗଣିଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ। ପରେ ତାଙ୍କୁ ଗିରଫ କରାଯିବା ସହ ଅନୁଗୁଳ ଭଡ଼ାଘରେ ଚଢାଉ କରାଯାଇଥିଲା। ଅନୁଗୁଳ ଭିଜିଲାନ୍ସ ଏଥିନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ଆଗରୁ ଥରେ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିଲେ।

ସମ୍ବନ୍ଧିତ ଖବର